ବିଜୟ ଯଦି ଫେଲ ମାରିଲେ, ଦୋଷ ଠେଲା ପାଇଁ ମୁଣ୍ଡ ରେଡି !!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ପାଟକୁରା/ ଭୁବନେଶ୍ୱର(Girija shankar Dash) : ସରିଗଲା ପ୍ରଚାର, ଅପପ୍ରଚାର ଆତ୍ମ ପ୍ରଚାର, ମିଛ ସ୍ୱାଭିମାନ ଓ ଲୋକପ୍ରିୟତାର ପର୍ବ । ଭୋଟ ସରିଗଲା ପରେ ୨୪ରେ ଗଣତି ନିର୍ଣୟ ହେବ ଭାଗ୍ୟଫଳ ବିଜୟ ମହାପାତ୍ର ଆଉ ସାବିତ୍ରୀ ଅଗ୍ରୱାଲଙ୍କ ଭିତରେ | ପ୍ରଥମରୁ ହାତ ଟେକି ଦେଇଥିବା କଂଗ୍ରେସ କଥା ବିଚାରକୁ ନନେବା ଭଲ | ଗତ ନିର୍ବାଚନରେ ପାଖାପାଖି ୪୦୦୦୦ ଭୋଟ ପାଇଥିବା କଂଗ୍ରେସ ଯଦି ଅମାନତ ବଞ୍ଚାଇ ପାରିବ ତାହା ବଡ ହେବ ଦଳ ପାଇଁ | କାରଣ ପିସିସିଠୁ ପ୍ରାର୍ଥୀ ପର୍ଯ୍ୟନ୍ତ ସମସ୍ତେ ମ୍ୟାନେଜଡ଼ |  ବିଜେପି ବିଜେଡି ମଧ୍ୟରେ ଲଢେଇ କିନ୍ତୁ ଜୋରଦାର | ବିଜୟ ମହାପାତ୍ର ଲଢ଼ିଛନ୍ତି ଶେଷ ଲଢେଇ | ସାବିତ୍ରୀ ଅଗ୍ରୱାଲ ଲଢ଼ିଛନ୍ତି ସ୍ବାମୀଙ୍କ ସ୍ବପ୍ନ ଅପୁରଣ କରିବା ପାଇଁ | ସାବିତ୍ରୀଙ୍କ ପାଇଁ ମଇଦାନକୁ ଓଲ୍ହାଇଥିଲା ନବୀନଙ୍କ ଟୋଟାଲ ଟିମ, ଆଉ ମୁଣ୍ଡି ମାରିଥିଲେ ଖୋଦ ନବୀନ ବାବୁ | ବିଜୟଙ୍କ ପାଇଁ ମୈଦାନରେ ବିଜେପିର ରାଜ୍ୟସ୍ତରୀୟ ନେତୃବୃନ୍ଦ ଓଲ୍ହାଇଥିଲା ବେଳେ ମୁଣ୍ଡି ମାରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଆଉ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗି ବି ଜୋରଦାର ପ୍ରଚାର କରିଥିଲେ | ଲଢେଇ ଏଥର କୁହାଯାଉଛି ଅନୁକମ୍ପାର | ଗୋଟିଏ ପଟେ ବାରମ୍ବାର ପରାଜିତ ହୋଇ ଲଢ଼ୁଥିବା ନେତା ବିଜୟ ମହାପାତ୍ର , ଆଉ ଗୋଟିଏ ପଟେ ପୂର୍ବତନ ବିଧାୟକଙ୍କ ବିଧବା ସାବିତ୍ରୀ ଅଗ୍ରୱାଲ | ସବୁ କୌଶଳ ଆପଣାଇଛନ୍ତି ବିଜେଡି-ବିଜେପି | ଆଉ ବିଜୟ ପରାଜୟର କାରଣ ଅନେକ | ବିଜେଡି ଜିତିଲେ ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ଆଇ ବିଜୁ ବାବୁଙ୍କ ପ୍ରତି ପାଟକୁରା ବାସୀଙ୍କ ସମ୍ମାନ | ବିଜୟଙ୍କ ବିଜୟ ହେଲେ ନବୀନଙ୍କ ନୈତିକ ପରାଜୟ ଓ ଲୋକ ପ୍ରିୟତା ହ୍ରାସ ଓ ବିଜୟଙ୍କ ବିଜୟ ବୋଲି କୁହାଯିବ| ବିଜେପି ଅଧିକ ଉତ୍ସାହିତ ହେବ | କିନ୍ତୁ ପାଟକୁରା ନିର୍ବାଚନମଣ୍ଡଳୀରେ ଯାହା ସ୍ଥିତି କହୁଛି, ସେଥିରୁ ସ୍ପଷ୍ଟ ଲାଗୁଛି ଯେ ବିଜୟଙ୍କ ଭାଗ୍ୟରେ କୌଣସି ପରିବର୍ତ୍ତନ ଜୋଇଁ ନପାରେ | ଯଦି ସୋସିଆଲ ମିଡ଼ିଆ ଆଉ ଉପରକୁ ଦେଖା ଯାଉଥିବା ଭାବପ୍ରବଣତା ଭୋଟ ରୂପ ନେଇଥିବା ଆଉ ଗରଦପୁର ମାର୍ଶାଘାଇ(ଯେଉଁଠିକି ବିଜୟଙ୍କ ପ୍ରଭାବ ଅଧିକ ବୋଲି କୁହାଯାଉଛି ଆଉ ବାହାରକୁ ଦେଖାଯାଉଛି ବି )ର ୨୫ ପଂଚାୟତ ୧୦ରୁ ୧୫ ହଜାର ଲିଡ଼ ଦେବ, ତେବେ ଡେରାବିଶିର ମାଇନସକୁ କାଟି ବିଜୟବାବୁ( ଲୋକସଭା ପାର୍ଥି ବୈଜୟନ୍ତ ପଣ୍ଡା ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେପି ପାଇଥିବା ଭୋଟକୁ ଆଧାରକରି ) ଅଳ୍ପକେ ଉତୁରି ଯାଇପାରନ୍ତି | ନାଇଁ ଯଦି ପାଟକୁରାରୁ ସେଇ ପାଞ୍ଚ ଛ ହଜାର ଲିଡ଼ ବିଜୟ ନିଅନ୍ତି ବା ଏଠି ଲିଡ଼ ମାର୍ଜିନ କମିଯାଏ ତେବେ ତାଙ୍କୁ ଡେରାବିଶି କ୍ଷତି ଭରଣା କରିବା କଷ୍ଟ ହୋଇଯାଇପାରେ | ହେଲେ ସବୁଥର ପରି ଏଥର ଯଦି ବିଜୟଙ୍କ ପରାଜୟ ହୁଏ ବା ଲୋକ ତାଙ୍କୁ ଗ୍ରହଣ ନକରନ୍ତି, ତେବେ ଏଥର ଦଳ ଆଉ ଧର୍ମେନ୍ଦ୍ରଙ୍କ ମୁଣ୍ଡ ଉପରକୁ ଦୋଷ ଠେଲିଦେବା ପାଇଁ ସ୍କ୍ରିପ୍ଟ ଲେଖା ସରିଛି, ଯାହାକି ବିଜୟ ବାବୁ ପଢିପାରନ୍ତି  ୨୪ ତାରଖ ଅପରାହ୍ନରେ ଅବା ୨୫ ତାରିଖରେ | ଆଉ ଏହା ସ୍ପଷ୍ଟ ହୋଇଯାଉଛି ସୋସିଆଲ ମିଡିଆରେ ବିଜୟ ସମର୍ଥକଙ୍କ ପକ୍ଷରୁ ରଖାଯାଇଥିବା କିଛି ପୋଷ୍ଟିଙ୍ଗରୁ | ତାଙ୍କ ସମର୍ଥକ ମାନଙ୍କ ପୋଷ୍ଟିଙ୍ଗରୁ ପ୍ରମାଣିତ ହେଉଛି ଯେ ବିଜେପି ଆଉ ଧର୍ମେନ୍ଦ୍ର ଚାହୁଁନାହାନ୍ତି ବିଜୟ ଜିତନ୍ତୁ | ହେଲେ ବାସ୍ତବରେ ସ୍ଥିତି କିନ୍ତୁ ଭିନ୍ନ | ଭିନ୍ନ ଭିନ୍ନ ସମୟରେ ବିଜୟ ବାବୁ ନିଜ ଅହଂକାର ବଶତଃ ନେଇଥିବା କିଛି ଭୁଲ ନିଷ୍ପତ୍ତି ତାଙ୍କ ପାଇଁ ଏଥର ନିର୍ବାଚନରେ ସମସ୍ୟା ସୃଷ୍ଟି କରିଛି | ଆଉ ତାହା ତାଙ୍କ ସ୍ୱାଭିମାନୀ ଚେହେରା( ଯାହା ତାଙ୍କ ସମର୍ଥକ ମାନେ ଓ ବିଜେପି ନେତାମାନେ ପ୍ରଚାର କରୁଛନ୍ତି)କୁ ଦୁର୍ବଳ କରିଦେଇଛି | ଏଥର ନିର୍ବାଚନରରେ ବିଜୟ ବାବୁ ସ୍ୱାଭିମାନ ଶବ୍ଦ ଟିକୁ ବାରମ୍ବାର ବ୍ୟବହାର କରିଥିବା ବେଳେ ବିଜେଡି ତାହାର ଜୋରଦାର କାଉଣ୍ଟର କରିଥିଲା | ବିଧାୟକ ହେବା  ପାଇଁ ବାରଂବାର ଦଳ ବଦଳାଉଥିବା, ଜିତିବା ପାଇଁ ପାଟକୁରା ବାସୀଙ୍କ ହାତ ଛାଡି ମହାକାଳପଡ଼ା ଚାଲିଯିବା ତଥା ୧୯୯୫ ମସିହାରେ ବିଜୁବାବୁଙ୍କ ପ୍ରତି ଵିଶ୍ଵାସଘାତ କରିବା କି ପ୍ରକାର ସ୍ୱାଭିମାନ ବୋଲି ପ୍ରଶ୍ନ ଉଠାଇଥିଲେ ପ୍ରତିପକ୍ଷ |
ବିଜୟଙ୍କ ପାଇଁ ମୈଦାନଙ୍କୁ ଓଲ୍ହାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢଙ୍ଗି | ନିଜେ ଧର୍ମେନ୍ଦ୍ର ପୁରା ଗୋଟିଏ ଦିନ ପାଟକୁରାରେ ପାଖାପାଖି ୧୭ଟି ଜାଗାରେ କରିଥିଲେ ଦମଦାର  ରୋଡ଼ ଶୋ, ଆଉ ବିଜୟଙ୍କ ପାଇଁ କରିଥିଲେ ଭୋଟ ଭିକ୍ଷା | ସବୁଠି ପାଖେ ପାଖେ ଥିଲେ ନିଜେ ବିଜୟ | ଧର୍ମେନ୍ଦ୍ରଙ୍କ ରାଲିରେ ଥିଲା ବିପୁଳ ଜଣ ସମାଗମ |  ବିଜେପିର ବହୁ ନେତା ମଧ୍ୟ ପାଟକୁରାରେ ପଡି  ରହିଥିଲେ ଦଳର ବିଜୟ ପାଇଁ | ଆଉ ବିଜୟଙ୍କୁ ଦଳ ପକ୍ଷରୁ ସମର୍ଥନ ଓ ସହଯୋଗ ମିଳିଥିଲା | କେଉଁ ରାଜ୍ୟସ୍ତରୀୟ ନେତା  କେଉଁ ପଂଚାୟତରେ ରହିବ ସବୁ ବୁଝୁଥିଲେ ବିଜୟ | ବିଭିନ୍ନ ପଂଚାୟତରେ ପ୍ରଚାର ଦାୟିତ୍ୱରେ ଥିବା ରାଜ୍ୟ ନେତାଙ୍କ ପାଖେ ପାଖେ ଛାଇ ଭଳି ବିଜୟଙ୍କ ସମର୍ଥକମାନେ ରହି ପ୍ରଚାର କରୁଥିଲେ | ସ୍ୱାଭିମାନୀ କାର୍ଡ ଖେଳିଥିବା ବିଜୟଙ୍କ ପାଇଁ ଅନେକ ଜାଗାରେ ତାହା ଦାନ ବାନ୍ଧି ନଥିଲା | ବୟସ୍କ ଲୋକମାନଙ୍କ ଭିତରେ ବିଜୟଙ୍କ ପାଇଁ ରହିଥିଲା ପ୍ରଚଣ୍ଡ ଅନୁକମ୍ପା | ହେଲେ ବିଗତ ଦିନ ମାନଙ୍କରେ ନୂଆ ଜେନେରେସନକୁ ନେଇ ସାଙ୍ଗରେ ଯିବାରେ ବିଜୟ କେଉଁଠି ନ କେଉଁଠି ଅସଫଳ ହୋଇଛନ୍ତି | ବିଜୟଙ୍କ ପୁରୁଣା ଏଜେନ୍ସି ଆଗ ଅପେକ୍ଷା ଦୁର୍ବଳ ହୋଇ ପଡିଥିବା ବେଳେ ହେଲେ ବିଜୟଙ୍କୁ ବ୍ୟକ୍ତିଗତ ଭାବେ ବିରୋଧ କରୁଥିବା ନେତାଙ୍କ ସଂଖ୍ୟା ବଢିଛି ବିଜୟଙ୍କ ବିଗତ ଦିନର ବିଜେପି ବିରୋଧୀ ଆଭିମୁଖ୍ୟ ଯୋଗୁ | ବିଜେପି ଛାଡିଲା ବେଳେ ବିଜେପିକୁ ଚୋର ଚଣ୍ଡାଳ କରି ସମାଲୋଚନା କରିଥିଲେ ବିଜୟ  |ଧର୍ମେନ୍ଦ୍ରଙ୍କ ସାତପୁରୁଷ ଉଧାରୀବା, ଅମିତ ସାହାଙ୍କୁ ସମାଲୋଚନା କରିବା ସହ ନରେନ୍ଦ୍ର ମୋଦି ସରକାର ପ୍ରତିଶ୍ରୁତି ରଖିବାରେ ବିଫଳ ହୋଇଛନ୍ତି ବୋଲି କହିବାକୁ ପଛାଇନଥୁଲେ | ତାପରେ ଦଳରୁ ଇସ୍ତଫା ଦେବା ପରେ ତାଙ୍କୁ ଦଳ ତ ଆଉ କେନ୍ଦ୍ରାପଡ଼ାକୁ ହାତରୁ ଛାଡି ଦେବନି ! ତାଙ୍କୁ ମାଇନସ କରି ସଂଗଠନ କଲା |  ଦଳର ନେତା, ଜାତୀୟ ସଭାପତି, କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା ଯେତେବେଳେ ବିଜୟ କଲେ, ସେତେବେଳେ ବିଜୟଙ୍କୁ ବିଜେପି କର୍ମୀ ଓ ନେତାମାନେ ବିରୋଧ କରି ସମାଲୋଚନା କରିଥିଲେ | କାରଣ ସେମାନେ ନିଶ୍ଚିତ ହୋଇଯାଇଥିଲେ ଯେ ବିଜୟ ପକାଇଥିବା ଛେପ ଢ଼ୋକି ବିଜେପିକୁ ପୁଣି ଫେରିବେନି | ଆଉ  ସେଥିପାଇଁ ବିଜୟଙ୍କୁ ବିରୋଧ ଚରମ ସୀମାରେ ପହଂଚି ଯାଇଥିଲା | ଆଉ ବିଜୟ ପୁଣି ଫେରିବା ପରେ  ବହୁ ବିଜେପି ନେତା ବିଜୟଙ୍କୁ ମାନସିକ ସ୍ତରରେ ଗ୍ରହଣ କରି ପାରିନଥିଲେ | ଏଠି ପାଇଁ ବହୁ  ବିଜେପି କର୍ମକର୍ତ୍ତା ବି କ୍ଷୁବ୍ଧ ଥିଲେ ବିଜୟଙ୍କ  ଉପରେ | ତଥାପି ଧର୍ମେନ୍ଦ୍ର ବିଜୟଙ୍କ ପାଇଁ ପ୍ରଚାର ମଇଦାନକୁ ଓଲ୍ହାଇ ଜୋରଦାର ପ୍ରଚାର କରିଥିଲେ |
ବିଜୟଙ୍କ ଆଉ ଏକ ସମସ୍ୟା ହେଊଛି ଡେରାବିଶି | ପୁରୁଣା ପାଟକୁରା ନିର୍ବାଚନମଣ୍ଡଳୀରେ ବିଜୟଙ୍କ ଦବଦବା ରହିଥିଲା | କିନ୍ତୁ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରେ ଡେରାବିଶି ଆସି ପାଟକୁରା ରେ ମିଶିଥିଲା | ପାଟକୁରା ହେଲା ଗରଦପୁର ୧୮ ପଂଚାୟତ, ମାର୍ଶାଘାଇର ୭ ପଂଚାୟତ ଓ ଡେରାବିଶିର ୨୬ ପଂଚାୟତ | ଗରଦପୁର ୧୮ ପଂଚାୟତରେ ବିଜୟଙ୍କ ପକଡ ଜୋର | ମାର୍ଶାଘାଇ ୭ ପଂଚାୟତରେ ମିଶାମିଶି | ହେଲେ ବିଜେଡିର ଦବଦବା  ରହିଲା ଡେରାବିଶି | ନିକଟରେ ସାରିଥିବା ଲୋକସଭା ଭୋଟରେ  ଗରଦପୁର ମାର୍ଶାଘାଇ ୨୫ ପଂଚାୟତରୁ ବିଜେପି ପ୍ରାୟ ଲିଡ଼  ନେଇଥିଲା ପାଞ୍ଚରୁ ଛ ହଜାର ଭିତରେ| ଡେରାବିଶିରେ ବିଜେପି ପଛାଇଥିଲା ପ୍ରାୟ ୧୧୦୦୦ ଭୋଟରେ | ତେଣୁ ସାମଗ୍ରିକ ଭାବେ ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେପିର ପ୍ରଦର୍ଶନ ଭଲଥିଲା ଆଉ ବିଜେପି ଆଉ ବିଜେଡି ମଧ୍ୟରେ ମାର୍ଜିନ ମାତ୍ର ପାଞ୍ଚରୁ ଛ ହଜାର ଭିତରେ ଥିଲା | ହେଲେ ସେ ଭୋଟ ପାଇଁ ବୈଜୟନ୍ତ ପାର୍ଥି ଥିଲେ | ଡେରାବିଶିରେ ସେ ଯଦିଓ ୧୧୦୦୦ ଭୋଟ ପଛାଇଥିଲେ, ତଥାପି ବିଜେଡି ଟିକେଟରୁ ବଂଚିତ ହୋଇଥିବା ନେତା ସହଯୋଗ କରି ନଥିଲେ ବୈଜୟନ୍ତ ଆହୁରି କମ ଭୋଟ ପାଇଥାନ୍ତେ | ବିଜୟଙ୍କ ଦୁର୍ଗରେ ବୈଜୟନ୍ତ ପାଇଥିଲେ ମାତ୍ର ୫ରୁ ୬ ହଜାର ଲିଡ଼ | ତେଣୁ ସେ ଡେରାବିଶିରେ ବିଜୟଙ୍କୁ ସେ ସୁଯୋଗ ମିଳି ପାରିନି, କାରଣ ଟିକେଟରୁ ବଂଚିତ ନେତା ଏବେ ଅଜ୍ଞାତ ବାସରେ | ଆଉ ଗୋଟେ ବଡ କଥା ହେଲା ଗରଦପୁର ପରି ଡେରାବିସରେ ବିଜୟଙ୍କ ପକଡ ଏତେ ମଜଭୁତ ନୁହେ |  ତାହା ବିଜେଡି ବା ପୂର୍ବର ଜନତା ଦଳର ଗଡ଼ ଭାବେ ଜଣାଶୁଣା |  ସେଠାରେ ଗରଦପୁର ପରି ବିଜୟଙ୍କ ବିଶେଷ ଗ୍ରହଣୀୟତା ନାହିଁ | ଆଉ ବିଜେଡିର ଯେଉଁ ଅସନ୍ତୁଷ୍ଟ ନେତାଙ୍କ ଠାରୁ ସମର୍ଥନ ଆଶା ବି ରଖିଥିଲେ ବିଜୟ, ସେମାନଙ୍କ ଠିପି ଯାମ କରି ଦେଇଛି ବିଜେଡି |
 ଆଉ ସେପଟେ ବିଜେଡି  ନିଜ ପ୍ରାର୍ଥୀଙ୍କ ବିଜୟ ପାଇଁ   ଜି ଯାନ  ଲଗାଇ କାମ କରିଛି | କୌଣସି ଉପାୟକୁ ହାତଛଡ଼ା କରିବାକୁ ଚାହିଁନି |  ଦଳ  ନିଜ ପ୍ରାର୍ଥୀ (ପୂର୍ବତନ ମନ୍ତ୍ରୀ ତଥା ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ବିଧବା ପତ୍ନୀ)ଙ୍କ ବିଜୟ ପାଇଁ  | ନେତାମାନେ ପୁରା ସେଠି ପଡି ରହିଲେ | ସଚିବାଳୟ ଆଉ ଵିଧାନାଭ ଖାଲି | ମୋଟାମୋଟି ସରକାର ଉଠି ଯାଇଥିଲା ପାଟକୁରାକୁ | ସେଠି ପୁରା ସମସ୍ତ ବିଧାୟକ ମନ୍ତ୍ରୀ ଆସି ଡେରା ପକାଇଥିଲେ | ପ୍ରତି ପଂଚାୟତରେ ମନ୍ତ୍ରୀ ଓ ବିଧାୟକଙ୍କ ଯାତ୍ରା | ଶେଷକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ ମଇଦାନକୁ ଓଲ୍ହାଇ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ ମାଗିଥିଲେ | ଯାହାଟିକେ ବିଜୟ ନିଜ ସ୍ଥିତି ସଜାଡ଼ିବାକୁ ଚେଷ୍ଟା କରୁଥିଲେ, ନବୀନ ବାବୁ ଯାଇ ବସ ଉପରୁ ହାତ ହଲାଇ ଆସିଗଲା ପରେ ସ୍ଥିତି ଟିକେ ବଦଳି ଯାଇଥିଲା ବୋଲି କୁହାଯାହାଇଛି | ପୁରା ଛକ ପଂଜା ସ୍ଥିତି ପ୍ରଚାର ଶେଷ ପର୍ଯ୍ୟନ୍ତ |
ହେଲେ କଂଗ୍ରେସ ଏହି ଦୌଡରୁ ପ୍ରଥମରୁ ବାହାର କରିନେଇଥିଲା ନିଜକୁ | ଶେଷରେ ବାହାଘର ବେଳକୁ ବାଇଗଣ ଚାରା ଲଗାଇଲା ପରି ପିସିସିର ରୋଡମ୍ୟାପ କରିବା ଆଉ ନେତାଙ୍କୁ କିଛି ପଠାଇବା ଓ ପ୍ରଚାର କରିବା ଘଟଣାରୁ ବୁଝି ହେଲାନାହିଁ ସେମାନେ ଶେଷ ମୁହୂର୍ତ୍ତରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିଲେ ବା ବିଜେପି ବିଜେଡି ପାଇଁ ଭୋଟ କରାଇବାକୁ ଯାଇଥିଲେ |
 ହେଲେ ଭୋଟ ପୂର୍ବରୁ ନିର୍ବାଚନ ମଣ୍ଡଳୀରେ ଓ ସୋସିଆଲ ମିଡିଆରେ  ବିଜୟ ସିଧା ନକହିଲେ ମଧ୍ୟ ତାଙ୍କର ସମର୍ଥକଙ୍କ ମାଧ୍ୟମରେ ଏକ ଗୁଜବ ସୃଷ୍ଟି କରି ମଜଭୁତ କରାଯାଉଛି ଯେ ଧର୍ମେନ୍ଦ୍ର ଓ ବିଜେପି ବିଜୟଙ୍କୁ ଆବଶ୍ୟକ ସହଯୋଗ କରିନାହାନ୍ତି | ଆଉ ଉଦାହରଣ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ | ଆଉ ଯଦି ବିଜୟ ହାରି ଯାନ୍ତି ତେବେ ସେଇ କଥାକୁ ମଜଭୁତର ସହ କହିବେ ବିଜୟ ! ଏଭଳି କଥା ପ୍ରଚାର ହେଉଛି ବିଜୟ ସମର୍ଥକଙ୍କ ଦ୍ୱାରା ଯେ ଧର୍ମେଦ୍ର ତାଙ୍କୁ ଜିଟାଇବା ପାଇଁ ପ୍ରଚାରକୁ ଆସିନଥିଲେ | ଆଉ ଯେଉଁ ବିଜେପି ନେତା ମାନେ ପାଟକୁରାରେ ବିଜୟଙ୍କ ପାଇଁ ପ୍ରଚାର କରୁଥିଲେ ସେମାନେ ବିଜୟଙ୍କ ବଦଳରେ ବିଜେଡିକୁ ଭୋଟ ଦେବାକୁ କହୁଛନ୍ତି ବୋଲି ଗୁଜବ ମଧ୍ୟ ସୃଷ୍ଟି କରାଯାଉଛି ବିଜୟଂକ ସମର୍ଥକଙ୍କ ପକ୍ଷରୁ ସୋସିଆଲ ମିଡ଼ିଆରେ | ଲୋକଙ୍କ ଭିତରେ ବିଜୟଙ୍କ  ଅଗ୍ରହଣୀୟତା(କାରଣ ଯାହାବି ହୋଇଥାଉ)କୁ ବିଜୟଙ୍କ ସମର୍ଥକ ମାନେ ଧର୍ମେନ୍ଦ୍ର ଓ ବିଜେପି ନେତାଙ୍କ ମୁଣ୍ଡରେ ଠେଲି ଦେବାକୁ ବିଧିବଦ୍ଧ ଉଦ୍ୟମ ଆରମ୍ଭ କରିଛନ୍ତି ସୋସିଆଲ ମିଡିଆରେ | ହେଲେ ବାସ୍ତବ ସତ୍ୟ ହେଉଛି ଯେ ବିଜୟ ବାବୁ ନିଜ ଅନୁସାରେ ନିର୍ବାଚନ କ୍ୟାମ୍ପେନ ପରିଚାଳନା କରିଛନ୍ତି | ସେ ଜିତିଲେ ତାଙ୍କ ପାଇଁ ଜିତିବେ, ଆଉ ହାରିବେ ଯଦି ତାଙ୍କ ପାଇଁ | ବିଜେଡି ଯଦି ଜିତିବା ପାଖାପାଖି ୧୫ରୁ ୨୦ ହଜାର ଭୋଟରେ ଜିତିବ | ଯାଇ ଯଦି ବିଜୟ ଜିତନ୍ତି ୨ରୁ ୩ ହଜାର ଭୋଟରେ ଜିତି ପାରନ୍ତି | କାରଣ ସବୁ ନିର୍ଭର କରୁଛି କଂଗ୍ରେସ ଭୋଟ କାହା ଆଡେ ଯାଇଛି | ୨୦୧୪ ବିଧାନ ସଭା ନିର୍ବାଚନରେ ସେଇ ଜୟନ୍ତ ମହାନ୍ତି କଂଗ୍ରେସ ପ୍ରାର୍ଥୀ ହୋଇ ପାଇଥିଲେ ପାଖାପାଖି ୪୪ ହଜାର | ହେଲେ ଏଥର କୁନ୍ଥେଇ କୁନ୍ଥେଇ କଂଗ୍ରେସ ୪ ରୁ ୫ ହଜାର ଯାଏ ଯାଇପାରେ | ତେଣୁ  ଫଲାଫଳ କଂଗ୍ରେସର ଯେଉଁ ମାଇନସ ଭୋଟ ଉପରେ ବି ଅନେକାଂଶରେ ନିର୍ଭର କରିବ | ଦେଖାଯାଉ ଗଣତି ପରେ କଣ ହେଉଛି |

0
0
0
s2sdefault