ରାୟଗଡା ରୁ ବୈକୁଣ୍ଠ ଦୁରିଆ :ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର କଂସାରୀଗୁଡାସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନେରୀ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉତ୍ସାହ ଓ ପରିବେଶ ସୁରକ୍ଷା ପ୍ରତି ଦୃଢ଼ ସଂକଳ୍ପ ସହ ପାଳନ କରାଯାଇଛି। ଏହି ଅବସରରେ ମାତୃଧରିତ୍ରୀଙ୍କୁ ଏକ ଲକ୍ଷ ସିଡ୍ ବଲ୍ ଉତ୍ସର୍ଗ କରାଯାଇଥିଲା। ଗତ ଦୁଇ ମାସ ଧରି ସ୍ଥାନୀୟ ଗ୍ରାମୀଣ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ସିଡ୍ ବଲ୍ଗୁଡ଼ିକ ପରିବେଶ ସଂରକ୍ଷଣ ସହ ସମୁଦାୟର ସକ୍ରିୟ ଅଂଶଗ୍ରହଣକୁ ମଧ୍ୟ ପ୍ରୋତ୍ସାହିତ କରିଛି।
ଗୋବର ଓ ବିଭିନ୍ନ ପ୍ରକାରର ବନଜାତୀୟ ବିହନ ବ୍ୟବହାର କରି ପ୍ରସ୍ତୁତ ଏହି ସିଡ୍ ବଲ୍ଗୁଡ଼ିକ ପ୍ରାକୃତିକ ବନୀକରଣକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ତିଆରି କରାଯାଇଛି। ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ସିଡ୍ ବଲ୍ ବିତରଣ ପାଇଁ କମ୍ପାନୀ ପକ୍ଷରୁ ସମୁଦାୟ ସଦସ୍ୟ, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ନେଇ ଏକ ମାସବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ପରିବେଶ ଦିବସ ପାଳନ ଅବସରରେ ମାଟି ପାତ୍ର ତିଆରି, ରଙ୍ଗୋଲି, ଚିତ୍ରାଙ୍କନ, ବ୍ୟାଗ୍ ପେଣ୍ଟିଂ ଏବଂ କୁଇଜ୍ ପ୍ରତିଯୋଗିତା ଭଳି ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଶିଶୁ, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ସଫଳ ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରାଯାଇ ପରିବେଶ ସଚେତନତାକୁ ସୃଜନଶୀଳତା ମାଧ୍ୟମରେ ପ୍ରୋତ୍ସାହନ ଦିଆଯାଇଥିଲା।
ଏହା ସହିତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ୫୦୦ରୁ ଅଧିକ ଚାରା ରୋପଣ କରାଯାଇ ଅଞ୍ଚଳର ସବୁଜିମା ବୃଦ୍ଧି ପାଇଁ ପ୍ରୟାସ କରାଯାଇଥିଲା।
ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ଡ଼ଃ ମଜହର ବେଗ୍ କମ୍ପାନୀର ପରିବେଶ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଦୃଢ଼ ଅଙ୍ଗୀକାର ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସ୍ଥାୟୀ ବିକାଶ ଓ ପରିବେଶ ସୁରକ୍ଷା କମ୍ପାନୀର ମୂଳ ମୂଲ୍ୟବୋଧର ଏକ ଅଂଶ ଏବଂ ପ୍ରକୃତିର ସୁରକ୍ଷା ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ ଅତ୍ୟନ୍ତ ଜରୁରୀ।
ସେ କମ୍ପାନୀ ପକ୍ଷରୁ ପରିଚାଳିତ ‘ପ୍ରାଣୀଧନ ସେବା ପ୍ରକଳ୍ପ’ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ପଶୁ ସ୍ୱାସ୍ଥ୍ୟ ସେବାକୁ ସହାୟତା କରିବା ସହ ପରିବେଶୀୟ ସନ୍ତୁଳନ ରକ୍ଷାରେ ସହଯୋଗ କରୁଛି। ଏହା ବ୍ୟତୀତ କାର୍ବନ ନିର୍ଗମନ ହ୍ରାସ ପାଇଁ ସୌର ଶକ୍ତିଚାଳିତ ପାନୀୟ ଜଳ ବ୍ୟବସ୍ଥା ସ୍ଥାପନ ଏବଂ ଜଳ ସଂରକ୍ଷଣ ପାଇଁ ଚିରସ୍ରୋତା ଝରଣାମାନଙ୍କର ପୁନରୁଦ୍ଧାର ଭଳି ପଦକ୍ଷେପ ବିଷୟରେ ମଧ୍ୟ ସେ ଅବଗତ କରାଇଥିଲେ।
ସମଗ୍ର ଭାବେ ଆଦିତ୍ୟ ଆଲୁମିନା ରିଫାଇନେରୀର ବିଶ୍ୱ ପରିବେଶ ଦିବସ ପାଳନ କାର୍ଯ୍ୟକ୍ରମ ପରିବେଶ ସଂରକ୍ଷଣ, ସମୁଦାୟର ସକ୍ରିୟ ଅଂଶଗ୍ରହଣ ଏବଂ ସ୍ଥାୟୀ ବିକାଶ ପ୍ରତି ଏହାର ସମନ୍ୱିତ ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥିଲା। ଏହା ଏକ ସବୁଜ, ସୁସ୍ଥ ଓ ସସ୍ଥାୟୀ ଭବିଷ୍ୟତ ଗଠନ ପାଇଁ କମ୍ପାନୀର ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଛି।







