ଭଉଣୀ ଘରୁ ଚୋରି ଅଭିଯୋଗରେ ଭାଇ ସମେତ ସୁନା ବ୍ୟବସାୟୀ ଗଲେ ଜେଲ ହାଜତକୁ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୩।୭ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତର ବାଦଭୁଇଁ ଗ୍ରାମରେ ଘଟିଥିବା ଚୋରି ଘଟଣାରେ ପୁଲିସ ସୋମବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନେ ହେଲେ ବାଦଭୁଇଁ ଗ୍ରାମର ଯୁଗଳ ନାୟକ ଏବଂ ସୁନା ବ୍ୟବସାୟୀ ନାଗେଶ୍ୱର ଆଚାରୀ। ସୂଚନା ଅନୁଯାୟୀ, ଧୋବଣୀ ନାୟକ ଓ ତାଙ୍କ ସ୍ୱାମୀ କୁନା ନାୟକ ଘରେ ନଥିବା ସୁଯୋଗରେ ସେହି ଗ୍ରାମରେ ରହୁଥିବା ଧୋବଣୀ ନାୟକଙ୍କ ଭାଇ ଯୁଗଳ ଭଉଣୀ ଘରର ତାଲା ଭାଙ୍ଗି ଘରେ ପସି ପ୍ରାୟ ୮୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏନେଇ କୁନା ନାୟକ ଓଡ଼ଗାଁ ଥାନାରେ ଏତଲା ଦେବା ପରେ ଓଡ଼ଗାଁ ପୋଲିସ ୨୦୭/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଯୁଗଳ ନାୟକ ବସ୍‌ ଯୋଗେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଓଡ଼ଗାଁ ପୁଲିସ ତାଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ଚୋରି ସୁନା ଅଳଙ୍କାର ନାଗେଶ୍ୱର ଆଚାରୀଙ୍କୁ ବିକ୍ରି କରିଥିବା ଜଣାପଡ଼ିଥିଲା। ପରେ ପୁଲିସ ନାଗେଶ୍ୱରଙ୍କଠାରୁ ଚୋରି ହୋଇଥିବା ସୁନା ଅଳଙ୍କାର ଜବତ କରିବା ସହ ଯୁଗଳଙ୍କଠାରୁ ବିକ୍ରି ବାବଦରେ ମିଳିଥିବା ୨୫ ହଜାର ଟଙ୍କା ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରିଥିଲା। ସମସ୍ତ ଆଇନଗତ ପ୍ରକ୍ରିୟା ପରେ ପୁଲିସ ଯୁଗୋଳ ନାୟକ ଓ ନାଗେଶ୍ୱର ଆଚାରୀଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଯାଇଛି।

0
0
0
s2sdefault