ହେଡଲାଇନସ୍:

"ମୋ ସରକାର" ପ୍ରଭାବ : ଟେଲିଫୋନ୍ କରି ହିତାଧିକାରୀ ଫେରି ପାଇଲେ ମରାମତି ଟଙ୍କା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଛୋଟିଆ ଉଦାହରଣ : ପ୍ରଭାବ ହୋଇପାରେ ସୁଦୂର ପ୍ରସାରି 

ଭୁବନେଶ୍ୱର(ଶାସକ ପ୍ରଶାସକ):ପାଣି ପାଇପ୍‍ ମରାମତି ଲାଗି ମୋ ସରକାର ଫୋନ୍‍ ନମ୍ବରକୁ ଫୋନ୍‍ କରି ନିଜ ହାତରୁ ୧୫୦୦ ଟଙ୍କା ବ୍ୟୟରେ ପାଣି  ପାଇପ ମରାମତି କରିଥିବା ଖୋର୍ଦ୍ଧାର ଅକ୍ଷୟ କୁମାର ମହାପାତ୍ର ତାଙ୍କ ମରାମତି ବାବଦ ଟଙ୍କା ଫେରି ପାଇଛନ୍ତି | 

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ମୋ ସରକାର ଯୋଜନାରେ ଆସୁଥିବା ଟେଲିଫୋନ୍‍ ନମ୍ବରକୁ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‍ ଅନୁଧ୍ୟାନ କରିବା ସମୟରେ ଏଭଳି ଅଭିଯୋଗ ତାଙ୍କ ନଜରକୁ ଆସିଥିଲା । ମାମଲାର ବିବରଣୀରୁ ପ୍ରକାଶ ଯେ ଖୋର୍ଦ୍ଧାସ୍ଥିତ ଶ୍ରୀ ମହାପାତ୍ରଙ୍କ ଘରେ ପାଣି ପାଇପ୍‍ ସଂଯୋଗ ହୋଇଥିଲା । କିନ୍ତୁ କାମରେ ଖଇଚା ଯୋଗୁ ଏହି ପାଇପ୍‍ରେ ପାଣି ଲିକ୍‍ ହୋଇଥିଲା । ଏହାକୁ ମରାମତି କରିବା ପାଇଁ ଶ୍ରୀ ମହାପାତ୍ର ମୋ ସରକାର ଅଭିଯୋଗ ନମ୍ବରକୁ ବାରମ୍ବାର ଫୋନ୍‍ କରିଥିଲେ ମଧ୍ୟ କାମ କରିଥିବା କଣ୍ଟ୍ରାକ୍ଟର କିମ୍ବା ୱାଟ୍‍କୋ କର୍ତ୍ତୃପକ୍ଷ କେହିହେଲେ କର୍ଣ୍ଣପାତ କରିନଥିଲେ । ତେଣୁ ଶ୍ରୀ ମହାପାତ୍ର ବାଧ୍ୟ ହୋଇ ଆଉ ଜଣେ ଘରୋଇ ମିସ୍ତ୍ରୀକୁ ୧୫୦୦ ଟଙ୍କା ଦେଇ ।ଣି ପାଇ ମରାମତି କରିଥିଲେ । ତେବେ ଏଭଳି ଅଭିଯୋଗ ପ୍ରମୁଖ ସଚିବଙ୍କ ଦୃଷ୍ଟିକୁ ଆସିବା ପରେ ସେ ତୁରନ୍ତ ଏହାର ତଦନ୍ତ କରାଇଥିଲେ । ତଦନ୍ତରୁ ଜଣାପଡ଼ିଥିଲା ଯେ ଶ୍ରୀ ମହାପାତ୍ରଙ୍କ ଘରେ କାମ କରିଥିବା ନରଟେକ ନାମକ ସଂସ୍ଥା ଏଭଳି ଖଇଚା କାର୍ଯ୍ୟ କରିଛି । ଫଳରେ ବାଧ୍ୟ ହୋଇ ହିତାଧିକାରୀ ଜଣକ ନିଜ ଅର୍ଥରେ ଏହାକୁ ମରାମତି କରିଛନ୍ତି । ଏହି କାମରେ ସହକାରୀ ପରିଚାଳକ ଠିକଣା ଭାବେ ଅନୁଧ୍ୟାନ କରିନଥିବା ଦୃଷ୍ଟିକୁ ଆସିଥିଲା । ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ କ୍ରମେ ୱାଟକୋ ଡିଭିଜନ-୨ର ସାଧାରଣ ପରିଚାଳକ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚିବା ସହିତ ସେ ଖର୍ଚ୍ଚ କରିଥିବା ୧୫୦୦ ଟଙ୍କା ପୈଠ ଲାଗି ନରଟେକ ସଂସ୍ଥାକୁ ନିଦ୍ଦେଶ  ଦେଇଥିଲେ । କାର୍ଯ୍ୟ ତଦାରଖରେ ଅବହେଳା କରିଥିବା ଅଧିକାରୀମାନଙ୍କୁ ଚେତାବନୀ ଦେବା ଲାଗି ଜନସ୍ୱାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ  ଦିଆଯାଇଛି ।

0
0
0
s2sdefault