ହେଡଲାଇନସ୍:

କାନ୍ଦିକି କହୁଛି ଶିମିଳିପାଳ , "ମୋତେ ଏମିତି କାହିଁକି ଜାଳ !"  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଶିମିଳିପାଳ ପର୍ବତମାଳାର ସୁରକ୍ଷା ଅବସମ୍ଭାବୀ

ଜଳୁଛି ଜୈବ ବିବିଧତାର ଅସୁମାରୀ ଭଣ୍ଡାର ଶିମିଳିପାଳ | ନିଆଁରେ ଜାଳି ଯାଉଛନ୍ତି ଅନେକ ଗଛଲତା, ଯିବା ଜନ୍ତୁ ଆଉ କୀଟ ପତଂଗ | ବରାବର ଏମିତି ଜଳିଛି ଆଉ ଜଳୁଛି ଶିମିଳିପାଳ | ଆଉ ଏ ନିଆଁକୁ ନେଇ ରାଜନୀତି | କେବଳ ଗୋଇ ଖୋଲାଖୋଳି | ହେଲେ ଏ ପ୍ରକ୍ରିୟା ଭିତରେ ଅନେକ ଦୁର୍ମୁଲ୍ୟ ସମ୍ପଦ ଯାଉଛି ଜଳି |  କାହାର ଟୋପାଏ ଆନ୍ତରିକତା ନାହିଁ ..ଟିକିଏ ସମବେଦନା ନାହିଁ | ନିଷ୍ଠୁର ଓ ସ୍ୱାର୍ଥପର ମଣିଷ, ବେଦନା ଶୁନ୍ୟ ରାଜନେତା, ଅଣସମ୍ବେଦନଶୀଳ ଶାସନ ଆଉ ଜଡ଼ବତ ପ୍ରଶାସନର ଚକ୍ରବ୍ୟୁହ ଭିତରେ ଫସି ଯାଇଛି ଶିମିଳିପାଳ | ଆଉ ସେ ହୁତାଶନ ଭିତରୁ ସତେ ଯେମିତି ତା ଆର୍ତ୍ତ ଚିତ୍କାର ଶୁଭୁଛି " ମୋର ଦୋଷ କଣ, ମତେ ତମେ ମାନେ ଏମିତି କାହିଁକି ଜାଳୁଛ !!!"  

ବାରିପଦା(ଦିଲ୍ଲୀପ ମହାନ୍ତି )-ଶିମିଳିିପାଳ ପର୍ବତମାଳା ମାନବ ଜାତିର ମଙ୍ଗଳ ନିମନ୍ତେ ପ୍ରକୃତିର ଏକ ମହାନ ଅବଦାନ । ପର୍ବତମାଳା ଓଡ଼ିଶା , ଝାଡ଼ଖଣ୍ଡ  ଓ ପଶ୍ଚିମବଙ୍ଗ ରାଜ୍ୟ ସୀମାର ମିଳନ ସ୍ଥଳରେ ଅବସ୍ଥିତ ହୋଇ ଏହି ତିନି ରାଜ୍ୟ ତଥା ମଧ୍ୟ ଭାରତର ଏକ ବିସ୍ତୀର୍ଣ୍ଣ ଅଂଚଳରେ ପରିବେଶ ସୁରକ୍ଷା କରିବାରେ ବିଶେଷ ଭାବରେ ସହାୟକ ହୋଇ ପାରିଛି । ପ୍ରକୃତି ରାଣୀର ଏହି ମହାନ ସମ୍ପଦ ମୟୂରଭଞ ଜିଲ୍ଲାରେ ଅବସ୍ଥିତ ହୋଇଥିବାରୁ ଏହା ଜିଲ୍ଲାର ଏକ ଗର୍ବ । ପର୍ବତମାଳାଟି ମୟୂରଭଞ ଜିଲ୍ଲାର ମଧ୍ୟ ଭାଗରେ ଉତ୍ତରରୁ ଦକ୍ଷିଣକୁ ଲମ୍ବି ଯାଇଥିବାରୁ ସମଗ୍ର ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରିଅଛି । ଏହାର ପଶ୍ଚିମ ଭାଗରେ ପଂଚପୀଢ଼ ଓ ବାମନଘାଟି; ପୂର୍ବରେ ସଦର ମହକୁମା ବାରିପଦା ଓ ଉଦଳା ଏହିପରି ୪ ଗୋଟି ଉପଖଣ୍ଡ ରହିଅଛି । ପର୍ବତମାଳାର ଗୁରୁତ୍ୱ ପୂର୍ଣ୍ଣ ଅବସ୍ଥିତି ଯୋଗୁଁ ଅନେକ ଛୋଟ ବଡ଼ ଜଳ ସ୍ରୋତ ସାଙ୍ଗକୁ ବୁଢ଼ାବଳଙ୍ଗ, ସୋନ, ଗଙ୍ଗାହାର, ଖଡ଼କେଇ, ବଙ୍କବଳ, ଦେଓ, ସଞ ଓ ଖଇରି ଭଣ୍ଡନ ନାମରେ  ନଦୀଗୁଡ଼ିକ ପର୍ବତର ଦୁଇ ପାଶ୍ୱର୍ ଅଂଚଳକୁ ପ୍ରବାହିତ ହୋଇ କୃଷି ନିମନ୍ତେ ଏକ ପ୍ରାକୃତିକ ଜଳ ଯୋଗାଣର ସୁବିଧା ସୃଷ୍ଟି କରିଛି । ଶିମିଳିପାଳ ପର୍ବତମାଳାର ମହାନ ପ୍ରାକୃତିକ ବନସମ୍ପଦର ଆୟତନ ପ୍ରାୟ ତିନି ହଜାର ବର୍ଗ କିଲୋମିଟରରୁ ଅଧିକ । ଏହା ବ୍ୟତୀତ ଜିଲ୍ଲାର ବ୍ୟାପକ ସମତଳ ଅଂଚଳ ମଧ୍ୟ ବନ ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ରହିଥିଲା ଓ ଏହା କ୍ଷୟ ହୋଇ ଯିବା ପରେ ପରେ ଶିମିଳିପାଳ ପର୍ବତମାଳାରେ ଥିବା ବନସମ୍ପଦର କ୍ଷୟ ସାଧନ ଚାଲିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏତେ କ୍ଷୟ କ୍ଷତି ଘଟି ଯିବା ପରେ ମଧ୍ୟ ଏହା ଏକ ଅସରନ୍ତି ଭଣ୍ଡାର ଭଳି ମନେ ହେଉଛି । ଏଥିରେ ରହିଥିବା ଘଂଚ ନଭଶ୍ଚୁମ୍ଭୀ ଶାଳ, ପିଆଶାଳ, ଚମ୍ପା, ଗମ୍ଭାରୀ, ଶିଶୁ ଆଦି ବୃକ୍ଷ ରାଜି, ଜଳ ପ୍ରପାତ, ଝରଣାଗୁଡ଼ିକର କୁଳୁକୁଳୁ ନାଦ ସାଙ୍ଗକୁ ଅସୁମାରୀ ପକ୍ଷୀମାନଙ୍କର କଳରବ, ମୃଗ, ସମ୍ବର, ବାରହା, ବଣ ମଇଁଷି, ହାତୀପଲ, ମହାବଳ ବାଘ, ଶିମିଳିପାଳର ଗୌରବ କଳାବାଘ(ମିଲନେଷ୍ଟିକ୍ ଟାଇଗର), ବିଲୁଆ, ବଣ କୁକୁଡ଼ା, ଗୁରାଣ୍ଡି, ବେଲାରୀ ମୂଷା, ବଳିଆ କୁକୁର ଓ ମୟୂରମୟୂରୀର ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରେ । କଥା କୁହା ଶୁଆ, ଶାରୀ, କୁଚିଲାଖାଇ ଆଦି ମୂଲ୍ୟବାନ୍ ଓ ଦୁର୍ଲଭ ପକ୍ଷୀ ମଧ୍ୟ ଏଠାରେ ଦେଖିବାକୁ ମିଳୁଥିଲା । ଭାରତର ବିଖ୍ୟାତ ପକ୍ଷୀ ବିଶେଷଜ୍ଞ ଡଃ ସାଲିମାର ବହୁ ଦିନ ପୂର୍ବେ ଶିମିଳିପାଳ ଭ୍ରମଣରେ ଆସି ବିଶ୍ୱରେ ଲୋପ ପାଇ ଯାଇଥିବା କେତେକ ପ୍ରଜାତିର ପକ୍ଷୀକୁ ମେଘାସନୀ ପର୍ବତର ଶୃଙ୍ଗରେ ଦେଖିବାକୁ ପାଇଥିବାର ପ୍ରକାଶ କରିଥିଲେ । ସେହିପରି ଓଡ଼ିଶାର ପକ୍ଷୀ ବିଶେଷଜ୍ଞ ଓ ପୂର୍ବତନ ଓଡ଼ିଶା ବିଧାନସଭାର ସଦସ୍ୟ ଉଦୟନାରାୟଣ ଦେବ ବହୁ ଥର ଶିମିଳିପାଳ ଭ୍ରମଣରେ ଆସି ପଶୁପକ୍ଷୀମାନଙ୍କର ଗତିବିଧିକୁ ଲକ୍ଷକରି ଦେଶ ତଥା ଦେଶ ବାହାରୁ ମଧ୍ୟ କେତେକ ପ୍ରଜାତିର ପକ୍ଷୀ ଶିମିଳିପାଳକୁ ଆସିଥାନ୍ତି ବୋଲି କହିଥିଲେ । ଭୂବନେଶ୍ୱର କୃଷି ମହାବିଦ୍ୟାଳୟର ପୂର୍ବତନ ଡିନ୍ ଡଃ ବି. ଏନ୍. ସାହୁ ଶିମିଳିପାଳ ଉପରେ ଅନୁଧ୍ୟାନ କରି କହିଥିଲେ ହିମାଳୟଠାରୁ କମ୍ ଥଣ୍ଡା ହେଉଥିବାରୁ ହିମାଳୟ ଅଂଚଳରୁ କେତେକ ପକ୍ଷୀ ଅଣ୍ଡା ଦେବାକୁ ଏଠାକୁ ଆସିଥାନ୍ତି । ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରୁ ଚୌଶିଙ୍ଗା ହରିଣ, ବଳିଆ କୁକୁର ଆଉ ଦେଖିବାକୁ ମିଳୁ ନାହିଁ ।

                      ଶିମିଳିପାଳ ପର୍ବତମାଳାରେ ବଡ଼ ବଡ଼ ଅଜଗରଠାରୁ ଆରମ୍ଭ କରି ଅହିରାଜ, ରଣା ସହିତ ବିଭିନ୍ନ ଜାତିର ସର୍ପ ଓ ସରୀସୃପ ଦେଖାଯାଇଥାନ୍ତି । ଶିମିଳିପାଳର ଶ୍ରେଷ୍ଠ  ଆକର୍ଷଣୀୟ ପ୍ରକୃତିର ଅବଦାନ ମଧ୍ୟରେ ବରେହିପାଣି ଓ ଜୋରନ୍ଦା ଜଳ ପ୍ରପାତ ବିଶେଷ ଉଲ୍ଲେଖ ଯୋଗ୍ୟ । ବୁଢ଼ାବଳଙ୍ଗ ନଦୀରେ ୧୩ ଶହ ୯ ଫୁଟ ଉଚ୍ଚରୁ ବରେହିପାଣି ଜଳ ପ୍ରପାତ ଗଡ଼ାଣିଆଁ ଭାବରେ ପଡ଼ୁଥିବା ବେଳେ ଜୋରନ୍ଦାରେ ୪ଶହ ୯୦ ଫୁଟ ଉଚ୍ଚରୁ ସିଧାସଳଖ ଭାବରେ ଜଳ ପଡ଼ୁଅଛି । ଜୋରନ୍ଦା ଜଳପ୍ରପାତଟି ଦୂରରୁ ଦୃଷ୍ଟିଗୋଚର ହେଉଥିବା ସମୟରେ ବରେହିପାଣି ସ୍ଥଳ ବିଶେଷରେ ଦେଖାଯାଏ ନାହିଁ । ଏହାକୁ ଦେଖିବାକୁ ହେଲେ ନିକଟକୁ ଯିବାକୁ ପଡ଼ିବ ; ମାତ୍ର ଏଥି ନିମନ୍ତେ କୌଣସି ଯାତାୟତର ସୁବିଧା ବର୍ତମାନ ସୁଦ୍ଧା ହୋଇପାରି ନାହିଁ । ବିଦୁ୍ୟତ ଚାଲିତ ରଜୁ ବ୍ୟବସ୍ଥା କରାଯାଇ ପାରିଲେ ଏହାର ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ଉପଭୋଗ କରିପାରନ୍ତେ । ସର୍ବଶ୍ରେଷ୍ଠ ପ୍ରାକୃତିକ ଶୋଭା ପରିପୂର୍ଣ୍ଣ ସ୍ଥାନ ଭାବରେ ମେଘାସନୀ ପର୍ବତର ନାମ ରହିଆସିଛି । ଏହାର ପ୍ରାକୃତିକ ମନୋରମ ପରିବେଶ ବର୍ଣ୍ଣନାତୀତ । ଆଖିରେ ନ ଦେଖିଲେ ଅନୁଭବ ବା ବର୍ଣ୍ଣନା କରିବା ଅସମ୍ଭବ । ଶିମିଳିପାଳ ପର୍ବତମାଳା ଯେ କେବଳ ପରିବେଶର ସୁରକ୍ଷା କରୁଛି ତା ନୁହେଁ । ଏହା ମାନବ ସମାଜ ପାଇଁ ପ୍ରକୃତିର ଏକ ବହୁମୁଖୀ ଅବଦାନ । ଶିମିଳିପାଳ ପର୍ବତମାଳାରୁ ବାହାରିଥିବା ଜଳସ୍ରୋତ କେବଳ  ମୟୂରଭଞ ଜିଲ୍ଲାକୁ ଜଳ ଯୋଗାଇ ଆସୁନାହିଁ ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ରାଜ୍ୟର ନଦନଦୀଗୁଡ଼ିକୁ ମଧ୍ୟ ଜଳ ଯୋଗାଇଆସୁଛି । ମୟୂରଭଞ ଓ ବାଲେଶ୍ୱର ସୀମା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀକୁ ଖଡ଼କେଇ ନଦୀ, ବୈତରଣୀ ନଦୀକୁ ଶାଳନ୍ଦୀ ଓ ଦେଓ ନଦୀ ଜଳ ଯୋଗାଉଛି । ଶିମିଳିପାଳର ଜଙ୍ଗଲ ସମ୍ପଦ ନଷ୍ଟ ହୋଇଗଲେ ଏହି ସମସ୍ତ ନଦନଦୀର ଜଳ ଉତ୍ସକୁ ମଧ୍ୟ କ୍ଷତି ପହଂଚାଇବ । ସର୍ବୋପରି ବଙ୍ଗୋପସାଗର ଉପରଦେଇ ପ୍ରବାହିତ ଉତର-ପଶ୍ଚିମ ମୌସୁମୀ ବାୟୁ ଶିମିଳିପାଳ ଅଭୟାରଣ୍ୟରେ ଥିବା ୩ ହଜାର ୮୨୨ଫୁଟ ଉଚ୍ଚ ମେଘାସନୀ ପର୍ବତମାଳାରେ ବାଧାପ୍ରାପ୍ତ ହୋଇ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ମଧ୍ୟପ୍ରଦେଶ ରାଜ୍ୟର କେତେକ ଅଂଚଳରେ ବୃଷ୍ଟିପାତ କରାଇବାରେ ସହାୟକ ହେବା ସହିତ ଶସ୍ୟଶ୍ୟାମଳା କରାଇ ମରୁଡ଼ି ଦାଉରୁ ରକ୍ଷା କରିଥାଏ  । ଶିମିଳିପାଳ ପର୍ବତମାଳାରୁ ସଂଗୃହୀତ ଟିମ୍ବର ଦିନେ ଦକ୍ଷିଣ - ପୂର୍ବ ରେଳପଥର ଆବଶ୍ୟକତାକୁ ପୂରଣ କରୁଥିଲା । କେବଳ ଏତିକି ନୁହେଁ ଏହା ବିଭିନ୍ନ ପ୍ରକାରର ଜଙ୍ଗଲଜାତ ଦ୍ରବ୍ୟର ଗନ୍ତାଘର । ମହୁ, ଝୁଣା, ଲାଖ, ପାଳୁଅ, ବନୋଷଧୀ, ଛାଲି, ଅଁଳା, ହରିଡ଼ା, ବାହାଡ଼ା, ମହୁଆ, ଶାଳମଞି, ଶାଳ ଓ ଶିଆଳି ପତ୍ର, ଚଉତି, ଟସର ଚାଷ ନିମନ୍ତେ  ବିହନ ସହିତ କୋଷ, ମୂଲ୍ୟବାନ କାଠ ଆଦି ଏହି ଜଙ୍ଗଲରୁ ମିଳିଥାଏ । ଶିମିଳିପାଳର ଆଭ୍ୟନ୍ତରୀଣ ଅଂଚଳରେ ରହିଥିବା ନଦୀମାନଙ୍କରେ ଖଜୁରୀଆ ନାମକ ଏକ ପ୍ରଜାତିର ସ୍ୱାଦିଷ୍ଟ ମାଛ ମଧ୍ୟ ମିଳିଥାଏ । ଶିମିଳିପାଳ ଏକ ଆକର୍ଷଣୀୟ ପରିଦର୍ଶନ କେନ୍ଦ୍ର ଭାବରେ ବିଶ୍ୱ ଦରବାରରେ ଖ୍ୟାତି ଲାଭ କରିପାରିଛି । ଏଠାରେ ବ୍ୟାଘ୍ର ସଂରକ୍ଷଣ ଯୋଜନା ଓ ଶିମିଳିପାଳ ଉନ୍ନୟନ ସଂସ୍ଥା ଅଧୀନରେ କେତେଗୁଡ଼ିଏ ସ୍ଥାୟୀ ବଙ୍ଗଳା ରହିଅଛି । ମେଘାସନୀ ଶୃଙ୍ଗର ଆକର୍ଷଣୀୟ ଦୃଶ୍ୟ ସହିତ ସେଠାରେ ଏକ ଡାକ ବଙ୍ଗଳା ଓ ପୋଲିସ ବିଭାଗର ବେତାର କେନ୍ଦ୍ର ରହିଅଛି । 

                  ଏକ ଗବେଷଣାରୁ ଜଣାଯାଏ ଶିମିଳିପାଳ ପର୍ବତମାଳାର ସ୍ଥିତି ସମଗ୍ର ଓଡ଼ିଶାକୁ  ମରୁଭୂମିରେ ପରିଣତ ହେବାରୁ ରକ୍ଷା କରିପାରିଛି । ଓଡ଼ିଶା ରାଜ୍ୟ ପୃଥିବୀର ଯେଉଁ ଅକ୍ଷାଂଶରେ ଅବସ୍ଥିତ ଆଫ୍ରିକା ମହାଦେଶର ସାହାରା ଓ ଭାରତର ରାଜସ୍ଥାନ ମରୁଭୂମି ସେହି ଅକ୍ଷାଂଶରେ ଅବସ୍ଥିତ । ତେଣୁ ଶିମିଳିପାଳ ପର୍ବତମାଳାର ଅବସ୍ଥିତି ପାଇଁ ଓଡ଼ିଶା ଆଫ୍ରିକାର ସାହାରା ଓ ରାଜସ୍ଥାନ ମରୁଭୂମି ହେବାରୁ ରକ୍ଷାପାଇ ପାରିଛି । ତେଣୁ ଏହି ପର୍ବତମାଳାକୁ ସବୁ ସ୍ତରରେ ସୁରକ୍ଷା ଯୋଗାଇ ଦେବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପ୍ରଥମ କର୍ତବ୍ୟ । ସେଥି ପାଇଁ ପର୍ବତରୁ ଗଛ କଟା ବନ୍ଦ କରିବାର ନିଷ୍ପତ୍ତି ସରକାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଏଠାରେ ଜଙ୍ଗଲ ବିଭାଗ ପକ୍ଷରୁ ବୈଜ୍ଞାନିକ ଉନ୍ନତି ନାମରେ ଯେଉଁ ଗଛ କଟା ଚାଲିଥିଲା ତଥା ଅନ୍ୟ ବାବଦରେ ବର୍ଷକୁ ପ୍ରାୟ ୪ ହଜାର କୋଟି ଟଙ୍କା ଆୟ ହେଉଥିଲା । ୨୪/୨୫ ବର୍ଷ ପୂର୍ବରୁ ଏକ କିଲୋମିଟର ଜଙ୍ଗଲରୁ ପ୍ରାୟ ୧୨ ହଜାର ଟଙ୍କା ମିଳୁଥିବା ବିଷୟ ଏକ ସମୀକ୍ଷାରୁ ଜଣାପଡ଼ିଛି । ଭାରତ ବର୍ଷର କେବଳ କେରଳକୁ ଛାଡ଼ି ଦେଲେ ଅନ୍ୟ ରାଜ୍ୟରେ ଏକ ବର୍ଗ କିଲୋମିଟର ପରିମିତ ଜଙ୍ଗଲର ଆୟ ଅପେକ୍ଷା ଶିମିଳିପାଳର ଆୟ ସର୍ବୋଚ୍ଚ ରହିଥିଲା । ୧୯୭୮-୭୯ ମସିହାରେ ପର୍ବତମାଳାର ୨୭୦୦ ବର୍ଗ କି.ମି. ଅଂଚଳ ଶିମିଳିପାଳ ବନ ଉନ୍ନୟନ ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇ ଏଥିରୁ କେବଳ ଟିମ୍ବର ସଂଗ୍ରହ କରାଯିବାର ବ୍ୟବସ୍ଥା ହୋଇଥିଲା । ଯେଉଁ ଢ଼ଙ୍ଗରେ ଗଛ କଟା ଆରମ୍ଭ ହୋଇଥିଲା ତାହା ଚାଲୁ ରହିଥିଲେ ଶିମିଳିପାଳ ଉନ୍ନୟନ ନାମରେ ଏହା ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ସାରିଥାନ୍ତା ଓ ମାନବ ଜାତି ପ୍ରତି ଏହି ପ୍ରକୃତିକ ଜନହିତୈଶୀ ଅବଦାନର ବିଲୟ ହୋଇଯାଇଥାନ୍ତା । ଯୋଜନାଟିର ନାମ ଉନ୍ନୟନ ରଖାଯାଇଥିଲେ ମଧ୍ୟ ଯେଉଁ କେତେ ବର୍ଷ ଶିମିଳିପାଳ ଜଙ୍ଗଲ କର୍ପୋରେସନ ସକ୍ରିୟ ଭାବେ କାର୍ଯ୍ୟ କଲା ସେଥିରେ କେବଳ ଗଛ କଟା ବ୍ୟତୀତ ଉନ୍ନୟନ କାର୍ଯ୍ୟ ଭାବରେ ଯେତିକି ଗଛ କଟାଗଲା ସେତିକି ପରିମାଣରେ ଆପାତତଃ ନୂତନ ଗଛ ରୋପଣ କରାଯାଇ ପାରିଲା ନାହିଁ  । ତେଣୁ ଉକ୍ତ ଯୋଜନାରେ ଶିମିଳିପାଳରୁ ଗଛ କଟାକୁ ବିରୋଧ କରି ମୟୂରଭଞରେ ଆନେ୍ଦାଳନ ଆରମ୍ଭ ହେଲା । ଏହି ପ୍ରକଳ୍ପ ପାଇଁ ତକ୍ରାଳୀନ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଯେଉଁ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିଥିଲେ ସେ ନିଜେ ଶିମିଳିପାଳ ନ ଯାଇ ସେହି ସମୟର ଜଙ୍ଗଲ ବିଭାଗର ତଥାକଥିତ ବିଶେଷଜ୍ଞଙ୍କ ଅଭିସନ୍ଧି ପୂରଣ ପାଇଁ ଶିମିଳିପାଳରେ ଭଲ ଶାଳ ଗଛ ନାହିଁ । କେବଳ କେତେକ ଅକର୍ମଣ୍ୟ ଫମ୍ପା ଓ ଋଗ୍ଣ ଗଛ ଗୁଡ଼ାଏ ରହିଛି ; ତେଣୁ ଏହାକୁ ସଫା କରାଯାଇ ଆକାଶିଆ ଗଛ ଲଗାଇବାକୁ ପ୍ରସ୍ତାବ ଦେଇଥିଲେ । 

                   ସରକାରଙ୍କ ପକ୍ଷରୁ ଗଛ କଟା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଥିଲେ ମଧ୍ୟ ଚୋରାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବାରିପଦା ତଥା ଶିମିଳିପାଳ ପାଦ ଦେଶ ଅଂଚଳର କେତେକ ବ୍ୟବସାୟୀ ବହୁ ପରିମାଣରେ କାଠ ଜିଲ୍ଲା ମଧ୍ୟରେ ତଥା ଜିଲା ବାହାରକୁ ଚାଲାଣ କରୁଛନ୍ତି । ଶହ ଶହ ସଂଖ୍ୟାରେ ଲୋକମାନେ ଶିମିଳିପାଳ ମଧ୍ୟରୁ ବହୁ ମୂଲ୍ୟବାନ ଗଛକୁ କାଟି ବାରିପଦା ସହର ସହିତ ବିଭିନ୍ନ ସ୍ଥାନରେ ରହିଥିବା ଚୋରା କାଠ ବ୍ୟବସାୟ କେନ୍ଦ୍ରରେ ବିକ୍ରି କରୁଛନ୍ତି । କିଛି ଅସାଧୁ ଜଙ୍ଗଲ ବିଭାଗର କର୍ମଚାରୀଙ୍କ ସହାୟତା ତଥା ଜ୍ଞାତ ସାରରେ ଏହି ଚୋରା ବ୍ୟବସାୟ ଚାଲି ଆସୁଛି । ବନ୍ୟ ଜନ୍ତୁମାନଙ୍କ ଦାନ୍ତ, ଚମଡ଼ା,  ଶିଙ୍ଗ, ମାଂସ, ସାପ, ଚେଢ଼ଇ, ବାଘୁଆ ବୁଢ଼ିଆଣି, ପୋହଳା ଏଣ୍ଡୁଅ ଓ ବଜ୍ରକାପ୍ତା ଚୋରା ଚାଲାଣ ଜାରି ରହିଅଛି । ଶିମିଳିପାଳ ଜଙ୍ଗଲ ବିଭାଗ, ବ୍ୟାଘ୍ର ସଂରକ୍ଷଣ ବିଭାଗ ଓ ନିଗମ ଏହିପରି ୩ ପ୍ରକାରର ଶାସନାଧୀନରେ ରହିଆସିଥିବାରୁ ତିନି ବିଭାଗର କର୍ମଚାରୀମାନେ ଜଙ୍ଗଲ କ୍ଷୟ ଓ ଚୋରା ବ୍ୟବସାୟ ପାଇଁ ଜଣେ ଅନ୍ୟ ଜଣଙ୍କୁ ଦାୟୀ କରିବାରେ ଯେତିକି ତତ୍ପର ମାତ୍ର ସୁରକ୍ଷା ପାଇଁ ତିଳେ ମାତ୍ର ଚେଷ୍ଟିତ ରହିଥିବାର ପରିଲକ୍ଷିତ ହୁଏ ନାହିଁ । 

                       ଶିମିଳିପାଳ ପର୍ବତମାଳା ଓଡ଼ିଶାକୁ ଏକ ଅବସମ୍ଭାବୀ ମରୁଭୂମିରୁ କାଳକାଳ ଧରି ରକ୍ଷା କରି ଆସିଥିବାର ଜ୍ୱଳନ୍ତ ପ୍ରମାଣ ରହିଥିଲେ ମଧ୍ୟ କ୍ଷୋଭ ଓ ପରିତାପର ବିଷୟ ଓଡ଼ିଶାର ସମସ୍ତ କଂଗ୍ରେସ ଓ ଅଣକଂଗ୍ରେସ ସରକାର ଦିନେ ହେଲେ ଏହି ଐତିହାସିକ ପର୍ବତମାଳାର ଗୁରୁତ୍ୱକୁ ଅନୁଭବ କରିପାରି ନାହାନ୍ତି । ବରଂ ବିପଦଜନକ ଦ୍ରୁତ କ୍ଷୟ ସାଧନରେ ପ୍ରକାରାନ୍ତରେ ସହାୟକ ହୋଇଛନ୍ତି । ବହୁ ଦିନ ଧରି ଶିମିଳିପାଳ ଉପରେ ଅତ୍ୟାଚାର ଚଳାଇ ଆସୁଥିଲେ ମଧ୍ୟ ଏହାର ଐଶ୍ୱରୀକ ଦାନ ପ୍ରାକୃତିକ ସମ୍ପଦକୁ ପ୍ରକୃତି ଧ୍ୱଂସକାରୀ ରାକ୍ଷସମାନଙ୍କ କବଳରୁ ରକ୍ଷା କରି ମାନବ ଜାତିର କଲ୍ୟାଣ ନିମନ୍ତେ ସାଇତି ରଖିଛି । ଭାରତର ପୂର୍ବତନ ଉଦ୍ଭିଦ ବିଶେଷଜ୍ଞ ଡଃ ଗୋପୀନାଥ ପାଣିଗ୍ରାହୀଙ୍କ ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡେ଼ ଓଡ଼ିଶାରେ ଦେଖାଯାଉଥିବା ପ୍ରାୟ ୩ ହଜାର ପ୍ରକାରର ବୃକ୍ଷ ମଧ୍ୟରୁ ଶିମିଳିପାଳ ପର୍ବତମାଳାରେ କେବଳ ୧୨ ଶହ ପ୍ରକାରର ବୃକ୍ଷ ରହିଅଛି । ଶରତ ଚନ୍ଦ୍ର ମିଶ୍ର ନାମକ ଅନ୍ୟ ଏକ ବିଶେଷଜ୍ଞଙ୍କ ଅନୁସନ୍ଧାନରୁ ଜଣାଯାଏ ବର୍ତମାନ ସୁଦ୍ଧା ଆବିଷ୍କାର ହୋଇପାରିଥିବା ୧୨୩ ପ୍ରକାରର ମଦାଙ୍ଗ(ଆର୍କଡ଼ି)ବା ଚିତ୍ରା ମଧ୍ୟରୁ ଶିମିଳିପାଳ ପର୍ବତରେ ୯୩ ପ୍ରକାରର ମଦାଙ୍ଗ ରହିଅଛି । ପୁଣି ମେଘାସନୀରେ ଦେଖାଯାଉଥିବା ମଦାଙ୍ଗ ଅନ୍ୟ କୌଣସି ଅଂଚଳରେ ଦେଖିବାକୁ ମିଳି ନଥାଏ । ଏହା ବ୍ୟତୀତ ୧୫୦ ପ୍ରକାରର ବନ ଔଷଧୀ ରହିଥିବାର ଜଣାପଡ଼ିଛି । ଐତିହାସିକ ଓ ପ୍ରତ୍ନତତ୍ୱ ବିଶାରଦଙ୍କ ମତରୁ ଜଣାଯାଏ ଶିମିଳିପାଳ ପର୍ବତମାଳା ଦକ୍ଷିଣ ଭାରତର ପୁରାଣ ପ୍ରସିଦ୍ଧ ଓ ଐତିହାସିକ ଗଣ୍ଡୱାନା ଉପତ୍ୟକାର ଶ୍ରେଣୀଭୂକ୍ତ । ତେଣୁ ଏହାର ବୟସ ୧୨୦୦ ନିୟୁତ ବର୍ଷରୁ ଅଧିକ ବୋଲି ଅନୁମାନ କରାଯାଇଛି । 

                       ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବାରିପଦା ବିଧାୟକ ସ୍ୱର୍ଗତ ପ୍ରସନ୍ନ ଦାଶଙ୍କ ପକ୍ଷରୁ ବିଧାନସଭାରେ ଶିମିଳିପାଳର ସୁରକ୍ଷା ନିମନ୍ତେ ବାରମ୍ବାର ଦାବି ଉପସ୍ଥାପନ ଫଳରେ ଗତ ୧୯୯୪ ମସିହା ଜୁନ ୨୨ ତାରିଖରେ ମିଳିତ ଜାତି ସଂଘର ପରିବେଶ ସୁରକ୍ଷା ବିଭାଗ ପକ୍ଷରୁ ଶିମିଳିପାଳକୁ ଏକ ଜୈବମଣ୍ଡଳ ଭାବରେ ଘୋଷଣା କରିଥିଲେ ।   ଏହା ପରେ ପରେ ଶିମିଳିପାଳର ସୁରକ୍ଷା କ୍ଷେତ୍ରରେ କେତେକ ପରିବର୍ତ୍ତନ ଆସି ପାରିଲା ଓ କାଗଜ କଲମରେ ସବୁ କିଛି ଠିକ୍ ଠାକ୍ ଚାଲିଥିବା ବେଳେ ଶିମିଳିପାଳ  ପ୍ରାକୃତି ସମ୍ପଦ ସହିତ ଏହା ମଧ୍ୟରେ ବସବାସ କରୁଥିବା ବନ୍ୟ ପ୍ରାଣୀମାନଙ୍କ ପ୍ରତି ଘୋର ବିପତ୍ତି ମାଡ଼ି ଆସିଛି ।  ଅବାଧରେ ଜଙ୍ଗଲ ଧ୍ୱଂସ ସହିତ ଜୀବଜନ୍ତୁ ଶିକାର ଚାଲିଛି ।  ଶିମିଳିପାଳ ଏକ ଜୈବ ମଣ୍ଡଳର ମାନ୍ୟତା ହାସଲ କରିଥିଲେ ମଧ୍ୟ ଜୈବମଣ୍ଡଳର ନୀତି ନିୟମ ଏଠାରେ ଦେଖିବାକୁ ମିଳି ନଥାଏ । ଶିମିଳିପାଳ ମଧ୍ୟରେ ପ୍ରାୟ ୬୫ ଗୋଟି ଗ୍ରାମରେ ୧୫ ହଜାରୁ ଅଧିକ ଜନତା ବସବାସ କରୁଛନ୍ତି । ଦୈନିକ ହଜାର ହଜାର ସଂଖ୍ୟାରେ  ଲୋକ ବିଭିନ୍ନ କାରଣରୁ ଶିମିଳିପାଳ ମଧ୍ୟକୁ ପ୍ରବେଶ କରୁଛନ୍ତି । 

                       ପ୍ରତ୍ୟେକ ଜୀବଜନ୍ତୁ ତଥା ମଣିଷର ଆବଶ୍ୟକତା ପୂରଣ ପାଇଁ ପୃଥିବୀ ଯଥେଷ୍ଟ ସମ୍ପଦ ସାଇତି ରଖିଛି । କିନ୍ତୁ କାହାରି ସମସ୍ତ ଲୋଭ ପୂରଣ କରିବା ନିମନ୍ତେ ନୁହେଁ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଷ୍ଟକହୋମଠାରେ ଆନ୍ତର୍ଜାତିକ  ସମ୍ମିଳନୀରେ କହିଥିଲେ, ମଣିଷ ଯଦି ପ୍ରକୃତ ମଣିଷ ହେବାକୁ ଚାହେଁ, ତେବେ ସେ ନିଜର ଭାଇ, ବନ୍ଧୁ ତଥା ମିତ୍ରମାନଙ୍କୁ ଯେଉଁ ଆଖିରେ ଦେଖେ ସମସ୍ତ ପ୍ରକୃତି ତଥା ବୃକ୍ଷଲତା ଓ ପରିବେଶକୁ ସେହିଭଳି ମଣିଷର ଭାଇ, ବନ୍ଧୁ ଓ କୁଟୁମ୍ବ ଭଳି ଦେଖିବା ଉଚିତ୍ । ମଣିଷ ବା ଆମେ ଯେଉଁ ପ୍ରକୃତିର କୋଳରେ ଜନ୍ମ ନେଇ ବଂଚି ରହିଛୁ, ଖେଳିଛୁ ଓ ବଢ଼ିଛୁ ସେହି ପରିବେଶ ହିଁ ଆମର ସବୁଠାରୁ ବଡ଼ ମିତ୍ର । ସୃଷ୍ଟି ଭଗବାନଙ୍କର । ପରିବେଶ ସୁରକ୍ଷିତ ରହିଲେ ସୃଷ୍ଟି ସୁରକ୍ଷିତ ରହିବ । ଏହାହିଁ ଭଗବାନଙ୍କର ଇଚ୍ଛା । ମଣିଷ ଯଦି ପ୍ରକୃତିକୁ ମିତ୍ର ରୂପରେ ଗ୍ରହଣ କରିପାରିବ ତେବେ ଅନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ନିଜର ମିତ୍ର ଭାବରେ ଗ୍ରହଣ କରିବ । ଏହି ସଚେତନତା ମଣିଷ ମଧ୍ୟରେ ସୃଷ୍ଟି ହୋଇ ପାରିଲେ ମଣିଷ ଭଗବାନଙ୍କର ଆଶୀର୍ବାଦ ଲାଭ କରିପାରିବ ଓ ସୃଷ୍ଟି ମଧ୍ୟ ସୁରକ୍ଷିତ ରହିପାରିବ । 

 

 

0
0
0
s2sdefault