ହେଡଲାଇନସ୍:

 ଧନ୍ୟ ଏ ପ୍ରଶାସନ : ବିଲ ଚୁଆ ପାଣି ପିଇ କଟୁଛି ଜୀବନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଏବେ ମଧ୍ୟ ଅବହେଳିତ । ବିଜେଡ଼ିର ଗାଁର ବିକାଶରେ ରାଜ୍ୟର ବିକାଶ ନାରା ସହ ସମସ୍ତ ଗ୍ରାମକୁ ପାଇପ ପାଣି ଏବଂ ବିଜେପିର ନବ ଭାରତ ନିର୍ମାଣ ମୟୂରଭଞ୍ଜରୁ ଆରମ୍ଭ ଘୋଷଣାର କୌଣସି ଛାପ ଦେଖିବାକୁ ମିଳୁ ନାହିଁ ମୟୂରଭଞ୍ଜ ଜିଲ୍ଲାରେ । ଜିଲ୍ଲାବାସୀଙ୍କୁ ମିଳିପାରୁ ନାହିଁ ମୌଳିକ ସୁବିଧା । ସରକାରଙ୍କ ଜନହିତକର ଯୋଜନାରୁ ବଞ୍ଚିତ ହେଉଛନ୍ତି ଜନସାଧାରଣ । ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନ ଚନ୍ଦନପୁର ପଞ୍ଚାୟତର ବାହାଦୂରପୁର ଗ୍ରାମ ରାଜଭାଡ଼ି ସାହିରେ । ଉକ୍ତ ଗ୍ରାମରେ ବସବାସ କରୁଥିବା ପ୍ରାୟ ୨୦ ପରିବାରର ଶତାଧିକ ସଦସ୍ୟମାନଙ୍କୁ ସରକାର ସେମାନଙ୍କର ମୌଳିକ ଅଧିକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇ ପାରି ନାହାନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗ୍ରାମରେ ଏକ ସରକାରୀ ନଳକୂପ ରହିଥିଲେ ମଧ୍ୟ ସେଥିରୁ ବର୍ଷ ସାରା ଲାଲ ରଙ୍ଗର ଆଇରନଯୁକ୍ତ ପାଣି ବାହାରୁ ଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ । ଉକ୍ତ ନଳକୂପକୁ ବାଦ ଦେଲେ ଦ୍ୱିତୀୟ ବିକଳ୍ପ ନ ଥିବା ସହ ପାଖଆଖରେ କୌଣସି ନଳକୂପ ନ ଥିବା କାରଣରୁ ବିଲରେ ରହିଥିବା ଚୁଆ ପାଣି ପିଇ ବଞ୍ଚି ରହିଛନ୍ତି । ବର୍ଷା ଋତୁରେ କୃଷି କାର୍ଯ୍ୟ ନିମନ୍ତେ  ଜମିରେ ବ୍ୟବହାର କରାଯାଉଥିବା ରାସାୟନିକ ସାର, କୀଟନାଶକ ଆଦି ସିଧାସଳଖ  ଭାବେ ପ୍ରବାହିତ ହୋଇ ଉକ୍ତ ଚୁଆ ପାଣିରେ ମିଶୁଛି । ଫଳରେ ଜନସାଧାରଣ ଚୁଆର ପାଣିକୁ ବ୍ୟବହାର କରି ବିଭିନ୍ନ ସମୟରେ ରୋଗଗ୍ରସ୍ତ ହେଉଥିବାର ଅଭିଯୋଗ କରିବା ସାଙ୍ଗକୁ ଏବାବଦରେ ବାଙ୍ଗିରିପୋଷି ବିଡ଼ିଓ ଓ ଚନ୍ଦନପୁର ସରପଞ୍ଚଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ ବୋଲି କହିଛନ୍ତି । ବାହାଦୂରପୁର ଗ୍ରାମର ବୁଧୁରାୟ ମାର୍ଣ୍ଡିଙ୍କ କହିବା ଅନୁସାରେ ଗ୍ରାମରେ ଗୋଟାଏ ସରକାରୀ ନଳକୂପ ରହିଥିବା ବେଳେ ସ୍କୁଲରେ ଗୋଟାଏ ନଳକୂପ ରହିଥିବା ବେଳେ ସ୍କୁଲ ପଛରେ ଏକ କୂପ ରହିଛି । ନଳକୂପ ଓ କୂପର ପାଣି ପିଇବା ଉପଯୋଗୀ ନୁହେଁ । ପୁଣି ଗ୍ରୀଷ୍ମ ଋତୁ ଆସିଲେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ବାରମ୍ବାର ଅଭିଯୋଗ କରିବା ପରେ ଅନ୍ୟ ଗୋଟାଏ ନଳକୂପ ବସାଇବାର କେବଳ ଆଶ୍ୱାସନା ମିଳୁଥିବା ବେଳେ କାର୍ଯ୍ୟରେ ପରିଣତ ହୋଇ ପାରୁନାହିଁ ବୋଲି କହିଥିଲେ । ଏବିଷୟରେ ବାଙ୍ଗିରିପୋଷି ବିଡ଼ିଓ ରାମଦାସ ଟୁଡ଼ୁ ଛୁଟିରେ ରହିଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । 

 

0
0
0
s2sdefault