ଭୁବନେଶ୍ୱର: କୋଭିଡର ଦ୍ୱିତୀୟ ଲହର ଅନେକ ବୃତ୍ତି ଓ ବେଉସାଧାରୀଙ୍କୁ ପ୍ରଭାବିତ କରିଛି । ଏହା ସାଙ୍ଗକୁ ନିକଟରେ ଘଟିଯାଇଥିବା ୟାସ୍ ବାତ୍ୟାର ପ୍ରଭାବ ଏବଂ ମୌସୁମୀର ମୂଷଳ ବର୍ଷା ହେତୁ ମନ୍ଦିରମୟୀ ରାଜଧାନୀ ଭୁବନେଶ୍ୱରକୁ ଅନେକ ପ୍ରତିବନ୍ଧକ ସାମ୍ନା କରିବାକୁ ପଡ଼ିଛି | ମାତ୍ର ସେ ବାତ୍ୟା ହେଉ କି କରୋନା, ସବୁ ସତ୍ତ୍ୱେ ଭୁବନେଶ୍ୱର ମହାନଗର ନିଗମାଂଚଳ (ବିଏମ୍ସି) ରେ ଥିବା ସଫେଇ କର୍ମୀ ଏବଂ ପରିମଳ ପରିଚାଳନା କରୁଥିବା ତିନୋଟି ଯାକ ସଂସ୍ଥାର ସଫେଇ କର୍ମୀମାନେ ମହାନଗର ନିଗମର ୬୭ ଗୋଟି ୱାର୍ଡରେ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛନ୍ତି ।
ବିଏମ ସି ର ସ୍ୱତନ୍ତ୍ର ପରିଚାଳନାରେ ଥିବା ୧୦ ଗୋଟି ୱାର୍ଡରେ କାର୍ଯ୍ୟରତ ଅଛନ୍ତି ୫୭୧ ଜଣ ସଫେଇ କର୍ମୀ, ବାକି ୫୭ ଗୋଟି ୱାର୍ଡରେ ତିନୋଟି ପରିମଳ ସଂସ୍ଥା ଅଧିନରେ ରାଜ୍ୟର ଏହି ପ୍ରମୁଖ ମହାନଗର ନିଗମ ୨,୬୧୦ ଜଣ ପରିମଳ/ସଫେଇ କର୍ମୀଙ୍କୁ ନିୟୋଜିତ କରାଇବା ସହିତ କଠିନ ବର୍ଜ୍ୟବସ୍ତୁର ପରିବହନ ନିମନ୍ତେ ସମୁଦାୟ ୨୩୨ ଗୋଟି ଯାନ ନିୟୋଜିତ କରାଇଛନ୍ତି । ନିୟମିତ ଭାବେ ପ୍ରତ୍ୟେକ ୱାର୍ଡରୁ ବର୍ଜ୍ୟବସ୍ତୁ ସଂଗ୍ରହ ହୋଇ ସୈନିକ ସ୍କୁଲ୍ ନିକଟରେ ଥିବା ଅସ୍ଥାୟୀ ବର୍ଜ୍ୟ ସଂଗ୍ରହସ୍ଥଳୀ ବା ଟେମ୍ପୋରାରୀ ଟ୍ରାନ୍ଜିଟ୍ ପଏଣ୍ଟ ଯାଇଥାଏ । ଏହାପରେ ଦାରୁଠେଙ୍ଗ ନିକଟସ୍ଥ ଭୁଆଷୁଣି ଡମ୍ପିଂୟାର୍ଡକୁ ସମସ୍ତ ବର୍ଜ୍ୟ ଯାଇଥାଏ । ଦୈନିକ ପାଖାପାଖି ୫୨୦ ଟନ୍ ର ବର୍ଜ୍ୟ ଏହି ସ୍ଥାନକୁ ଯାଇଥାଏ ।
ସଫେଇ କର୍ମୀ ‘ମାନସ’ (୩୩ ବର୍ଷ), ଯେ କି ସ୍ଥାନୀୟ ପୁରୁଣା ଭୁବନେଶ୍ୱରବାସୀ, ସେ ଲିଙ୍ଗରାଜ ଅଂଚଳ ଏବଂ ପାର୍କର ସଫେଇ କର୍ମୀ ଭାବେ କାର୍ଯ୍ୟ କରନ୍ତି । ତାଙ୍କ କହିବା ଅନୁସାରେ ‘ଜଣେ ସଫେଇ କର୍ମୀ ଭାବେ ଲିଙ୍ଗରାଜ ଅଂଚଳ ଏବଂ ପାର୍କ ସ୍ଥାନ ପରିଚ୍ଛନ୍ନ କରିବାରେ ମୁଁ ଆନନ୍ଦ ନେଇଥାଏ । କାରଣ ଏଥିପାଇଁ ମୋର କିଛି ଅବଦାନ ରହିଛି ବୋଲି ମୁଁ ଭାବେ ।’
ୟୁନିଟ୍-୪ ର ସଫେଇ କର୍ମୀ ଇନ୍ଦିରା ନାୟକ (୩୮ ବର୍ଷ), ଟ୍ରଲିରେ ବର୍ଜ୍ୟବସ୍ତୁ ସଂଗ୍ରହକାରିଣୀ, ଏହି ମହିଳାଙ୍କ କହିବା ଅନୁଯାୟୀ, ଅନେକ ସମୟରେ ଏମ୍. ଏଲ୍.ଏ କଲୋନୀରେ ବର୍ଜ୍ୟ ସଂଗ୍ରହରେ ମୋର ଦିନ ଯାଏ । ‘ତେବେ ସହରକୁ ପରିସ୍କାର ରଖିବାରେ ମୁଁ ସବୁବେଳେ ଖୁସିଥାଏ, ତେବେ ଯେଉଁ ଦିନ ଆମ ସହର ଜାତୀୟସ୍ତରରେ ଭଲ ଅବସ୍ଥାନରେ ରହିଲା ଏବଂ ଭାରତରେ ସ୍ମାର୍ଟସିଟି ଆହ୍ୱାନରେ ୧ ନମ୍ବର ବୋଲି ପ୍ରଚାର ହେଲା, ମୁଁ ଗର୍ବକଲି ଏହି ସହର ଯାହାକୁ ମୁଁ ନିତି ପରିଷ୍କାର କରୁଛି ।’
ଗୀତା ନାୟକ (୩୫ ବର୍ଷ), ନିୟମିତ ୟୁନିଟ୍-୯ ଅଂଚଳର ସଫେଇ କାର୍ଯ୍ୟରେ ନିଜକୁ ସମର୍ପି ଦେଇଥିବା ଏହି ସଫେଇ କର୍ମୀ କହନ୍ତି, ଆମେ କେତେ କାମ କରୁଛୁ, ସେହି ଲୋକେ କହିବେ, ଯାହାଙ୍କ ପାଇଁ ଆମେ ପରିସ୍କାର କରୁଛୁ । ‘ସହରକୁ ସ୍ୱଚ୍ଛ ସବୁଜ ରଖିବାରେ ଆମର ଲକ୍ଷ୍ୟ’ କହିଆସୁଥିବା ଆବାସିକ କଲ୍ୟାଣ ସଂଘ, କାଳୁନନ୍ଦ ନଗର, ପୋଖରୀପୁଟର ସଭାପତି ନୃପ କିଶୋର ପଟ୍ଟନାୟକ କୁହନ୍ତି, ‘ଜଣେ ସଫେଇ କର୍ମୀ ଆମ ଦୈନନ୍ଦିନ ଜୀବନର ସାଥି ଭଳି; ଯଦି ଜଣେ ସଫେଇବାଲା ଆମ ଅଂଚଳକୁ ଆସିନାହିଁ, ତେବେ ଆମେ ପଚାରିବୁଝୁ କ’ଣ ହେଲା ତାଙ୍କର; ଆଜି କାହିଁକି ସେ ଆସିନାହାଁନ୍ତି, ଏପରିକି କୋଭିଡ୍ ମହାମାରୀରେ ବି ସେମାନେ ଆମ ପାଇଁ ଠିଆ ହୋଇଛନ୍ତି ।’
ସଫେଇ କର୍ମୀ ହେଲେ ଆମର ମେରୁଦଣ୍ଡ । ସହରକୁ ସଫା ରଖିବାରେ ତାଙ୍କରି ବଳ ଆମ ପାଇଁ ସମ୍ବଳ । ଟିକାକରଣର ପ୍ରଥମ ପର୍ଯ୍ୟାୟରେ ଗତ ଫେବୃୟାରୀରେ ଆମେ ସଫେଇ କର୍ମୀମାନଙ୍କର ଟିକାକରଣ କରାଇଛୁ । ସେମାନଙ୍କୁ ସୁରକ୍ଷା କିଟ୍ ମଧ୍ୟ ଦିଆଯାଇଛି; କହିଛନ୍ତି କମିଶନର ବି ଏମ୍ ସି ସଂଜୟ କୁମାର ସିଂହ ।
ପୃଥକୀକୃତ ବର୍ଜ୍ୟବସ୍ତୁ ସଂଗ୍ରହ:-
ଇତି ମଧ୍ୟରେ ବିଏମସି ର ପୃଥକୀକୃତ ବର୍ଜ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇ ଅନେକ ଦିନ ବିତିଲାଣି । କାର୍ଯ୍ୟକ୍ଷମ ହୋଇସାରିଛି ୧୬ ଗୋଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ବା ଏମସିସି । ବିଏମସିର ତିନୋଟି ଜୋନରେ ଥିବା ପ୍ରତ୍ୟେକଟି ଏମସିସି କୁ ଦୈନିକ ହାରାହାରି ୪ ଟନ୍ ରୁ ଅଧିକ ଓଦା ବର୍ଜ୍ୟବସ୍ତୁ ଯାଉଛି । ଏହି ଅନୁଯାୟୀ କାର୍ଯ୍ୟକ୍ଷମ ଥିବା ସମସ୍ତ ଏମସିସିକୁ ଦୈନିକ ପ୍ରାୟ ୭୦ ଟନ୍ ର ଓଦା ବର୍ଜ୍ୟବସ୍ତୁ ଯାଇ ଏହାର ପ୍ରକ୍ରିୟାକରଣ କରାଯାଉଛି । ଏହି ବର୍ଜ୍ୟ ସଂଗ୍ରହ ପାଇଁ ୧୬ ଗୋଟି ଏମ୍ ସି ସି ଥିବା ସ୍ଥାନ ମାନଙ୍କରେ ଦୈନିକ ପୃଥକୀକୃତ ବର୍ଜ୍ୟ ସଂଗ୍ରହ ସଫେଇ ଗାଡ଼ି ବୁଲି ବର୍ଜ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଛନ୍ତି । ସ୍ୱତନ୍ତ୍ର ଢଙ୍ଗରେ ଗୀତ ବଜାଇ ସ୍ୱଚ୍ଛସାଥିମାନେ ଘରକୁ ଘର ବୁଲି ଓଦା ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହିତ କୋଭିଡ୍ ନିୟମ ମାନି ସମସ୍ତେ ଗୋଷ୍ଠୀଭିତ୍ତିକ ଆଲୋଚନା କରୁଛନ୍ତି । ଅଧିକ ଏମ୍ ସି ସି କାର୍ଯ୍ୟକାରୀ କରାଯାଇ ସହରରୁ ବର୍ଜ୍ୟଭାର ଯଥାଶୀଘ୍ର କମାଇବା ପାଇଁ ଆମର ପ୍ରୟାସ ଜାରି ରହିଛି ।
ଯାନ୍ତ୍ରିକ ସଫେଇ:-
ସଫେଇ କର୍ମୀ ନିଜ ହାତରେ ସଫା କରିବା ବ୍ୟତୀତ ରାଜଧାନୀ ଭୁବନେଶ୍ୱର ସହରର ମୁଖ୍ୟ ରାସ୍ତା ଗୁଡ଼ିକରେ ଯାନ୍ତ୍ରିକ ସଫେଇ କରାଯାଉଛି । ଦୁଇଟି ପୃଥକ୍ ପରିମଳ ସଂସ୍ଥା ଏହି କାର୍ଯ୍ୟଭାର ତୁଲାଉଛନ୍ତି । ଜାଗୃତି ୱେଲ୍ଫେୟାର୍ ଏଜେନ୍ସି ୧୪୬.୫୮ କି.ମି ରାସ୍ତା ଦୈନିକ ଯାନ୍ତ୍ରିକ ସଫେଇ କରୁଥିବାବେଳେ, ପ୍ରୋ ପାୱାର୍ ସୁଇପିଙ୍ଗ୍ ଲାୟନ୍ ସର୍ଭିସେସ୍ ଦୈନିକ ୧୭୨ କି.ମି ର ଯାନ୍ତ୍ରିକ ସଫେଇ କରୁଅଛି । ମୁଖ୍ୟତଃ ଏହି ଯାନ୍ତ୍ରିକ ସଫେଇ ରାତ୍ରିବେଳା ହୋଇଥାଏ ।
ବିଶୋଧନ:-
କୋଭିଡ଼୍ ମହାମାରୀର ଦ୍ୱିତୀୟ ଲହରୀରେ ମଧ୍ୟ ଚାଲୁରହିଛି ସାମୂହିକ ସ୍ଥାନର ବିଶୋଧିକରଣ । ଏଥିପାଇଁ ବି ଏମ୍ ସି ତରଫରୁ ନଅଟି ଗାଡ଼ିକୁ ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଇଛି । ତିନୋଟି ପ୍ରଶାସନିକ ଜୋନ୍ରେ ତିନି ଗୋଟି ଲେଖାଏଁ ଗାଡ଼ି ବିଶୋଧନ ପାଇଁ ରହିଛି । ଏଥିରେ ଏକ ପ୍ରତିଶତ ସୋଡ଼ିୟମ୍ ହାଇପୋକ୍ଲୋରାଇଟ୍ ସଲୁ୍ୟସନ୍କୁ ପାଣିରେ ମିଶାଇ ସିଂଚନ କରାଯାଉଛି । ଜୋନରେ ଥିବା ସାନିଟେସନ୍ ଏକ୍ସପର୍ଟ, ସଫେଇ କର୍ମୀ ଇତ୍ୟାଦି ଏହି ଗାଡ଼ିର ପରିଚାଳନାରେ ରହି ସାମୁହିକ ସ୍ଥାନ, ଟିକାକରଣ ସ୍ଥାନ ଇତ୍ୟାଦି ବିଶୋଧନ କରାଉଛନ୍ତି ।