ହେଡଲାଇନସ୍:

ପେଟ୍ରୋଲରେ ନିଆଁ, ଏପ୍ରିଲ ୭ରେ ସବୁ ପେଟ୍ରୋଲ ଟାଙ୍କିକୁ ଶାନ୍ତିପୂର୍ଣ ଟାର୍ଗେଟ କରିବ ବିଜେଡି

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଅହେତୁକ ତୈଳ ଦର ବୃଦ୍ଧି କରି ସାଧାରଣ ଜନତାଙ୍କୁ ଶୋଷଣ କରୁଥିବା କେନ୍ଦ୍ର ସରକାର ବିରୋଧରେ ତିନିଘଂଟିଆ  ଶାନ୍ତିପୂର୍ଣ୍ଣ ଜନସଚେତନତା

03-04-19-bjd.jpg - 655.70 kB

ଭୁବନେଶ୍ୱରରୁ ଚକ୍ରଧର ମାଝି : ତୈଳର ଅହେତୁକ ଦରବୃଦ୍ଧି ସାଧାରଣ ଖାଉଟିଙ୍କ ଠାରୁ ଆରମ୍ଭ କରି ଅର୍ଥନୀତିର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଛି । ସାଧାରଣ ଜନତା କେନ୍ଦ୍ର ସରକାରଙ୍କ ଆନୁଷ୍ଠାନିକ  ଷଡ଼ଯନ୍ତ୍ର ଓ ଶୋଷଣର ଶିକାର ହେଉଛନ୍ତି । ତୈଳ କ୍ଷେତ୍ରର କୁପରିଚାଳନାଗତ ଅପରାଗତା ପାଇଁ ଅର୍ଥନୀତି ବିକୃତି ଓ ଚାପଗ୍ରସ୍ତ ହୋଇଛି । ତୈଳର କ୍ରମାଗତ ଅଯୌକ୍ତିକ ଦରବୃଦ୍ଧିରେ ଅର୍ଥନୀତିଜ୍ଞ ବିଜ୍ଞତାର ଅଭାବ ପରିଲକ୍ଷିତ ହୋଇଛି ଓ ଏହାର ନକାରାତ୍ମକ ପ୍ରଭାବ ସବୁ ସ୍ତରରେ ପଡୁଛି । ବାରମ୍ବାର ତୈଳ ଦର ବୃଦ୍ଧି ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି । ଖାଉଟିମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାର ଯେଉଁ ଅପରାଧ କରୁଛନ୍ତି, ତା’ର ବିରୋଧରେ ପୁଞ୍ଜିଭୂତ ଅସନ୍ତୋଷ ତୀବ୍ର ରୂପ ଧାରଣା କରିବାକୁ ଯାଉଛି । ଭାରତ ବର୍ଷରେ ପେଟ୍ରୋଲ ମୂଲ୍ୟ ୪ବର୍ଷରେ ସର୍ବାଧିକ, ଡିଜେଲ୍‍ ମୂଲ୍ୟ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । କେନ୍ଦ୍ର ସରକାର ତୈଳ ଦର ବୃଦ୍ଧିକୁ ନେଇ ସ୍ପଷ୍ଟ ମତ ରଖିନାହାନ୍ତି ବରଂ ବିଭ୍ରାନ୍ତି ସୃଷ୍ଟି କରି ଚାଲିଛନ୍ତି । ନିଜ ଅପାରଗତାକୁ ଲୁଚେଇବାକୁ ବିଭିନ୍ନ ବାହାନା ନେଉଛନ୍ତି । ଏଭଳି ଛଳନା ଓ ଲୋକମାନଙ୍କ ସ୍ୱାର୍ଥ ସହ ଖେଳକୁ ବରଦାସ୍ତ କରାଯିବ ନାହିଁ ଓ ବିଜେଡି ତୈଳ ଦରର ଯୁକ୍ତିପୂର୍ଣ୍ଣ ଦର ଲାଗୁ ନହେଲା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରଖିବ । ତୈଳ ଦର ବୃଦ୍ଧିକୁ ବିଜୁ ଜନତା ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯିବା ସହ କେନ୍ଦ୍ର ସରକାରଙ୍କ ଜନସ୍ୱାର୍ଥ ବିରୋଧୀ ନୀତିର ପର୍ଦ୍ଧାଫାସ୍‍ କରି ଲୋକଙ୍କ ସାମ୍ନାରେ ବାସ୍ତବ ତଥ୍ୟ ଓ ସତ୍ୟ ଉପସ୍ଥାପନ କରାଯିବ ବୋଲି ବିଜୁ ଯୁବ ଜନତା ଓ ବିଜୁ ଛାତ୍ର ଜନତା ଦଳ ନିଷ୍ପତ୍ତି କରିଛି ।

.୨୦୧୪ ଜୁଲାଇ ୧୦ରେ କେନ୍ଦ୍ରୀୟ ଉତ୍ପାଦ  ଶୁଳ୍କ ପ୍ରତି ଲିଟର ପେଟ୍ରୋଲ ଉପରେ ୯ଟଙ୍କା ୨୦ ପଇସା ଥିଲା । କିନ୍ତୁ ଏହା ପାଖାପାଖି ୨୦୦ ପ୍ରତିଶତ ବୃଦ୍ଧି ପାଇ ୨୦୧୮ ଫେବୃଆରୀ ୨ରେ ପ୍ରତି ଲିଟର ୧୯ ଟଙ୍କା ୪୮ ପଇସାରେ ପହଞ୍ଚôଛି । ସେହିପରି ଡିଜେଲ୍‍ ଉପରେ ଉତ୍ପାଦ  ଶୁଳ୍କ ୨୦୧୪ ଜୁଲାଇ ୧୦ରେ ୩ଟଙ୍କା ୪୬ ପଇସା ପ୍ରତି ଲିଟର ଥିଲା ବେଳେ ଏହା ୨୦୧୮ ଫେବୃଆରୀ ୨ରେ ୫୦୦ ପ୍ରତିଶତରୁ ଉର୍ଧ୍ଵ  ବୃଦ୍ଧି ପାଇ ଲିଟର ପିଛା ୧୫ ଟଙ୍କା ୩୩ ପଇସାରେ ପହଞ୍ଚôଥିଲା ।

.ତୈଳ କ୍ଷେତ୍ରରେ ଜାତୀୟ ରାଜସ୍ୱ ୨୦୧୩-୧୪ରେ ୮୮,୬୦୦ କୋଟି ଥିଲାବେଳେ ଏହା ୨୮୫ ପ୍ରତିଶତ ବୃଦ୍ଧି ପାଇ ୨୦୧୬-୧୭ରେ ୨,୫୩,୨୫୪ କୋଟି ଟଙ୍କାରେ ପହଞ୍ଚôଛି ।

.କେନ୍ଦ୍ର ସରକାରଙ୍କ ଦ୍ୱାରା ଆଦାୟ ହେଉଥିବା ବହିଃଶୁଳ୍କ ୨.୫% ଉଭୟ ପେଟ୍ରୋଲ ଓ ଡିଜେଲ୍‍ ଉପରେ ନିଆଯାଉଛି ଏବଂ ପ୍ରତି ମେଟ୍ରିକ୍‍ ଟନ୍‍ ଅଶୋଧିତ ତୈଳ ଉପରେ କେନ୍ଦ୍ର ସରକାର ୫୦ ଟଙ୍କା ରାଷ୍ଟ୍ରୀୟ ଆକସ୍ମିକ ବିପର୍ଯ୍ୟୟ ଶୁଳ୍କ ବାବଦରେ ନେଉଛନ୍ତି ।

.ପେଟ୍ରୋଲ ଦର ୨୦୧୬ ମାର୍ଚ୍ଚ ୧ରେ ଲିଟର ପିଛା ୫୬ଟଙ୍କା ୬୧ ପଇସା ଥିଲାବେଳେ ତାହା ୧୬ ଟଙ୍କା ବୃଦ୍ଧି ପାଇ ଆଜିର ଦିନରେ ୭୨.୭୯ ଟଙ୍କାରେ ପହଂଚିଛି  । ୨୦୧୬ ମାର୍ଚ୍ଚ ୧ରେ ଡିଜେଲ୍‍ ଲିଟର ପିଛା ୪୬.୪୩ ଟଙ୍କା ଥିଲାବେଳେ ପାଖାପାଖି ୨୪ ଟଙ୍କା ବୃଦ୍ଧି ପାଇ ଆଜିର ଦିନରେ ୬୯.୫୪ ଟଙ୍କାରେ ପହଂଚିଛି  ।

.୨୦୧୫ ଜୁଲାଇ ୩୧ରେ ଅଶୋଧିତ ତୈଳ ଅନ୍ତଃରାଷ୍ଟ୍ରୀୟ ବଜାରରେ ବ୍ୟାରେଲ୍‍ ପିଛା ୪୯.୬୪ ଡଲାର ଥିଲାବେଳେ ପେଟ୍ରୋଲ ଦର ଭାରତବର୍ଷରେ ଲିଟର ପିଛା ୬୪.୪୭ ଟଙ୍କା ଥିଲା ଏବଂ ଡିଜେଲ୍‍ ୪୬.୧୨ ଟଙ୍କା ଥିଲା । ୨୦୧୬ ଜାନୁଆରୀ ୧୯ରେ ଯେତେବେଳେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍‍ ପିଛା ୨୮.୮୪ ଡଲାରକୁ ଖସିଯାଇଥିଲା, ତା’ର ସୁଫଳ ଭାରତବର୍ଷର ଜନସାଧାରଣଙ୍କୁ ଦିଆଯାଇନଥିଲା । ଆନୁପାତିକ ଭାବରେ ପେଟ୍ରୋଲ ଏବଂ ଡିଜେଲ୍‍ ଦର କେନ୍ଦ୍ର ସରକାର କମାଇନଥିଲେ ଓ ୨୦୧୬ ଜାନୁଆରୀ ୧୯ରେ ଲିଟର ପିଛା ପେଟ୍ରୋଲ ୫୯.୯୯ ଟଙ୍କା ଥିଲାବେଳେ ଡିଜେଲ୍‍ ଲିଟର ପିଛା ୪୪.୭୧ ଟଙ୍କା ଥିଲା । ଏଥିରୁ ସ୍ପଷ୍ଟ ଯେ ଅନ୍ତଃରାଷ୍ଟ୍ରୀୟ ବଜାରରେ ତୈଳ ଦର ଶସ୍ତା ହୋଇଥିଲେ ହେଁ ଆନୁପାତିକ ଭାବରେ ଭାରତବର୍ଷରେ ତୈଳ ଦର ହ୍ରାସ ପାଇନଥିଲା । ଆଜି ପେଟ୍ରୋଲ ଦର ଲିଟର ପିଛା ୭୨.୭୯ ଟଙ୍କା ଏବଂ ଡିଜେଲ୍‍ ଦର ଲିଟର ପିଛା ୬୯.୫୪ ଟଙ୍କାରେ ପହଂଚିଛି  । ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ କେନ୍ଦ୍ର ସରକାର ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଥିଲା ବେଳେ ତା’ର ଲାଭାଂଶକୁ ଭାରତବର୍ଷର ଜନସାଧାରଣଙ୍କୁ ବଂଚିତ  ରଖିଥିଲେ । ଅନ୍ୟପକ୍ଷରେ ଏବେ କିନ୍ତୁ ଅନ୍ତଃରାଷ୍ଟ୍ରୀୟ ବଜାରରେ ତୈଳ ଦର ବୃଦ୍ଧିକୁ ଜନସାଧାରଣଙ୍କ ଉପରରେ ଲଦି ଦିଆଯାଉଛି । ଯେତେବେଳେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦର ବୃଦ୍ଧି ପାଉଛି, କେନ୍ଦ୍ର ସରକାର ୯ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି ।

.୨୦୧୮ ମାର୍ଚ୍ଚରେ ମହାରାଷ୍ଟ୍ରରେ ବିଜେପି ସରକାର ଥାଇ ପେଟ୍ରୋଲ ଉପରେ ଭାଟ୍‍ ୨୬% ସହିତ ପ୍ରତି ଲିଟରରେ ୯ଟଙ୍କାର ଅତିରିକ୍ତ ଶୁଳ୍କ ଆଦାୟ କରୁଛନ୍ତି । ଆସାମରେ ପେଟ୍ରୋଲ ଉପରେ ଭାଟ୍‍ ୩୨.୬୬% ଥିଲାବେଳେ ରାଜସ୍ଥାନରେ ୩୦% ଭାଟ୍‍ ସହିତ ପ୍ରତି ହଜାର ଲିଟର ପିଛା ୧୫୦୦ ଟଙ୍କା ରାସ୍ତା ଉନ୍ନତିକରଣ ସେସ୍‍ ନିଆଯାଉଛି ।

.କେନ୍ଦ୍ର ସରକାରଙ୍କ ତୈଳ କମ୍ପାନୀମାନେ ପ୍ରତିବର୍ଷ ପାଖାପାଖି ୧୦ ବିଲିୟନ୍‍ ଡଲାରର ତୈଳ କ୍ରୟ କରନ୍ତି, ଯାହାକି ପାଖାପାଖି ୭୦ ହଜାର କୋଟି ଟଙ୍କା । ତାହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ଏବଂ ଏସାର୍‍ ରୋଜେନଫିଟ୍‍ କମ୍ପାନୀଙ୍କ ଠାରୁ କ୍ରୟ କରାଯାଇଥାଏ । ଏଥିପାଇଁ କେନ୍ଦ୍ରୀୟ ତୈଳ କମ୍ପାନୀମାନେ ଜାଣିଶୁଣି ତାଙ୍କର ଉତ୍ପାଦନ  କ୍ଷମତାକୁ ହ୍ରାସ କରିଛନ୍ତି । ଏଭଳି ନିଷ୍ପତ୍ତି ଦ୍ୱାରା ବେସରକାରୀ କମ୍ପାନୀମାନଙ୍କୁ ଅତ୍ୟଧିକ ଲାଭ ମିଳୁଛି । ଯେହେତୁ ଏହି ଦେୟ ଡଲାର ଆକାରରେ ପ୍ରଦାନ କରାଯାଉଛି, ତାହା ବେସରକାରୀ କମ୍ପାନୀମାନଙ୍କ ପାଇଁ ଅଧିକ ଲାଭଜନକ ହେଉଛି । ଯେତେବେଳେ ଆଇଓସିଏଲ୍‍ ବିଶୋଧନାଗାରର ପୂର୍ଣ୍ଣ କ୍ଷମତା ୮୦.୭ ଏମ୍‍.ଏମ୍‍.ଟି.ପି.ଏ. । କିନ୍ତୁ ଏହି ବିଶୋଧନାଗାର ବର୍ତ୍ତମାନ କେବଳ ୬୦ ଏମ୍‍.ଏମ୍‍.ଟି.ପି.ଏ. ଉତ୍ପାଦନ  କରୁଛି । ଯାହାକି ତାଙ୍କର ସଂପୂର୍ଣ୍ଣ କ୍ଷମତା ଠାରୁ ଯଥେଷ୍ଟ କମ୍‍ । ଭାରତ ବର୍ଷର ସଂପୂର୍ଣ୍ଣ ବିଶୋଧନାଗାର କ୍ଷମତା ୨୩୦ ଏମ୍‍.ଏମ୍‍.ଟି.ପି.ଏ. ହୋଇଥିଲା ବେଳେ ସରକାରୀ କମ୍ପାନୀମାନଙ୍କ କ୍ଷମତା ୧୫୦ ଏମ୍‍.ଏମ୍‍.ଟି.ପି.ଏ. ଏବଂ ତନ୍ମଧ୍ୟରୁ ପାରାଦୀପ କ୍ଷମତା ହେଉଛି ୧୫ ଏମ୍‍.ଏମ୍‍.ଟି.ପି.ଏ. । ସେହିପରି ରିଲାଏନ୍ସର ୬୦ ଏମ୍‍.ଏମ୍‍.ଟି.ପି.ଏ., ଏସାରର ୨୦ ଏମ୍‍.ଏମ୍‍.ଟି.ପି.ଏ.।

କେନ୍ଦ୍ର ସରକାରଙ୍କର ଏଭଳି ଜନବିରୋଧୀ ନିଷ୍ପତ୍ତି ପ୍ରତିବାଦରେ ଆସନ୍ତା ୭ ତାରିଖ ଦିନ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ୍‍ ସମ୍ମୁଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନେ ପୂର୍ବାହ୍ଣ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସଚେତନ କରିବା ସହିତ କେନ୍ଦ୍ର ସରକାର କିଭଳି ଭାବରେ ସାଧାରଣ ଖାଉଟିଙ୍କୁ ଲୁଟ୍‍ କରୁଛନ୍ତି, ସେ ସଂପର୍କରେ ଲିଫ୍‍ଲେଟ୍‍ ବଣ୍ଟନ ଦ୍ୱାରା ଅବଗତ କରାଯିବ । ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ସହିତ କରିବା ପାଇଁ ନିବେଦନ କରାଯାଉଛି । ଏହି କାର୍ଯ୍ୟକ୍ରମ ଜାରି ରହିଥିଲା ବେଳେ ଯେଭଳି କୌଣସି ହିତାଧିକାରୀ/ଗ୍ରାହକ କୌଣସି ସମସ୍ୟାରେ ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ସାଧାରଣ ସଂପାଦକ (ଯୁବ ବ୍ୟାପାର) ସଂଜୟ କୁମାର ଦାସବର୍ମା, ବିଜୁ ଜନତା ଦଳ ସାଧାରଣ ସଂପାଦକ (ଛାତ୍ର ବ୍ୟାପାର) ଡ. ଅରୁଣ ସାହୁ ଘୋଷଣା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର, ରାଜ୍ୟ ସଂପାଦକ ବିଜୟ ନାୟକ, ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଅମରେଶ ପତ୍ରୀ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault