ହେଡଲାଇନସ୍:

ପ୍ରଶାସନ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୩ ତାରିଖଠାରୁ  ରାଜପଥ ଅବରୋଧ କରିବା ସହ ହଜାର ହଜାର ଧାନ ବସ୍ତା ରାସ୍ତା ଉପରେ ରଖିଥିଲେ ।

ଝାରସୁଗୁଡ଼ା :(ସୁଭାଷ ସହାରେ) - ଝାରସୁଗୁଡା ଜିଲ୍ଲାର ସୀମାନ୍ତବର୍ତ୍ତି ଚାଷୀ ଚଳିତ ବର୍ଷ ଧାନମଣ୍ଡିର ଅବ୍ୟବସ୍ଥା ସହ ଧାନ କିଣାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା କୁ ନେଇ ଛତିଶଗଡ଼ ସୀମାନ୍ତ କନକତୋରା ରେ  ଚାଷୀଙ୍କ ଆନ୍ଦୋଳନ ଶନିବାର ପଞ୍ଚମ ଦିନରେ ପହଞ୍ଚିଥିବା ପରେ ଜିଲ୍ଲା ପ୍ରଶାସନ ର ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ରୁ ଓହରିଲେ ଚାଷୀ। ଚଳିତ ଖରିଫ ରେ ଧାନ ବିକ୍ରି କରିବାକୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଉପାନ୍ତ ଅଞ୍ଚଳର ରେମତା, ଚାରପାଲି ଓ କନକ ତୋରା ସମବାୟ ସମିତିର ଚାଷୀ ଗତ ଗତ ୨୩ ତାରିଖଠାରୁ  ରାଜପଥ ଅବରୋଧ କରିବା ସହ ହଜାର ହଜାର ଧାନ ବସ୍ତା ରାସ୍ତା ଉପରେ ରଖିଥିଲେ । ଲ୍ୟାପ୍‌ ହୋଇଥିବା ଟୋକକୁ ପୁନଃ କାର୍ଯ୍ୟକ୍ଷମ କରିବା, ପଞ୍ଜିକୃତ ଚାଷୀଙ୍କ ଧାନକ୍ରୟ ସହିତ ଅଯଥାରେ କଟନି ଛଟନି ବନ୍ଦ ଦାବି ନେଇ ଲିଖିତ ପ୍ରତିଶୁତି ଦେବାକୁ ଚାଷୀମାନେ ଦାବି କରିଥିଲେ ।ଏ ନେଇ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଅବଗତ କରିବା ସତ୍ତ୍ୱେ ଅଞ୍ଚଳର ଚାଷୀଙ୍କ ସମସ୍ୟା ସମାଧାନ କରିବାରେ ପ୍ରଶାସନ ବିଫଳ ହେବାରୁ ବାଧ୍ୟ ହୋଇ ଏପରି ପଦକ୍ଷେପ ନେଇଥିବା ଚାଷୀମାନେ କହିଥିଲେ । ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ,  ଅତିରିକ୍ତ ଯୋଗାଣ ଅଧିକାରୀ ରଘୁନାଥ ପାତ୍ର, ଏଆରସିଏସ ମୋହନ ଚନ୍ଦ୍ର ପ୍ରଧାନ ଏବଂ ରେଙ୍ଗାଲି ଥାନାଧିକାରୀ ସାରଙ୍ଗଧର ପାଣିଗ୍ରାହୀ ଆନ୍ଦୋଳନ ସ୍ଥଳକୁ ଆସି ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଥିବା ସମସ୍ତ ଚାଷୀ ଙ୍କ ଧାନକୁ ସରକାରଙ୍କ ନୀତିନିୟମ ଅନୁଯାୟୀ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କ୍ରୟ କରିବା ସହିତ ଅକାମି ହୋଇଥିବା ସବୁ ଟୋକନ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ ରାଜରାସ୍ତା ଉପରେ ଥିବା ଧାନବସ୍ତା ଗୁଡିକୁ ନିଜସ୍ୱ ସମବାୟ ସମିତି ମାଧ୍ୟମରେ ତିନିଦିନ ଭିତରେ ଉଠାଣ ପାଇଁ ତାର ସୁବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ତରଫରୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଚାଷୀ ମାନେ  ଶନିବାର  ଆନ୍ଦୋଳନକୁ ପ୍ରତ୍ୟାହୃତ କରିଥିଲେ ।ଜିଲ୍ଲାର ଚାଷୀ ଙ୍କୁ ଆବଶ୍ୟକ ଟୋକନ ମିଳି ନଥିବା ଓ ଜିଲ୍ଲା ରେ ଟାର୍ଗେଟ ର ଅଭାବ କାରଣରୁ ଧାନ ବିକ୍ରି କରି ପାରୁନାହାନ୍ତି ଚାଷୀ। ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାରେ ଗତ ୨୫ ନଭେମ୍ବର ରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଅନେକ ପ୍ୟାକ୍ସ ରେ ସମସ୍ୟା ଲାଗି ରହୁଛି । ଚଳିତ ବର୍ଷ  ଜିଲ୍ଲାରେ ୧୮ ହଜାର ୫୧୭ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଥିବା ବେଳେ ୨୭ ଫେବୃଆରୀ ସୁଦ୍ଧା ମାତ୍ର ୧୪ ହଜାର ୬୧୧ ଜଣ ଚାଷୀ ୮ ଲକ୍ଷ ୫୪ ହଜାର କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି ।

0
0
0
s2sdefault