ହେଡଲାଇନସ୍:

ସୋମବାର  ଅବପାତ ନେଇପରେ ସାମୁଦ୍ରିକ ଝଡର ରୂପ : ଏସଆରସି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଭାରତୀୟ ପାଣିପାଗ ସଂସ୍ଥାର ସୂଚନା ଆଧାରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଅବପାତ ରୂପ ନେଇଛି । ଆସନ୍ତା କାଲି ସନ୍ଧ୍ୟାରେ ଏହା ସାମୁଦ୍ରିକ ଝଡରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‍ କମିଶନର ଶ୍ରୀଯୁକ୍ତ ପ୍ରଦୀପ ଜେନା କହିଛନ୍ତି । ଆସନ୍ତା୨୬ ତାରିଖ ସନ୍ଧ୍ୟାରେ ଏହା ପାରାଦ୍ୱୀପ ଓ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ଅନୁମାନ କରାଯାଉଛି । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ପ୍ରାୟ ୧୨୦-୧୬୫ କି.ମି. ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରକାଶ କରିଛନ୍ତି ।

ଗତକାଲି ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ସଂପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ । ତ୍ୱରିତ ଓ ଉପଯୁକ୍ତ ସ୍ଥାନାନ୍ତରଣ, କୋଭିଡ-୧୯ ନିୟମର ଅନୁପାଳନ ଓ ଶୂନ୍ୟ ଜୀବନହାନି ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । କଚ୍ଚା, ଖପର, ଆଜବେଷ୍ଟସ୍‍ ଓ ତଳୁଆ ଅଞ୍ଚଳର ଲୋକମାନଙ୍କୁ ଶୀଘ୍ର ସ୍ଥାନାନ୍ତରଣ କରିବା ଉପରେ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି । 

ସ୍ଥଳଭାଗ ଛୁଇଁବାର ସବିଶେଷ ତଥ୍ୟ ପ୍ରାପ୍ତ ହୋଇ ନଥିଲେ ମଧ୍ୟ ଘଣ୍ଟାପ୍ରତି ୧୨୦-୧୬୫ କି.ମି ତୀବ୍ର ପବନ ବେଗ, ୨୫୦-୩୦୦ ମି.ମି. ବୃଷ୍ଟିପାତ, ୩-୪ ମିଟର ଉଚ୍ଚ ଜୁଆର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ୍‍ ନିୟମ ଅନୁପାଳନ ପୂର୍ବକ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀ ପରିଚାଳନା ଇତ୍ୟାଦି ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି । ବାତ୍ୟା ସମୟରେ ପାନୀୟ ଜଳ ବ୍ୟବସ୍ଥା, ବିଦୁ୍ୟତ ବ୍ୟବସ୍ଥା, ଟେଲିକମ୍‍ ଟାୱାରର ବ୍ୟାପକ କ୍ଷୟକ୍ଷତି ହୋଇଥାଏ, ତେଣୁ ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାଙ୍କର ଓ ବିକଳ୍ପ ବିଦୁ୍ୟତ ବ୍ୟବସ୍ଥା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତ ଅଛନ୍ତି । ବିଦୁ୍ୟତ ବିଭାଗ ଟିପିସିଓଡିଲ୍‍ ଏବଂ ଟିପିଏନ୍‍ଓଡିଲ୍‍ ସହ ବୈଠକ କରି ବିଦୁ୍ୟତ ପାଇଁ ମାନବ ସମ୍ବଳ, ସାମଗ୍ରୀ ଓ ଯନ୍ତ୍ରପାତି ପ୍ରସ୍ତୁତି ସହ ସଜାଗ ରହିଛନ୍ତି । ଟେଲିକମ ଟାୱାର କ୍ଷତିର ପୁନଃରୁଦ୍ଧାର ପାଇଁ  ଯାନ,  ଅତିରିକ୍ତ ଜେନେରେଟର ସେଟ୍‍, ଇନ୍ଧନ ଓ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିଛନ୍ତି । 

ଗତକାଲି କେନ୍ଦ୍ରାପଡା ଏବଂ  ଆଜି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ରିଲିଫ୍‍ କମିଶନର ସମ୍ଭାବ୍ୟ ବାତ୍ୟା ମୁକାବିଲା ନିମନ୍ତେ କରାଯାଇଥିବା ପ୍ରାକ୍‍-ପ୍ରସ୍ତୁତି ସଂପର୍କରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଅନ୍ୟ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଆବଶ୍ୟକ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଆଶ୍ରୟସ୍ଥଳୀ ସହ ଅନ୍ୟ ପକ୍କା ଘରକୁ ଚିହ୍ନଟ କରାଯାଇ ଯଥେଷ୍ଟ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି । ଏଥିରେ ଶୁଖିଲା ଖାଦ୍ୟ, ପାନୀୟ ଜଳ, ପରିମଳ ଓ ମାସ୍କ ବ୍ୟବସ୍ଥା ରହିଛି ।  ଶିଶୁମାନଙ୍କ ପାଇଁ ବିସ୍କୁଟ, ଛତୁଆ ଇତ୍ୟାଦିର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । କୋଭିଡ୍‍ ନିୟମମାନି ଆଶ୍ରୟସ୍ଥଳୀରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ନିମନ୍ତେ  ଗୁରୁତ୍ୱ ଦେବାକୁ କୁହାଯାଇଛି । ବାତ୍ୟାର ସୂଚନା ମିଳିବା ମାତ୍ରେ ସ୍ଥାନାନ୍ତରଣ କାର୍ଯ୍ୟ ପାଇଁ ଟିମ୍‍ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି । ବିଶେଷ କରି କଚ୍ଚା ଘର, ଆଜବେଷ୍ଟସ, ନଡା ଛପର, ଖପର, ତଳୁଆ ଅଞ୍ଚଳ ଓ ସମୁଦ୍ର ପାଣି ପଶିଯାଉଥିବା ଘରର ଲୋକଙ୍କ ସ୍ଥାନାନ୍ତରଣ ଉପରେ ଗୁରୁତ୍ୱ ଦିଆଯିବ । 

ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାର ସୂଚନା ମିଳିବା ମାତ୍ରେ ଲୋକମାନେ ଆଶ୍ରୟସ୍ଥଳକୁ ଶୀଘ୍ର ଆସିବା ପାଇଁ ସ୍ୱତନ୍ତ୍ର ରିଲିଫ୍‍ କମିଶନର ପରାମର୍ଶ ଦେଇଛନ୍ତି । ଆଶ୍ରୟସ୍ଥଳୀରେ ମାସ୍କ ବଂଟନ ସହ ରାପିଡ୍‍ ରେସପନ୍ସ ଟିମ୍‍ ମାଧ୍ୟମରେ ସେମାନଙ୍କର ପ୍ରାରମ୍ଭିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଆମ୍ବ, ନଡିଆ ଆଦି ଗୋଟାଇବା ପାଇଁ ଘରୁ ବାହାରି ବିପଦ ବରଣ ନକରିବାକୁ ସେ ସତର୍କ କରିଦେଇଛନ୍ତି । ପବନ ସମୟରେ ଏଣେତେଣେ ବୁଲିଲେ ହୋଡିଂ, ଗଛ, ଟାୱାର, ଗୃହ ଭଗ୍ନାଂଶ ଆଦି ଦ୍ୱାରା ଆଘାତ ହେବାର ସମ୍ଭାବନା ଥିବାରୁ  କେହି ଘରୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।   

ଏନଡିଆରଏଫ୍‍ର ୨୨ ଟି ଟିମ୍‍, ଓଡ୍ରାଫ୍‍ ର ପ୍ରାୟ ୫୦ ଗୋଟି ଦଳ  ଏବଂ ଅଗ୍ନିଶମ ବାହିନୀର ୧୭୫ ଟିମ୍‍କୁ ମୁତୟନ ପାଇଁ ଯୋଜନା କରାଯାଇଛି । ବନ ବିଭାଗ ପକ୍ଷରୁ ୩୫ ଗୋଟି ଗଛ କଟାଳି ଦଳଙ୍କୁ ପ୍ରସ୍ତୁତ କରି ରଖାଯାଇଛି । ଆଉ ଅଧିକ ୧୦ ଗୋଟି ଏନ୍‍ଡିଆରଏଫ୍‍ ଦଳ ପଠାଇବାକୁ ଅନୁରୋଧ କରାଯାଇଛି । ଏହା ସହିତ ପୂର୍ତ୍ତ, ଜଳସଂପଦ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାର ଯୋଗାଯୋଗ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କର୍ମଚାରୀଙ୍କୁ ପ୍ରସ୍ତୁତ କରି ରଖାଯାଇଛି ।

 

0
0
0
s2sdefault