ହେଡଲାଇନସ୍:

“ଗୁଣଗ୍ରାହୀ କଳାପ୍ରେମୀଙ୍କ ନିମନ୍ତେ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ସଦାସର୍ବଦା ଏକ ମହୋଲ୍ଲାସ,”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Rourkela/Sushanta Behera ଗୁଣଗ୍ରାହୀ କଳାପ୍ରେମୀଙ୍କ ନିମନ୍ତେ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ସଦାସର୍ବଦା ଏକ ମହୋଲ୍ଲାସ,” ବୋଲି ରାଉରକେଲା ଇସ୍ପାତ କାରଖାନାର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ଭଞ୍ଜଭବନ ମୁକ୍ତ ମଞ୍ଚ ଠାରେ ନଭେମ୍ବର ୫ ତାରିଖ ଦିନ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ ଓ ଲୋକନୃତ୍ୟ ଉତ୍ସବର ମାନ୍ୟତା ହାସଲ କରିଥିବା ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ-୨୦୧୮ର ଉଦଯାପନୀ ସନ୍ଧ୍ୟାରେ ଅଭିଭାଷଣ ଦେଇ ଉଲ୍ଲେଖ କରିଛନ୍ତି । ଉତ୍ସବରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ଶ୍ରୀମତୀ ସବିତା କୁମାରୀ ଓ ବିଶିଷ୍ଟ ନାଟ୍ୟ ବିଶେଷଜ୍ଞ, ଶ୍ରୀ ସତ୍ୟ ରଞ୍ଜନ ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଏହି ଅବସରରେ ଆରଏସପିର ବହୁ ବରିଷ୍ଠ ଅଧିକାରୀ ଓ ଇସ୍ପାତ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ନିଜର ବକ୍ତବ୍ୟରେ ଶ୍ରୀ ଅଶ୍ଵିନୀ କୁମାର ଓଡିଶାର ଋଦ୍ଧିମନ୍ତ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରସାର ପାଇଁ ଏଭଳି ଏକ ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଭଞ୍ଜ କଳା କେନ୍ଦ୍ରର ସକ୍ରିୟ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ। “ସାଂସ୍କୃତିକ ଐତିହ୍ୟ ନିମନ୍ତେ ଓଡିଶାର ସ୍ଵତନ୍ତ୍ର ପରିଚୟ ରହିଛି ଏବଂ ଭଞ୍ଜ କଳା କେନ୍ଦ୍ର ଭଳି ଅନୁଷ୍ଠାନ ଓ ରାଉରକେଲା ଇସ୍ପାତ କାରଖାନାର ନିରନ୍ତର ପ୍ରୟାସ ଯୋଗୁଁ ରାଉରକେଲା ଏହି ସାଂସ୍କୃତିକ ଗତିଧାରାର ପ୍ରାଣକେନ୍ଦ୍ର ରୂପେ ଉଭା ହୋଇଛି,” ବୋଲି ସେ ଉଲ୍ଲେଖ କରିଥିଲେ। 

ଏଥିପୂର୍ବରୁ ଶଙ୍ଖ ଧ୍ୱନି ମଧ୍ୟରେ , ଅତିଥି ମାନଙ୍କୁ ଫୁଲ ଚନ୍ଦନ ପ୍ରଦାନ କରି ସ୍ଵାଗତ କରାଯାଇଥିଲା। ପ୍ରାରମ୍ଭରେ ଗୁରୁ ବୀଣାପାଣି ରଥଙ୍କ ନିର୍ଦ୍ଦେଶନାରେ ଭଞ୍ଜ କଳା କେନ୍ଦ୍ରର ବିଦ୍ୟାର୍ଥୀଙ୍କ ଦ୍ଵାରା ହିନ୍ଦୁସ୍ତାନୀ ବୃନ୍ଦ ଗାୟନ ସମସ୍ତଙ୍କ ମନକୁ ଛୁଇଁଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରିଥିଲେ । ବିଶିଷ୍ଟ କୁଚିପୁଡି ନୃତ୍ୟଗୁରୁ ହାଇଦ୍ରାବାଦର ସୁଶ୍ରୀ ଲକ୍ଷ୍ମୀ ଶଙ୍କର ଏବଂ ତାଙ୍କର ଅନୁଷ୍ଠାନ ନୃତ୍ୟଦୀକ୍ଷାଳୟର କଳାକାରମାନେ ଏହି ସନ୍ଧ୍ୟାରେ ଚିତ୍ତାକର୍ଷକ କୁଚିପୁଡି ନୃତ୍ୟ ପରିବେଷଣ କରିଥିଲେ। ସେମାନେ ବିଭିନ୍ନ ପର୍ଯ୍ୟାୟରେ ଶ୍ରୀ ଗଣପଥିନୀ, ନନ୍ଦକାଧାର ଓ ଗୋଲ୍ଲାପଲ୍ଲେଲୋ ପରିବେଷଣ କରିଥିଲେ ଯାହା ଦର୍ଶକଙ୍କର ମନକୁ ବେଶ ଛୁଇଁ ଥିଲା। ପରେପରେ ଗୁରୁ ଶ୍ରୀ ଧନେଶ୍ଵର ସ୍ଵାଇଁ ଏବଂ ସାଥି କଳାକାରଙ୍କ ଦ୍ଵାରା ତାଳବାଦ୍ୟର ପରିବେଷଣ ଉତ୍ସବରେ ରୋମାଞ୍ଚ ଭରିଦେଇଥିଲା। ଶେଷରେ ବିଶ୍ଵର ବିଭିନ୍ନ ଦେଶରେ ପଶୁମୁଖା ନୃତ୍ୟ ପରିବେଷଣ କରି ଯଶ ଅର୍ଜ୍ଜନ କରିଥିବା ଶ୍ରୀ ନାରାୟଣ ମହାରଣା ଏବଂ ସାଥି କଳାକାରମାନେ ଘୁମୁସରର ପ୍ରସିଦ୍ଧ ପଶୁମୁଖା ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ସମସ୍ତ ପ୍ରାଣୀ ଜଗତ ଶାନ୍ତି ଓ ସୌହାର୍ଦ୍ଦ ମଧ୍ୟରେ ଅବସ୍ଥାପନ କରିବାର ବାର୍ତ୍ତା ସେ ନୃତ୍ୟ ମାଧ୍ୟମରେ ପ୍ରସାରିତ କରିଥିଲେ।

ଉତ୍ସବରେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭଞ୍ଜ କଳା କେନ୍ଦ୍ରର ସଭାପତି, ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ତଥା ଆରଏସପି ପ୍ରକଳ୍ପ ବିଭାଗର ଡ଼ିଜିଏମ, ଶ୍ରୀ ଅସୀମ ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଆରଏସପି ଲୋକସମ୍ପର୍କ ବିଭାଗର ଶ୍ରୀ ଶଶାଙ୍କ ପଟ୍ଟନାୟକ ଏବଂ ସୁଶ୍ରୀ କୋଏନା ଦସ୍ତିଦାର ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ବହୁ ସଂଖ୍ୟାରେ କଳା ସଂସ୍କୃତିପ୍ରେମୀ ରାଉରକେଲାବାସୀ ଉପସ୍ଥିତ ରହି ଏହି ସନ୍ଧ୍ୟାର ସୁନ୍ଦର ନୃତ୍ୟ ପରିବେଷଣର ଆନନ୍ଦ ନେଇଥିଲେ।

0
0
0
s2sdefault