ହେଡଲାଇନସ୍:

ସଙ୍ଗରୋଧ କେନ୍ଦ୍ରରେ ପ୍ରସୂତୀଙ୍କୁ ଅବହେଳା ପ୍ରସଙ୍ଗ: ମାନବାଧିକାର କମିଶନରେ ମାମଲା ରୁଜୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚିକିତ୍ସା ସେବା ନପାଇ ଦୁଇ ମୃତ ଶିଶୁପୁତ୍ର ଜନ୍ମ ଦେଇଥିଲେ କୁନି

ବାଲେଶ୍ବର ହସ୍ପିଟାଲ, ରାସଗୋବିନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ରାସଗୋବିନ୍ଦପୁର ବିଡିଓଙ୍କ ଅବହେଳାକୁ ନେଇ ମାମଲା ଦାୟର  

ବାରିପଦା(ଦିଲ୍ଲୀପ ମହାନ୍ତି) : ଗୁଜୁରାଟର ଏକ ଗ୍ରୀନ ଜୋନ  ଅଞ୍ଚଳରୁ ଆସିଥିଲେ ମଧ୍ୟ ୨୪ ଘଣ୍ଟା ପର୍ଯ୍ୟନ୍ତ ପାଇନଥିଲେ ସ୍ବାସ୍ଥ୍ୟସେବା ପାଇନଥିଲେ ପ୍ରସବ ଯନ୍ତ୍ରଣାରେ ପୀଡ଼ିତା ମହିଳା। ଚିକିତ୍ସାରେ ବିଳମ୍ବ କାରଣରୁ ଦୁଇ ମୃତ ଶିଶୁପୁତ୍ରକୁ ଜନ୍ମଦେଇଥିଲେ ରାସଗୋବିନ୍ଦପୁର ବ୍ଲକ୍ ଅମର୍ଦ୍ଦା ଗ୍ରାମପଞ୍ଚାୟତ ଅର୍ନ୍ତଗତ ଚିର୍କୁଣିପଦା ଗାଁ’ର ରବୀନ୍ଦ୍ର ବେହେରା(୩୦)ଙ୍କ ପତ୍ନୀ କୁନୀ ବେହେରା(୨୨)। ଏହି ଘଟଣାରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲ, ରାସଗୋବିନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ରାସଗୋବିନ୍ଦପୁର ବିଡିଓଙ୍କ ଅବହେଳା କରିଥିବା ଅଭିଯୋଗ କରି ରାଜ୍ୟ ମାନବାଧିକାର କମିଶନରେ ଏକ ମାମଲା ରୁଜୁ ହୋଇଛି। ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓଏସଏସଏ)ର ମୟୂରଭଞ୍ଜ ଜିଲ୍ଲା ଆବାହକ ତଥା ସୂଚନାଅଧିକାର କର୍ମୀ ସନ୍ତୋଷ ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି। ଶ୍ରୀ ମହାନ୍ତିଙ୍କର ଏହି ଅଭିଯୋଗକୁ କମିଶନ ଗ୍ରହଣ କରିବା ସହିତ ଡାଏରୀ ନମ୍ବର ୧୧୪/ଆଇଏନ/୨୦୨୦ ମୂଳେ ଏକ ମାମଲା ରୁଜୁ କରିଛନ୍ତି। ଶ୍ରୀ ମହାନ୍ତି କୁନୀ’ଙ୍କର ଚିକିତ୍ସାଜନିତ ଅବହେଳା ନିମନ୍ତେ ରାସଗୋବିନ୍ଦପୁର ବିଡିଓ ଅରୁଣ କୁମାର ଖଣ୍ଡା, ରାସଗୋବିନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବାଲେଶ୍ବର ଜିଲ୍ଲା ହସ୍ପିଟାଲ ଦାୟୀ ବୋଲି ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ଗୁଜୁରାଟର ମୁର୍ବୀରେ ଏକ ଟାଇଲ୍ କାରଖାନାରେ କାମ କରୁଥିବା ରବୀନ୍ଦ୍ର ତାଙ୍କ ପତ୍ନୀ କୁନୀଙ୍କ ସହିତ ଚଳିତ ମାସ ୧୮ ତାରିଖରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ରେ ଆସି ବାଲେଶ୍ବରରେ ଦିନ ପ୍ରାୟ ୧୨ଟାରେ ପହଞ୍ଚିଥିଲେ। ବାଲେଶ୍ବର ଷ୍ଟେସନରେ ଓହ୍ଲାଇବା ପରେ କୁନୀଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଆମ୍ବୁଲାନ୍ସ ଦ୍ବାରା ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ଡାକ୍ତର ଲେଖିଥିଲେ। ମାତ୍ର ବାଲେଶ୍ବର ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀମାନେ କୁନୀ ଓ ରବୀନ୍ଦ୍ର ଗୁଜୁରାଟରୁ ଫେରିଥିବା ଶୁଣି ତାଙ୍କ ଘର ରାସଗୋବିନ୍ଦପୁରକୁ ପଠାଇଦେଇଥିଲେ। ପରେ ପତି ପତ୍ନୀ ଏକ ଘରୋଇ ଗାଡିରେ ରାସଗୋବିନ୍ଦପୁର ହସ୍ପିଟାଲକୁ ଆସିଥିଲେ। ସେଠାରେ ମଧ୍ୟ କୁନୀଙ୍କୁ ଭର୍ତ୍ତି କରି ଚିକିତ୍ସା କରିବା ପରିବର୍ତ୍ତେ ଗୁଜୁରାଟରୁ ଆସିଥିବା ଜାଣି କୌଣସି ଚିକିତ୍ସା କରିନଥିଲେ। ସେଠିକାର ସ୍ବାସ୍ଥ୍ୟ ଅଧିକାରୀ ସେମାନଙ୍କୁ ନିକଟସ୍ଥ କ୍ବାରାଣ୍ଟିନ୍ କେନ୍ଦ୍ରକୁ ଯିବାକୁ କହିଥିଲେ। ଅନ୍ୟ କୌଣସି ଉପାୟ ନପାଇ ରବୀନ୍ଦ୍ର ଓ କୁନୀ ନିକଟସ୍ଥ ବିନୋଦ ରାୟ ବିଦ୍ୟାପୀଠରେ ହୋଇଥିବା କ୍ବାରାଣ୍ଟିନ୍ ସେଣ୍ଟର୍ରେ ରହିଥିଲେ। ସେଠାରେ କୁନୀଙ୍କର ପୁନର୍ବାର ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ଉକ୍ତ ସଙ୍ଗରୋଧ କେନ୍ଦ୍ରକୁ ଜଣେ ଡାକ୍ତରଙ୍କୁ ଡକାଯାଇଥିଲା। ଡାକ୍ତର ଜଣଙ୍କ କୁନୀଙ୍କୁ ଗୋଟିଏ ଇଞ୍ଜେକ୍ସନ ଦେଇ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ଏହା ମଧ୍ୟରେ ରବୀନ୍ଦ୍ର ଏକାଧିକବାର ରାସଗୋବିନ୍ଦପୁର ବିଡିଓ ଅରୁଣ କୁମାର ଖଣ୍ଡାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ ସେ କିଛି ପଦକ୍ଷେପ ନେବା ପରିବର୍ତ୍ତେ ଅପେକ୍ଷା କରିବାକୁ କହିଥିବା ରବୀନ୍ଦ୍ର ଅଭିଯୋଗ କରିଥିଲେ। ତେବେ ଘଟଣାସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ବିଧାୟକ ରାଜ କିଶୋର ଦାସ କୋଭିଡ୍ କଣ୍ଟ୍ରୋଲ୍ ରୁମ୍ ଏବଂ ପିଡି ଡିଆର୍ଡିଏ ଚଞ୍ଚଳ ରଣାଙ୍କୁ ଅବଗତ କରାଇବାର ପରଦିନ ପ୍ରାୟ ୧୧ଟାରେ ତାଙ୍କୁ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ୍କୁ ଅଣାଯାଇଥିଲା। ସେଠାରେ କୁନୀ ଦୁଇଟି ମୃତ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଚିକିତ୍ସାରେ ବିଳମ୍ବ ହେବାରୁ କୁନୀଙ୍କର ଏମିତି ହୋଇଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଥିଲେ।

0
0
0
s2sdefault