କେନ୍ଦ୍ରାପଡ଼ା:୧୩/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ ଅନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ଜୁମ୍ (Zoom) ମାଧ୍ୟମରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଉପଲବ୍ଧ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ବିସ୍ତୃତ ସମୀକ୍ଷା କରାଯାଇଥିଲା। ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ଓ ଅନ୍ୟ ସମସ୍ତଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଅଗ୍ନି ନିରାପତ୍ତା ସମ୍ପର୍କିତ ସମସ୍ତ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଯେ, ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସ୍ୱତନ୍ତ୍ର ଅଡିଟ୍ (Fire Safety Audit) କରାଯିବ। ଏହି ଅଡିଟ୍ ମାଧ୍ୟମରେ ଅଗ୍ନି ନିର୍ବାପକ ଯନ୍ତ୍ର, ଫାୟାର ଆଲାର୍ମ ବ୍ୟବସ୍ଥା, ଜରୁରୀ କାଳୀନ ନିର୍ଗମ ପଥ, ବିଦ୍ୟୁତ ସୁରକ୍ଷା, ଅଗ୍ନି ନିର୍ବାପଣ ସରଞ୍ଜାମର କାର୍ଯ୍ୟକ୍ଷମତା ଓ ପ୍ରଯୁଜ୍ୟ କ୍ଷେତ୍ରରେ ବୈଧ ଅଗ୍ନି ନିରାପତ୍ତା ପ୍ରମାଣପତ୍ରର ଯାଞ୍ଚ କରାଯିବ। ଅଡିଟ୍ ସମୟରେ ଚିହ୍ନଟ ହେଉଥିବା ତ୍ରୁଟିଗୁଡ଼ିକର ତୁରନ୍ତ ସଂଶୋଧନ ସୁନିଶ୍ଚିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।ସେହିପରି ନିୟମିତ ଅଗ୍ନି ନିରାପତ୍ତା ଯାଞ୍ଚ, ଜରୁରୀକାଳୀନ ନିର୍ଗମ ପଥକୁ ସର୍ବଦା ଖୋଲା ଓ ସୁଚିହ୍ନିତ ରଖିବା, ସଚେତନତା କାର୍ଯ୍ୟକ୍ରମ ଏବଂ ନିୟମିତ ମକ୍ ଡ୍ରିଲ୍ ଆୟୋଜନ କରିବା ଉପରେ ବିଶେଷ ଗୁରୁତ୍ୱ ଦେବାକୁ କୁହାଯାଇଥିଲା। ଅଗ୍ନିଶମ ସେବା ବିଭାଗକୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଆବଶ୍ୟକ ବୈଷୟିକ ସହାୟତା, ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ବିଭାଗ ଏବଂ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ପରସ୍ପର ସମନ୍ୱୟ ରକ୍ଷା କରି ନିର୍ଦ୍ଦେଶାବଳୀର ଶତପ୍ରତିଶତ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାପାଳ କହିଥିଲେ ଯେ, ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଗ୍ନି ନିରାପତ୍ତା କେବଳ ଏକ ଆଇନଗତ ବାଧ୍ୟବାଧକତା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଜୀବନର ସୁରକ୍ଷା ସହ ଜଡ଼ିତ ଏକ ସାମୂହିକ ଦାୟିତ୍ୱ। ତେଣୁ ଯେକୌଣସି ଅଘଟଣକୁ ଏଡ଼ାଇବା ଏବଂ ଏକ ସୁରକ୍ଷିତ ଶିକ୍ଷା ପରିବେଶ ଗଠନ କରିବା ପାଇଁ ସମସ୍ତ ଅନୁଷ୍ଠାନ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଆବଶ୍ୟକ।
ଏହି ଭର୍ଚୁଆଲ୍ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକୃଷ୍ଣ ଜେନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଆସିଷ୍ଟାଣ୍ଟ ଫାୟାର ଅଫିସର ପ୍ରଶାନ୍ତ କୁମାର ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ଡେପୁଟି କଲେକ୍ଟର ସୁଭଦର୍ଶିନୀ ଦାସଙ୍କ ସମେତ ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନେ ଯୋଗ ଦେଇଥିଲେ।
ରାଜ୍ୟ
ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଦକ୍ଷତା ବିକାଶ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଡିଟ୍ ଓ ସମୀକ୍ଷା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।
- Hits: 7






