ହେଡଲାଇନସ୍:

ଶିମିଳିପାଳର ନିଆଁ: ଏଠି ସେଠି ସବୁଠି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ପିସିସିଏଫ

  • ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଶିମିଳିପାଳ ନିଆଁ

  • ପୂର୍ବଦିନ ତୁଳନାରେ ନିଆଁ କମିଥିବା ସୂଚନା ଦେଲେ 

  • ବାରିପଦାରେ ବସି ଜଙ୍ଗଲ ନିଆଁକୁ ଆୟତ କରୁଛନ୍ତି ଏସ୍ଟିଆର କର୍ତ୍ତୃପକ୍ଷ

ବାରିପଦା,(ଦିଲ୍ଲୀପ ମହାନ୍ତି): - ଶିମିଳିପାଳରେ ଲାଗିଥିବା ନିଆଁର ତାତି କିନ୍ତୁ ଏବେ ସବୁଠି ଅନୁଭୁତ ହେଉଛି। ମୟୂରଭଞ୍ଜରେ ଗ୍ରୀଷ୍ମର ତାତି ଯେତେ ବଢ଼ୁଛି ଶିମିଳିପାଳ ଏବଂ ଜିଲ୍ଲାର ଅନ୍ୟାନ୍ୟ ବନାଞ୍ଚଳରେ ଲାଗିଥିବା ନିଆଁର ତାତି ମଧ୍ୟ ଏହାଠାରୁ ଅଧିକ ପରିମାଣରେ କାଟୁଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଉଦ୍ବେଗ ପ୍ରକାଶ କରିବା ସହିତ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଲା ପରେ ଏହି ବନାଗ୍ନିର ବହ୍ନି ସବୁଠି ପଡ଼ିଛି। ଏପରିକି ଏହି ବନାଗ୍ନି ସୋସିଆଲ୍ ମିଡିଆରେ ମଧ୍ୟ ଟ୍ରେଣ୍ଡ୍ ହେବାରେ ଲାଗିଛି। ଫେସବୁକରୁ ଆରମ୍ଭ କରି ଟୁଇଟର୍ ପର୍ଯ୍ୟନ୍ତ ସବୁଠି ଏହି ପ୍ରସଙ୍ଗ ଭାଇରାଲ୍ ହେବାରେ ଲାଗିଛି। ଏପରି ଅବସ୍ଥାରେ ଆଜି ପିସିସିଏଫ ଶଶୀ ପଲ ମୟୂରଭଞ୍ଜ ଗସ୍ତ କରିଛନ୍ତି। ଠାକୁରମୁଣ୍ଡା, ପୋଡ଼ାଡ଼ିହା ଆଦି ବନାଗ୍ନି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହିତ ବିଭାଗୀୟ ଅଧିକାରୀଙ୍କ ଆଲୋଚନା କରିଛନ୍ତି। ଏହି ଅବସରରେ କୋର୍ ଏରିଆରେ କିପରି ନିଆଁ ନଲାଗିବ ଏବଂ ଲାଗିଥିବା ନିଆଁକୁ ଆୟତ କରାଯିବ ସନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ। କୋର୍ ଏରିଆରେ ରହୁଥିବା ଜୀବଜନ୍ତୁଙ୍କ ସୁରକ୍ଷା ନେଇ ମଧ୍ୟ ସମସ୍ତେ ଯତ୍ନବାନ ଅଛନ୍ତି। ଶିମିଳିପାଳକୁ ନିଆଁ ଦାଉରୁ ରକ୍ଷା କରିବାକୁ ସବୁପ୍ରକାର ବନ୍ଦୋବସ୍ତ ହୋଇଥିବା କହିଛନ୍ତି ଶ୍ରୀ ପଲ୍। ଫାୟାର୍ ପଏଣ୍ଟ୍ ଚିହ୍ନଟ କରାଯିବା ସହିତ ଫାୟାର୍ ଲାଇନ୍ କଟାଯାଇଛି। ଗାଁ ଲୋକଙ୍କ ସହିତ ମିଶିକି କାମ ହେଉଛି। ତଥାପି କାହିଁକି ଏହି ବ୍ୟବସ୍ଥା ସବୁ କାର୍ଯ୍ୟକାରୀ ହେଲାନାହିଁ, କଣ ପାଇଁ ନିଆଁ ବଢ଼ୁଛି ସେନେଇ ତଦନ୍ତ ଜାରି ରହିଛି। ସେହିପରି ଅନ୍ୟାନ୍ୟ ଅଞ୍ଚଳରେ ଯେଉଁଠି ନିଆଁ ଲାଗିବାର ଆଶଙ୍କା ରହିଛି, ସେଠି କିପରି ନିଆଁ ନଲାଗିବ ସେନେଇ ବ୍ୟବସ୍ଥା କରିବାକୁ ପିସିସିଏଫ୍ ଶ୍ରୀ ପଲ୍ ସମୀକ୍ଷା କରିଛନ୍ତି। ନିଆଁକୁ ଆୟତ କରିବାରେ କର୍ମଚାରୀ ଅଭାବ ବିଷୟକୁ ନେଇ ଶ୍ରୀ ପଲ୍ଙ୍କ ମତ ଅନୁଯାୟୀ ଶିମିଳିପାଳରେ ପ୍ରୋଟେକ୍ସନ୍ ଆସିଷ୍ଟାଣ୍ଟ୍ ଯଥେଷ୍ଟ ସଂଖ୍ୟାରେ ଅଛନ୍ତି। ତଥାପି ଏହି ସଂଖ୍ୟା ବଢ଼ାଇବାକୁ ଆହୁରି ସମୟ ଲାଗିବ। ଯେତେଶୀଘ୍ର ହୋଇପାରିବ ନିଆଁକୁ ଆୟତ କରାଯିବ। ତେବେ ପୂର୍ବଦିନ ତୁଳନାରେ ନିଆଁ କମିଥିବା ପିସିସିଏଫ୍ ସୂଚନା ଦେଇଛନ୍ତି। ସାଟେଲାଇଟ୍ ଚିତ୍ରରୁ କରଞ୍ଜିଆ ଆଦି ୩ଟି ପଏଣ୍ଟ୍ରେ ନିଆଁ ଲାଗିଥିବା ଶ୍ରୀ ପଲ୍ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ପୂର୍ବରୁ ଫାୟାର୍ ପଏଣ୍ଟ୍ ସ୍ଥିର ହୋଇଥିଲା ଏବଂ ଫାୟାର୍ ଲାଇନ୍ କଟାଯାଇଥିଲା, ତେବେ ଏହା କାର୍ଯ୍ୟକାରୀ ହୋଇପାରିଲାନି କାହିଁକି। କେଉଁଠି ଅସୁବିଧା ରହିଲା। ବାରିପଦାରେ ବସି ଏସ୍ଟିଆର ଉପନିର୍ଦ୍ଦେଶକ ନିଆଁକୁ ଆୟତ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। କେବେ ମଧ୍ୟ ଗ୍ରାଉଣ୍ଡ୍ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ନରହି, ଏସି ଚାମ୍ବର୍ରେ ବସି ଶିମିଳିପାଳରେ ନିଆଁ ଆୟତରେ ଥିବା ବାରିପଦା ଏସ୍ଟିଆର ଉପନିର୍ଦ୍ଦେଶକ ଗାଲୁଆମି କରୁଥିବା ଭଞ୍ଜସେନା ଉପାଧ୍ୟକ୍ଷ ନିମାଁଇ ତ୍ରିପାଠୀ ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ବାରିପଦା ଏସ୍ଟିଆର ଯଜ୍ଞଦତ୍ତ ପତି ନିଜ ଟୁଇଟର୍ ଆକାଉଣ୍ଟ୍ରେ ବାରିପଦାର ତାପମାତ୍ରା ଅଧିକ ଥିବା ଏକ ତଥ୍ୟାତ୍ମକ ଚିତ୍ର ପୋଷ୍ଟ କରିଛନ୍ତି। ଏହାର ଅର୍ଥ ପରୋକ୍ଷରେ ଶ୍ରୀ ପତି ଦର୍ଶାଇବାକୁ ଚାହୁଁଛନ୍ତି ଯେ ଅତ୍ୟଧିକ ତାପମାତ୍ର ବନାଗ୍ନିର କାରଣ। ହେଲେ ସେ କଣ ଏନେଇ ପ୍ରସ୍ତୁତ ନଥିଲେ ବୋଲି ଶ୍ରୀ ତ୍ରିପାଠୀ କଟାକ୍ଷ କରିଛନ୍ତି। କ୍ଷେତ୍ରକୁ ନଯାଇ ବାସ୍ତବ ଚିତ୍ର ନପରଖି କୋଟି କୋଟି ଟଙ୍କା ଅକାରଣରେ ଖର୍ଚ୍ଚ କରୁଥିବା ଅଧିକାରୀମାନେ ଅଯଥା ମିଛ କହିବାରୁ କ୍ଷାନ୍ତ ରୁହନ୍ତୁ ବୋଲି ଯୁବନେତା ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ଭଞ୍ଜବଂଶର ଦାୟଦ ତଥା ଯୁବଉଦ୍ୟୋଗୀ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ ଶିମିଳିପାଳରେ ନିଆଁକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ବେଗ ପ୍ରକାଶ କରିଥିଲେ। କିଛି ସମୟ ମଧ୍ୟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଦେକର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। 

 

0
0
0
s2sdefault