
କବି କଳହଂସ ଗୋପାଳକୃଷ୍ଣଙ୍କ
ରାଧାକୃଷ୍ଣ ଲୀଳାମୃତ
ପବିତ୍ର ରଚନା ପଦାବଳୀ କରେ
ଭକତକୁ ପୁଲକିତ ।।
ପରମ ପୁରୁଷ ଶ୍ରୀ କୃଷ୍ଣଚନ୍ଦ୍ର
ଆହ୍ଲାଦିନୀ ଶକ୍ତି ରାଧା
ଧରଣୀ ବୁକୁରେ ମାନବ ଲୀଳାରେ
ସହିଛନ୍ତି କେତେ ବାଧା ।।
ନବଧା ଭକତି ଭାବରେ ବିରଚି
ଭାବ ରାଗ ରସେ ଛନ୍ଦି
ଆବାଳବୃଦ୍ଧବନିତା ସଭିଙ୍କୁ
ପ୍ରେମରେ ରଖନ୍ତି ବାନ୍ଧି ।।
ରାଗ ଅନୁରାଗ ବିରାଗ ବିନୟ
ବିରହ ବିଷାଦ ବ୍ରୀଡ଼ା
ମାନ ଅଭିମାନ ମିଳନ ମାଧୁର୍ଯ୍ୟ
ମନମୋହନଙ୍କ କ୍ରୀଡ଼ା ।।
କୁଞ୍ଜବନେ ରାଈକିଶୋରୀ ଅନାଏ
କୁଞ୍ଜବିହାରୀଙ୍କ ପଥ
କୁଞ୍ଜବିନୋଦିଆ ଭାରି ଦଗାଦିଆ
ଚିତ୍ତ ଚୋରା ଗୋପୀନାଥ ।।
କଦମ୍ବବନରେ ବଂଶୀ ସ୍ବନ ଶୁଣି
ରାଧା ଯାଏ ନୀର ଆଣି
ବାଟ ଜଗି ହାଟ କରଇ ସୁହଟ
ମୋହନ ମୂରଲୀପାଣି ।।
ଶ୍ଯାମକୁ ପୁଣି ତା ପ୍ରେମକୁ ଜୁହାରେ
ରାଧାରାଣୀ ଭୀତ ମନେ
ବ୍ରଜପୁରେ ନିନ୍ଦା ବାଜଣା ବାଜଇ
ଯୁବତୀ ରସିଆ ପଣେ ।।
ସେ ଯମୁନା କୂଳ ସେହି ନୀପମୂଳ
ସେହି କେଳି କୁଞ୍ଜବନ
ରାଈ ସଙ୍ଗେ ଶ୍ୟାମ ପ୍ରୀତିର ସଙ୍କେତ
ନିତ୍ୟ ରାସ ବୃନ୍ଦାବନ ।।
ରାଧା ଭାବେ ବନ୍ଧା ବସନ୍ତକୋକିଳ
ଭକତ କବି ପ୍ରବର
କବି କଳହଂସ ଗୋପାଳକୃଷ୍ଣଙ୍କ
ପୟରେ କୋଟି ଜୁହାର ।
ଶ୍ରୀ ଶଶିଭୂଷଣ ପଟ୍ଟନାୟକ
ଅବସରପ୍ରାପ୍ତ ଶିକ୍ଷକ
ପାରଳାଖେମୁଣ୍ଡି , ଗଜପତି






