ହେଡଲାଇନସ୍:

ଟ୍ରିବ୍ୟୁନାଲ କାର୍ଯ୍ୟକୁ କେନ୍ଦ୍ର ସରକାର ଜାଣିଶୁଣି ବିଳମ୍ବ କରୁଛନ୍ତି: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୨ରେ ମହାନଦୀ ପାଇଁ ମହାସମ୍ମିଳନୀ

15-04-18-bjd.jpg - 71.61 kB

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଯେଉଁସବୁ ବେଆଇନ୍‍ ବ୍ୟାରେଜ୍‍ ନିର୍ମାଣ କରି ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିଚାଲିଛି, ସେଥିରେ କେନ୍ଦ୍ରର ବିଜେପି ଶାସିତ ସରକାର ସହଯୋଗ କରୁଛନ୍ତି । ବୋଝ ଉପରେ ନଳିତା ବିଡ଼ା ସଦୃଶ ଇବ୍‍ ନଦୀର ଜଳ ପ୍ରବାହକୁ ବ୍ୟାହତ କରିବା ପାଇଁ ଏହାର ଉପନଦୀ ମଇନା ନଦୀ ଉପରେ ପୁଣି ପ୍ରକଳ୍ପ ନିର୍ମାଣର ଯୋଜନା ଆରମ୍ଭ କଲେଣି । ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶର ଧାରା ତୀବ୍ର ଭାବେ କମିଯାଉଛି । କଲ୍‍ମା ବ୍ୟାରେଜ୍‍ର ସମସ୍ତ ଗେଟ୍‍କୁ ଛତିଶଗଡ଼ ସରକାର ଇତିମଧ୍ୟରେ ବନ୍ଦ କରିଦେଇଥିବାରୁ ତଳ ମୁଣ୍ଡରେ ଦାରୁଣ ସମସ୍ୟା ସୃଷ୍ଟି ହେଲାଣି । ଏ ସମସ୍ତ ବିଷୟରେ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ପାଇଁ ଏବଂ ମହାନଦୀ ବଞ୍ଚାଅ ଆନେ୍ଦାଳନକୁ ତୀବ୍ରତର କରିବା ଲାଗି ଚଳିତ ମାସ ୨୨ ତାରିଖ ଦିନ ବିଜୁ ଜନତା ଦଳ ମହାନଦୀ ପାଇଁ ମହାସମ୍ମିଳନୀ ତଥା ଏକ ବୃହତ କର୍ମଶାଳାର ଆୟୋଜନ କରୁଛି । କର୍ମଶାଳାର ବିସ୍ତୃତ ରୂପରେଖ ଏବଂ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ବିଜେଡି ଉପ-ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଯାଇଛି । 

ବୈଠକରେ ଦଳୀୟ ନେତୃମଣ୍ଡଳୀ ଯୋଗଦେଇ ମହାନଦୀ ଜଳ ସଂକଟ, ଏହାର ଆଇନ୍‍ଗତ, ବୈଷୟିକ ଓ ରାଜନୀତିକ ଦିଗ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ବୈଠକରେ ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ମହାନଦୀ ଜଳ ସଂକଟ ଦିନକୁ ଦିନ ଅଧିକ ହେବାରେ ଲାଗିଛି । ଅନେକଗୁଡିଏ ବ୍ୟାରେଜ୍‍ ମହାନଦୀର ଉପର ମୁଣ୍ଡରେ ତିଆରି କରିଥିବା ଛତିଶଗଡ଼ ସରକାରଙ୍କ ଶେଷ ବ୍ୟାରେଜ୍‍ ଥିଲା କଲ୍‍ମା । ଉକ୍ତ ବ୍ୟାରେଜ୍‍ର ମୋଟ ୬୬ଟି ଗେଟ୍‍ରୁ ପ୍ରତିଦିନ ଗୋଟିଏ ଗେଟ୍‍ ମଧ୍ୟ ଖୋଲାଯାଉ ନାହିଁ । ଯଦି ଖୋଲାଯାଉଛି, ତେବେ ମାତ୍ର ଘଣ୍ଟାଏ ବା ଅଳ୍ପ କିଛି ସମୟ ପାଇଁ । ସେଥିଯୋଗୁ କଲ୍‍ମା ବ୍ୟାରେଜ୍‍ ଉପରମୁଣ୍ଡ ଛତିଶଗଡ଼ରେ ଜଳର ଉତ୍ତାଳ ତରଙ୍ଗ ଦେଖିବାକୁ ମିଳୁଥିବା ବେଳେ ତଳ ମୁଣ୍ଡରେ ମହାନଦୀ ଶୁଷ୍କ ମରୁଭୂମି ପାଲଟିଗଲାଣି । ନଦୀ ପାଶ୍ୱର୍ବତ୍ତୀ ଓଡ଼ିଶା ପଟ କେତେକ ଗାଁରେ ଯେଉଁଠି ପୁରୁଷାନୁକ୍ରମିକ ଭାବେ ଲୋକଙ୍କ ଜୀବନଜୀବିକା ଥିଲା ମାଛ ମାରିବା ଓ ବିକିବା, ସେମାନେ ଆଜି ଗାଁ ଛାଡ଼ି ଚାଲିଗଲେଣି । ଛତିଶଗଡ଼ରେ ହେବାକୁ ଥିବା ନିର୍ବାଚନକୁ ଆଖି ଆଗରେ ରଖି ଟ୍ରିବ୍ୟୁନାଲ ର କାର୍ଯ୍ୟକୁ ବିଳମ୍ବିତ କରିବା ପାଇଁ ଏ ପର୍ଯ୍ୟନ୍ତ ଟର୍ମସ୍‍ ଅଫ୍‍ ରେଫରେନ୍ସ ଦିଆଯାଇ ନାହିଁ । ଏଥିପାଇଁ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ଛତିଶଗଡ଼ ପ୍ରତି ଥିବା ଅନ୍ଧ ସମର୍ଥନ ପ୍ରତିପାଦିତ ହେଉଛି । ଓଡ଼ିଶା ପଟେ ପ୍ରତିଦିନ ସମସ୍ୟା ଗମ୍ଭୀର ହେଉଛି ଏବଂ ସଂକଟ ବଢ଼ୁଛି । ଆଗାମୀ ଦିନରେ ଉକ୍ତ ସମସ୍ୟା ଆହୁରି ଉକ୍ରଟ ରୂପ ଧାରଣ କରିବ । ଆମର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ମହାନଦୀ ଲାଗି ଆମେ ସଂଗ୍ରାମ ଜାରି ରଖିବୁ । ଆମ ଦଳ ଦୁଇଟି କ୍ଷେତ୍ରରେ ମହାନଦୀକୁ ନେଇ ଲଢେ଼ଇ କରୁଛି । ଗୋଟିଏ ହେଲା, ନ୍ୟାୟିକ ଲଢେ଼ଇ ଓ ଅନ୍ୟଟି ହେଲା ଜନସାଧାରଣଙ୍କ ଲଢେ଼ଇ । ବୈଠକରେ ଉପସ୍ଥିତ ରହି ଦଳର ଅନ୍ୟତମ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଆମେ ମହାନଦୀ ସୁରକ୍ଷା ପାଇଁ ଓଡ଼ିଶାର ଲଢେ଼ଇକୁ ଏକ ନିର୍ଣ୍ଣାୟକ ଅବସ୍ଥାକୁ ନେବୁ । ଏହା କେବଳ ଗୋଟିଏ ଦଳର ଲଢେ଼ଇ ନୁହେଁ, ସମଗ୍ର ଓଡ଼ିଶାର ସାଢେ଼ ଚାରିକୋଟି ଲୋକଙ୍କର ଭବିଷ୍ୟତ ପାଇଁ ଲଢେ଼ଇ ଅଟେ । ଦଳର ସାଧାରଣ ସଂପାଦକ ତଥା ବିଧାୟକ ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶଶୀଭୂଷଣ ବେହେରା,  ଉଷା ଦେବୀ, ବିଧାୟକ ପଦ୍ମନାଭ ବେହେରା, ବିଜେଡି ଆଇନ୍‍ଜୀବୀ ସେଲ୍‍ର ଆବାହକ ମିଲନ୍‍ କାନୁନ୍‍ଗୋ ଓ ମୁଖପାତ୍ର ଆଇନ୍‍ଜୀବୀ ଅସିମ୍‍ ଅମିତାଭ ଦାସ, ଜଳ ସଂପଦ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଇଂ ଶ୍ରୀଧର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ନିଜର ମତାମତ ଦେଇଥିଲେ । ୨୨ ତାରିଖ ବୃହତ କର୍ମଶାଳା ଦଳୀୟ କାର୍ଯ୍ୟାଳୟରେ ପୂର୍ବାହ୍ଣ ୯.୩୦ରୁ ଆରମ୍ଭ ହୋଇ ସାରାଦିନ ଚାଲିବ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଚୂଡ଼ାନ୍ତ ରୂପରେଖ ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା । ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମଧ୍ୟ ଉକ୍ତ ଦିନ ଏହି କର୍ମଶାଳାରେ ଯୋଗଦେଇ ମହାନଦୀ ଅବବାହିକା ୧୫ଟି ଜିଲ୍ଲାରୁ ଆସିଥିବା ବିଧାୟକ/ବିଧାୟକ ପ୍ରାର୍ଥୀ, ସାଂସଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ପୌର ପରିଷଦ ଓ ଏନ୍‍ଏସିର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ସଭାପତି, ବ୍ଲକ ଓ ନଗର ସଭାପତି ଏବଂ ରାଜ୍ୟ କର୍ମକର୍ତ୍ତା ଓ ଛାମୁଆ ସଂଗଠନର ରାଜ୍ୟ ସଭାପତିମାନଙ୍କ ସହିତ ବିଚାରବିମର୍ଶ କରିବେ । ଆଜିର ବୈଠକରେ ବିଧାୟକ ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ ।

 

 

0
0
0
s2sdefault