ହେଡଲାଇନସ୍:

ଶବର ଆଦିବାସୀ ମାନଙ୍କ ନିଆରା ଦେବସ୍ନାନ ଯାତ୍ରା : ପାହାଡ଼ ଉପରେ ପାଷାଣ ଜଗନ୍ନାଥଙ୍କ ପାରମ୍ପରିକ ପୂଜାର୍ଚ୍ଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାହାଡ଼ ଉପରେ ଶବର ଆଦିବାସୀ ମାନଙ୍କ ପାଷାଣ ଜଗନ୍ନାଥଙ୍କ ପାରମ୍ପରିକ ପୂଜାର୍ଚ୍ଚନା ସହ ନିଆରା ଦେବସ୍ନାନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

  ପାରମ୍ପରିକ ରୀତିରେ ଏଭଳି ନିଆରା ଦେବସ୍ନାନ ଯାତ୍ରା ଯୁଗ-ଯୁଗରୁ ଅନୁଷ୍ଠିତ ହୋଇ ଆସୁଛି ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରିର ପାଦ-ଦେଶରେ ଥିବା ଆଦିବାସୀ ବହୁଳ ଦୁର୍ଗମ ଭରା ଖମାରୀ ସାହି ଗ୍ରାମରେ ।

 ଗ୍ରାମରେ ତଥା ପ୍ରାୟ ୧୦୦ ଫୁଟ ଉଚ୍ଚତାରେ ଥିବା ପାହାଡ଼ ଉପରେ ଥିବା ଏକ ବିରାଟକାୟ ଜିଡ଼ ବଟବୃକ୍ଷ ତଳେ କେଉଁ ଯୁଗ ଯୁଗରୁ ଶବର ଆଦିବାସୀ ମାନଙ୍କ ଦ୍ୱାରା ପୂଜା ପାଇ ଆସୁଅଛନ୍ତି ପାଷାଣ ଜଗନ୍ନାଥ । ସେଠାରେ ତାଙ୍କର ପୂଜାର୍ଚ୍ଚନା ସହ ଦେବସ୍ନାନ ଯାତ୍ରା ନିଆରା ଢଙ୍ଗରେ ସମ୍ପନ୍ନ ହୋଇଯାଇଛି । 

 ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶବର ଆଦିବାସୀ ମାନେ ନୂଆ ପୋଷାକ ପରିଧାନ କରି ସଂକୀର୍ତ୍ତନ ମଣ୍ଡଳୀ ସହ ବାଜା-ଢ଼ାମ୍ପ , ଘଣ୍ଟ ଗିନୀ ବଜାଇ  ପ୍ରଥମେ ପାଷାଣ ଜଗନ୍ନାଥ ଥିବା ପାହାଡ଼ ଉପରକୁ ଯାଇ ସେଠାରେ ପାଷାଣ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ବେଳେ ତିନି ଠାକୁରଙ୍କୁ ବନ୍ୟଜାତ ଫଳ ଯଥା:- ପଣସ , ଆମ୍ବ , ସପୁରୀ , ଖଜରା , କଦଳୀ ସହ ବିଭିନ୍ନ ପ୍ରକାରର ଔଷଧୀୟ ଡାଳ-ଚେର ପ୍ରଭୃତି ଦେଇ ରଖି ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିଥିଲେ ।

 ତା' ପରେ ସେଠାରେ ଥିବା ଶ୍ରୀମନ୍ଦିରକୁ ଯାଇ ଦାରୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବା ପରେ ପାହାଡ଼ ଉପରେ ପାଷାଣ ଜଗନ୍ନାଥଙ୍କ ଠାରେ ଥିବା ଦେବସ୍ନାନ ମଣ୍ଡପକୁ ଦାରୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥିଲା । 

ଏହାପରେ ସଂକୀର୍ତ୍ତନ ମଣ୍ଡଳୀ ସହ  ଶବର ଆଦିବାସୀ ମହିଳା ମାନେ ପୁଣ୍ୟତୋୟା ମହେନ୍ଦ୍ର ତନୟା ନଦୀକୁ ଯାଇ ସେଠାରୁ ୧୦୮ କାଳସୀରେ ଜଳ ଆଣି ଗ୍ରାମ ପରିକ୍ରମା କରି ପରେ ପାହାଡ଼ ଉପରକୁ ଯାଇ ସେଠାରେ ଥିବା ତିନି ଠାକୁରଙ୍କ ଜଳାଭିଷେକ ତଥା ସ୍ନାନ କରିଥିଲେ । 

ସ୍ନାନ ପରେ ମହିଳା ଓ ଅନ୍ୟମାନେ ପାରମ୍ପରିକ ନାଚରେ ମସଗୁଲ ହୋଇ ପଡ଼ିଥିଲେ ।

   ମହେନ୍ଦ୍ର ଆଶ୍ରମର ସାଧକ ଶ୍ରୀ ଲକ୍ଷ୍ମୀବାବା ତଥା ସନ୍ଥ ସରସ୍ୱତୀ ଭାସ୍କର ତୀର୍ଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସହ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ପୂଜକ ଦ୍ବୟ କୌଶିକ ଶବର ଓ ଭାସ୍କର ଶବରଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । 

 ପାଷାଣ ଜଗନ୍ନାଥଙ୍କ ପୂଜା ପରମ୍ପରା ପ୍ରକାରେ ଜଣାଯାଏ ଯେ , ପ୍ରାୟ ୧ ହଜାର ବର୍ଷ ପୂର୍ବେ ବିଶ୍ୱାବସୁ ଶବର , ନୀଳ ମାଧବଙ୍କୁ ନୀଳ କନ୍ଦରରେ ପୂଜାର୍ଚ୍ଚନା କରିବା ସମୟରେ ଶବର ମାନେ ପଥର ଜଗନ୍ନାଥଙ୍କୁ ପୂଜା କରି ଆସୁଥିଲେ ।ତା'ପରେ ଦାରୁବ୍ରହ୍ମ , ପୁରୀ ଶ୍ରୀମନ୍ଦିରକୁ ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରିରୁ ଦାରୁ ରୂପେ ସ୍ୱତଃ ଯାଇଥିଲେ ଏବଂ ଶ୍ରୀମନ୍ଦିରରେ ୩ଟି ଦାରୁ ବିଗ୍ରହ ହୋଇ ପୂଜା ପାଇଲେ ।

 ସେହି ସମୟରୁ ଏହି ମହେନ୍ଦ୍ରଗିରି ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମରେ ୩ଟି  ପଥରର ପୂଜା ପରମ୍ପରା ଚାଲି ଆସୁଥିବା ଜଣାଯାଏ ।

 ଅନ୍ୟ ପକ୍ଷରେ ଏହି ପୂଜା ପରମ୍ପରା ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଏହି ଦିନରେ ଶବର ମହିଳା ମାନେ ଶ୍ରୀଜଗନ୍ନାଥଙ୍କୁ ପ୍ରତ୍ୟହ ଶ୍ରୀଗୁଣ୍ଡିଚା ରଥଯାତ୍ରା ପର୍ଯ୍ୟନ୍ତ ବନ୍ୟଜାତ ଦ୍ରବ୍ୟ ଫଳ ,ଫୁଲ ଓ ଔଷଧୀୟ ଡାଳ ମୂଳ ଫଳ ଦେଇ ପୂଜାର୍ଚ୍ଚନା କରି ଆସୁଛନ୍ତି । ପରେ ସେହି ସବୁ ଭୋଗ ହେବାପରେ ପ୍ରାସାଦ  ଭାବେ ତାହାକୁ  ଖାଉଛନ୍ତି । 

ଏହି ପରମ୍ପରା ବହୁ ଯୁଗରୁ ଏ ଅଞ୍ଚଳରେ ଚାଲି ଆସୁଛି ବୋଲି ମହେନ୍ଦ୍ର ଆଶ୍ରମର ସାଧକ ଶ୍ରୀ ଲକ୍ଷ୍ମୀ ବାବା ତଥା ସରସ୍ୱତୀ ଭାସ୍କରତୀର୍ଥ କହିଛନ୍ତି ।

0
0
0
s2sdefault