ହେଡଲାଇନସ୍:

ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଆପ୍ରାଣ ଉଦ୍ୟମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

05-06-18-trimurti.jpg - 67.64 kB

ଅସଜଡ଼ା ହୋଇ ପଡିଛି ମୟୁରଭଞ୍ଜରେ ବିଜେଡିର ଗଡ | ନବୀନ ବାବୁଙ୍କ ଯାବତୀୟ ଜନକଲ୍ୟାଣ ଯୋଜନା ସତ୍ତ୍ୱେ ବିଜେଡି ନେତାଙ୍କ ଅଯୋଗ୍ୟତା କାରଣରୁ ଅତର୍କିତ ଭାବେ ବିଜେପି ବାଜି ମରିନେଲା | ତେଣୁ ଜିଲ୍ଲାର ଅନେକ ନେତା ଟେଷ୍ଟେଡ ଫେଲ, ଆଉ ଜିଲ୍ଲାର ଆଦିବାସୀ ସମୁଦାୟ ତଥା ସାଧାରଣ ବର୍ଗର ଲୋକଙ୍କ ମଧ୍ୟରେ ଜଣାଶୁଣା ଲୋକପ୍ରିୟ ନେତା ସାନନ୍ଦ ମାର୍ଣ୍ଡି ଉପବାଚସ୍ପତି ଭଳି ସାମ୍ବିଧାନିକ ନିରପେକ୍ଷତାର ଗଣ୍ଡି ଭିତରେ ଆବଦ୍ଧ | ହେଲେ ମୁଣ୍ଡ  ଉପରେ ସାଧାରଣ ବା ବିଧାନସଭା ନିର୍ବାଚନ | ସମୟ କମ ଆଉ କାମ ଅନେକ | ତଥାପି ଏବେ ଜିଲ୍ଲାର ମଙ୍ଗ ଧରିଛନ୍ତି ନବୀନଙ୍କ ୟଙ୍ଗ ବ୍ରିଗେଡର ସଦସ୍ୟ ଡ଼ ଅରୁଣ ସାହୁ | ସାନନ୍ଦଙ୍କ ଗରିଲା ଯୁଦ୍ଧ ଆଉ ଅରୁଣଙ୍କ ସମ୍ମୁଖ ଲଢେଇ ଭିତରେ ଏବେ ଜିଲ୍ଲାରେ ଗତ କିଛି ମାସ ହେଲା ଚାଲିଛି ହୃତ ସ୍ଥିତିକୁ ଫେରାଇଆଣିବା ପାଇଁ | ସାନନ୍ଦ ଯଦିଓ ଖୋଲା ଖୋଲି ରାଜନୈତିକ ମଞ୍ଚରେ ଖେଳି ପାରୁନାହାନ୍ତି, ତଥାପି ମିଶନ ୬୦ ନାମରେ ଚଳାଇଛନ୍ତି ତାଙ୍କ ଅଭିଯାନ | ଆଉ ଏହା ବି କିଛି ରଙ୍ଗ ଆଣିଲାଣି |  ଆଉ ଏବେ ତାଙ୍କ ଅଭିଯାନ ରେ ସାମିଲ ହେବାକୁ ଯାଉଛନ୍ତି ଆଦିବାସୀ ଜଗତର ଜଣେ ଲୋକ ପ୍ରିୟ ତଥା ନିଜର ମଣିଷ ରାଜ୍ୟସଭା ସାଂସଦ ଡ଼ ଅଚ୍ୟୁତ ସାମନ୍ତ ମୟୁରଭଞ୍ଜ ଜିଲାକୁ ବିଜେଡିର  ସହ ପର୍ଯ୍ୟବେକ୍ଷକ ଭାବେ | ପଂଚାୟତ ନିର୍ବାଚନରେ ଉଜୁଡି ଯାଇଥିବା ବିଜେଡି ସାମ୍ରାଜ୍ୟକୁ ସଜାଡିବାରେ ଏଇ ତ୍ରିମୁର୍ତ୍ତି କେତେଦୂର ସଫଳ ହେଉଛନ୍ତି ତାହା ସମୟ କହିବି |

ବାରିପଦା(ଦିଲ୍ଲୀପ ମହାନ୍ତି)-୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି । ସମୟ ସହିତ ତାଳ ଦେଇ ବଦଳିବାରେ ଲାଗିଛି ରାଜନୈତିକ ସମୀକରଣ । ଏହିଭଳି ପରିସ୍ଥିତିରେ କେମିତି ରହିବ ନବୀନଙ୍କ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ପାଣିପାଗ । କ୍ରମାଗତ ଭାବେ ୧୮ ବର୍ଷ ଶାସନରେ ପରାଜୟର ମୁହଁ ଦେଖି ନଥିବା ନବୀନ ମୟୂରଭଞ୍ଜ ଜିଲ୍ଲାରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳରେ ସାମାନ୍ୟ ବିଚଳିତ ହୋଇପଡ଼ିଛନ୍ତି ନବୀନ । ଚାଲେଞ୍ଜର ସମ୍ମୁଖୀନ ହେବା ନିମନ୍ତେ ରଣକୌଶଳ ଆପଣେଇ ନେଇଛନ୍ତି । ମୟୂରଭଞ୍ଜର ଗଡ଼କୁ କିପରି ରକ୍ଷା କରିବେ ସେଥି ନିମନ୍ତେ ଚାଲିଛି ଅଙ୍କକଷା । 
              ୨୦୧୪ ସାଧାରଣ ନିର୍ବାଚନରେ ବିଜେଡ଼ି ଜିଲ୍ଲାର ୯ଟି ବିଧାନସଭା ଆସନ ସହିତ ମୟୂରଭଞ୍ଜ ଲୋକସଭା ଆସନ ଜିଣି ରେକଡର଼୍  ପ୍ରତିଷ୍ଠା କରିଥିଲା । ବିଧାନସଭା ନିର୍ବାଚନରେ ବିଜଦ ଖାତାରେ ୩୪.୦୯ ପ୍ରତିଶତ ହାରରେ ମୋଟ ୪ଲକ୍ଷ ୪୭ ହଜାର ୪୫ ଭୋଟ ପଡ଼ିଥିବା ସମୟରେ ବିଜେପିକୁ ୨୨.୬୧ ପ୍ରତିଶତ, କଂଗ୍ରେସକୁ ୧୫.୨୬ ପ୍ରତିଶତ ଓ ଝାମୁମୋକୁ ୧୩.୩୯ ପ୍ରତିଶତ ଭୋଟ ମିଳିଥିଲା । ମାତ୍ର ଗତ ୨୦୧୭ରେ ସମାପ୍ତ ହୋଇଥିବା ଜିଲ୍ଲାପରିଷଦ ନିର୍ବାଚନରେ ବିଜଦ ଦଖଲରେ ରହିଥିବା ମୟୂରଭଞ୍ଜ ଜିଲ୍ଲାପରିଷଦକୁ ଭାଜପା ଛଡ଼ାଇ ନେଇଥିଲା । ନିର୍ବାଚନରେ ୫୬ଟି ଜିଲ୍ଲାପରିଷଦ ଆସନ ମଧ୍ୟରୁ ବିଜଦ ୨୯.୭୫ ପ୍ରତିଶତ ହାରରେ ମୋଟ ୩,୭୬, ୪୧୬ ଖଣ୍ଡ ଭୋଟ ପାଇ ମାତ୍ର ୫ଟି ଆସନରେ ବିଜୟୀ ହୋଇଥିବା ବେଳେ ଝାମୁମୋ ୧୦.୩୬ ପ୍ରତିଶତ ହାରରେ ୧,୩୧,୦୫୯ ଖଣ୍ଡ ଭୋଟପାଇ ୧, ସ୍ୱାଧୀନ ୧ , କଂଗ୍ରେସ ୭.୬୮ ପ୍ରତିଶତ ହାରରେ ମୋଟ ୯୭,୧୪୪ ଖଣ୍ଡ ଭୋଟ ପାଇ ଖାତା ଖୋଲିପାରି ନ ଥିଲା ଓ  ଭାଜପା ସର୍ବାଧିକ ୪୫.୩୨ ପ୍ରତିଶତ ହାରରେ ମୋଟ ୫,୭୩,୨୮୭ ଖଣ୍ଡ ଭୋଟ ପାଇ ୪୯ ଆସନରେ ବିଜୟୀ ହୋଇଥିଲା ।କାରଣ ଯାହା ବି ହେଉ ବିଜେଡିର ଫ୍ଲୋର ମ୍ୟାନେଜମେଣ୍ଟ ଦାୟିତ୍ୱରେ ଥିବା ବାହାପିଆ ନେତା ମାନେ ଏକ ରକମ ଫେଲ ମାରିଥିଲେ ଓ ପରୋକ୍ଷରେ ନବୀନ ବାବୁଙ୍କ ପିଠି ପଛପଟେ ଛୁରା ମାରିଦେଇଥିଲେ | 
 
                       ଗତ ଜିଲ୍ଲାପରିଷଦର ଫଳାଫଳକୁ ତର୍ଜମା କଲେ ମୟୂରଭଞ୍ଜ ଜିଲ୍ଲାର ୯ ବିଧାୟକ ଜନତାଙ୍କ ସହିତ ନଥିବାର ପରିଲକ୍ଷିତ ହୋଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ଜନସାଧାରଣଙ୍କ ସାମାଜିକ, ଅର୍ଥନୈତିକ ବିକାଶ ସାହିତ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ କରାଇ ଆସୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ବିଜଦ ବିପକ୍ଷରେ ଜନମତ ହାଇକମାଣ୍ଡ ନବୀନଙ୍କୁ କେତାକାଂଶରେ ବିଚଳିତ କରାଇ ଦେଇଥିଲା । ତେଣୁ ଜିଲ୍ଲାରେ ବିଜଦ କିପରି ତାର ପୂର୍ବସ୍ଥିତି ଫେରାଇ ଆଣିପାରିବ ସେଥି ନିମନ୍ତେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ, ଝାମୁମୋ ତ୍ୟାଗ କରି ବିଜଦରେ ସାମିଲ ହୋଇଥିବା ଝାମୁମୋର ରାଜ୍ୟସଭାପତି ତଥା ବିଜଦର ପୂର୍ବତନମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ଧନୁତୀର ଛାଡ଼ି ହାତରେ ଶଙ୍ଖ ଧରିଥିବା ଯୁବନେତା ଦେବାଶିଷ ମାର୍ଣ୍ଡିଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରିବା ପରେ ବର୍ତ୍ତମାନ ଜିଲ୍ଲାରେ ଦଳର ମଙ୍ଗ ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡିଙ୍କ ହାତରେ ରହିଥିବାର ଜଣାପଡ଼ିଛି । ସାନନ୍ଦ ୨୦୦୯ରୁ ବିଧାନସଭାରେ ଉପବାଚସ୍ପତି ପଦବୀ ଅଳଙ୍କୃତ କରିଆସୁଥିବାରୁ ସାମ୍ବିଧାନିକ ବିଧିବ୍ୟବସ୍ଥା ତାଙ୍କୁ ବାନ୍ଧି ରଖିଆସୁଛି । ଏକ ମହାବଳ ବାଘକୁ ଯନ୍ତା ସୋ ପିସ କରି ରଖିବା ଯାହା, ସାନନ୍ଦଙ୍କ ଭଳି ଲୋକଙ୍କ ସହ ଥିବା ନେତାଙ୍କୁ ଉପବାଚସ୍ପତି ନାମକ ସାମ୍ବିଧାନିକ ଯନ୍ତା ଭିତରେ ରଖିଦେଇଛନ୍ତି | ତାହା ତାଙ୍କ ଆକ୍ରମକ ଦଳୀୟ କାର୍ଯ୍ୟକ୍ରମକୁ ନିରପେକ୍ଷତାର ଗଣ୍ଡି ଭିତରେ ସୀମିତ କରି ରାଖୀ ଦେଇଛି | ଅତି ସନ୍ତର୍ପଣରେ ଜଗି ରଖି ମନ୍ତବ୍ୟ ଦେଇ ଭିତରେ ଭିତରେ ସଂଗଠନ  ମଜଭୁତ କରିବାର କୌଣସି କସର ଛାଡ଼ୁନାହାନ୍ତି  ନିଜର ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା ଓ ଅନୁଭୁତିକୁ ପାଥେୟ କରି ରାଜନୈତିକ ସତରଞ୍ଜିରେ ଗୋଟି ଚାଳନାରେ ସଫଳ ଖେଳାଳୀ ଭଳି ଜିଲ୍ଲାରିଷଦ ନିର୍ବାଚନରେ ଦଳୀୟ ପରାଜୟର ସମୀକ୍ଷା ଆରମ୍ଭ କରିଥିଲେ । 
 
                ୨୦୧୧ ଜନଗଣନା ଆଧାରରେ ମୟୂରଭଞ୍ଜ ଜିଲ୍ଲାର ଜନସଂଖ୍ୟା ୨୫,୧୯ । ଗ୍ରାମାଞ୍ଚଳରେ ୨୩,୨୬,୮୪୨ ଓ ସହରାଞ୍ଚଳରେ ୧,୯୨,୮୯୬ ଜଣ ବସବାସ କରିଥାନ୍ତି । ଉକ୍ତ ଜନସଂଖ୍ୟା ମଧ୍ୟରୁ ସାନ୍ତାଳ, ହୋ, ଭୂମିଜ, ମୁଣ୍ଡାରୀ ଆଦି ବିଭିନ୍ନ ସମ୍ପ୍ରଦାୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଅନୁସୂଚୀତ ଜନଜାତିମାନଙ୍କ ସଂଖ୍ୟା ୧୪,୩୯,୦୦୨, ସହରାଂଚଳରେ ୪୦,୫୭୪ ରହିଥିବା ବେଳେ ଗ୍ରାମାଞ୍ଚଳରେ ଅନୁସୂଚିତ ଜାତି ସଂଖ୍ୟା ୧,୬୩,୨୩୭, ସହରାଂଚଳର ସଂଖ୍ୟା ୨୧,୪୪୫ ରହିଛି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଆଦିବାସୀ ବହୁଳ ଗ୍ରାମାଞ୍ଚଳଗୁଡ଼ିକରେ ଜନସାଧାରଣ ବିଜେଡିଠାରୁ ନିଜକୁ ଦୂରେଇ ନେଇଥିଲେ । ଏଥି ସହିତ କଂଗ୍ରେସ ଓ ଝାମୁମୋର ଭୋଟର ହାରରେ ହ୍ରାସ ଘଟିଥିଲା ଓ ଏହା ବିଜେପି  ସପକ୍ଷରେ ଯାଇଥିଲା । ଜିଲ୍ଲାରେ ବିଜେଡି  କିପରି ତାର ପୂର୍ବସ୍ଥିତାବସ୍ଥାକୁ ପ୍ରତ୍ୟାବର୍ତ୍ତନ କରିପାରିବ ସେଥି ନିମନ୍ତେ ବାରିପଦା ବିଧାୟକ ଶ୍ରୀ ମାର୍ଣ୍ଡି ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହିତ ପ୍ରଥମେ ‘ମିଶନ-୬୦’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ମିଶନ-୬୦ ମଧ୍ୟ ତାର ଲକ୍ଷ୍ୟ ଭେଦ କରିବାରେ ସଫଳ ହେଉଥିବା ଅନୁଭୂତ ହେଉଛି |  
 
            ମୟୂରଭଞ୍ଜ ଜିଲ୍ଲାର ମୋଟ ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୭ଟି ଅନୁସୂଚିତ ଜନଜାତି, ଗୋଟାଏ ଆସନ ଅନୁସୂଚିତ ଜାତି ନିମନ୍ତେ ସଂରକ୍ଷିତ ରହିଥିବା ବେଳେ  ଗୋଟାଏ ଆସନ ଅଣସଂରକ୍ଷିତ ରହିଛି । ୨୦୧୪ ସାଧାରଣ ନିର୍ବାଚନ ସମୟରେ ଅଧିକାଂଶ ଆସନରେ ତ୍ରିମୁଖୀ ଓ ଚତୁର୍ମୁଖୀ ଲଢେ଼ଇ ସହିତ ନବୀନ ହାୱା କାରଣରୁ ଏହି ସମସ୍ତ ଆସନ ବିଜେଡି ଦଖଲକୁ ସହଜରେ ଆସିଯାଇଥିଲା । ମାତ୍ର ଜିଲ୍ଲାରେ ନେତା, କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଆତ୍ମଘାତୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାରୁ ଏମାନେ ଜିଲ୍ଲାବାସୀଙ୍କ ନିକଟରୁ ଦୂରେ ଯାଇଥିଲେ । ବର୍ତ୍ତମାନ ବିଜଦର ସ୍ଥିତି ଆସ୍ତେଆସ୍ତେ ସୁଦୃଢ଼  ହେବାକୁ ଯାଉଛି; ତଥାପି ଜିଲ୍ଲାରେ ବିଜେଡିର  ୩ରୁ ଅଧିକ ଆସନ ହାତଛଡ଼ା କରିବାର ସମ୍ଭାବନା ଅଧିକ ରହିଛି । ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବର୍ତ୍ତମାନର ବିଜେଡି  ବିଧାୟକମାନଙ୍କ ଉପରୁ ସାଧାରଣ ଜନତା ମୁହଁ ଫେରାଇ ନେଇଥିବାରୁ ୨୦୧୯ ନିର୍ବାଚନରେ ଏମାନଙ୍କର ସଫତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ଫଳରେ ୨୦୧୯ ସାଧାରଣ ନିର୍ବାଚନ ବେଳେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡି  ଅଧିକାଂଶ ନୂଆ ଚେହେରା ସପକ୍ଷରେ ରହିଥିବା ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ  କରାଉଛି । 
0
0
0
s2sdefault