ଝାରସୁଗୁଡ଼ା, ୧୩: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗକୁ ନେଇ ଝାରସୁଗୁଡ଼ାର ରାଜନୀତି ପୁଣି ଥରେ ସରଗରମ ହୋଇଉଠିଛି। ଏହି ପ୍ରସଙ୍ଗରେ ବିଜେଡି ଓ ଭାଜପା ପରସ୍ପର ବିରୋଧରେ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିବା ବେଳେ ଉଭୟ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କଡ଼ା ବୟାନବାଜି ଦେଖିବାକୁ ମିଳିଛି।
ପୂର୍ବତନ ବିଧାୟିକା ଦୀପାଳି ଦାସ ସୋମବାର ଜାରି କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ନିର୍ବାଚନ ସମୟରେ ଭାଜପା ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଇବାକୁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ସରକାର ଗଠନ ପରେ ସିବିଆଇ ତଦନ୍ତ ପରିବର୍ତ୍ତେ ପୁଣି କ୍ରାଇମବ୍ରାଞ୍ଚ ଦ୍ୱାରା ପୁନଃ ତଦନ୍ତ କରିବାକୁ ନିଷ୍ପତ୍ତି ନିଆଯିବା ପ୍ରତିଶ୍ରୁତିରୁ ଓହରିଯିବା ସଦୃଶ ବୋଲି ସେ ଅଭିଯୋଗ କରିଛନ୍ତି।
ଦୀପାଳି ଦାସ ଏହି ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆଣି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସ୍ୱର୍ଗତ ମା'ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ଉଲ୍ଲେଖ କରିଛନ୍ତି। ଉଭୟ ଘଟଣାର ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିତ ଭାବେ ଭେଟି ଦାବିପତ୍ର ପ୍ରଦାନ କରିବାକୁ ସେ ବିଧାୟକଙ୍କୁ ଆହ୍ୱାନ କରିଛନ୍ତି।
ଏହାର ପାଲଟା ଜବାବରେ ଝାରସୁଗୁଡ଼ା ଜିଲ୍ଲା ଭାଜପା ଓ ମହିଳା ମୋର୍ଚ୍ଚା ସଭାପତି ଲକ୍ଷ୍ମୀପ୍ରିୟା ଜେନା ପ୍ରେସ୍ ବିଜ୍ଞପ୍ତି ଜାରି କରି ଦୀପାଳି ଦାସ ଓ ତାଙ୍କ ପରିବାର ନବ ଦାସଙ୍କ ହତ୍ୟାକାଣ୍ଡକୁ କ୍ରମାଗତ ଭାବେ ରାଜନୈତିକ ପ୍ରସଙ୍ଗ କରୁଥିବା ଅଭିଯୋଗ ଆଣିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ସରବାହାଲସ୍ଥିତ ଦୀପାଳିଙ୍କ ବାସଭବନରୁ ରୋଷେୟା ଲଳିତ ସାହୁଙ୍କ ମୃତଦେହ ଉଦ୍ଧାର ଏବଂ ରାତାରାତି ପୋଷ୍ଟମର୍ଟମ ହୋଇଥିବା ଘଟଣାର ସିବିଆଇ ତଦନ୍ତ ଦାବିରେ ସେ କାହିଁକି ନିରବ ରହିଛନ୍ତି।
ଭାଜପା ପକ୍ଷରୁ ଆହୁରି କୁହାଯାଇଛି ଯେ, ବିଧାୟକ ଟଙ୍କଧର ତ୍ରିପାଠୀ କୌଣସି ରାଜନୈତିକ ସ୍ୱାର୍ଥ ନ ରଖି ପ୍ରଥମ ଦିନରୁ ନିରପେକ୍ଷ ତଦନ୍ତ ସପକ୍ଷରେ ସ୍ୱର ଉଠାଇ ଆସୁଛନ୍ତି। ଏପରି ଅଭିଯୋଗର ଉଚିତ ଜବାବ ଜନସାଧାରଣ ଆଗାମୀ ଦିନରେ ଦେବେ ବୋଲି ଦଳ କହିଛି।
ଏପର୍ଯ୍ୟନ୍ତ ଏହି ବିବାଦକୁ ନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବ୍ୟକ୍ତିଗତ ପ୍ରତିକ୍ରିୟା ମିଳିନାହିଁ। ତେବେ ସିବିଆଇ ତଦନ୍ତ ପ୍ରସଙ୍ଗକୁ କେନ୍ଦ୍ର କରି ବିଜେଡି ଓ ଭାଜପା ମଧ୍ୟରେ ବଢ଼ୁଥିବା ବାକ୍ଯୁଦ୍ଧ ଝାରସୁଗୁଡ଼ାର ରାଜନୈତିକ ପରିବେଶକୁ ଅଧିକ ଉଷ୍ମ କରିଥିବା ସହ ସ୍ଥାନୀୟ ରାଜନୀତିରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।






