କେନ୍ଦୁଝର,ତା୨୪/୫- ଓଡିଶା ଗାନ୍ଧୀ ବିଚାର ପରିଷଦ ଓ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ, ସଦର ବ୍ଲକସ୍ଥ ମୈଦାନକେଲ ପଂଚାୟତର ପଡ଼ାଗ୍ରାମ ବଡ଼ପସୀ ଠାରେ "ଗାନ୍ଧୀକଥା” ଅନୁଷ୍ଠିତ ହୋଇଯାଇଛି। ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦିକା ଶ୍ରୀମତୀ ରଞ୍ଜୁଲତା ମହାନ୍ତ ସଭାକାର୍ଯ୍ୟ ପରିଚାଳନା କରି କହିଲେ, ମୈଦାନକେଲ ପଂଚାୟତକୁ ସଂପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ମହିଳାମାନେ ଆଗେଇ ଆସିବାକୁ ହେବ। ବକ୍ତା ଭାବରେ, ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ତଥା କେନ୍ଦୁଝର ନାଗରିକ ମଞ୍ଚର ଉପସଭାପତି ଶ୍ରୀ ଭକ୍ତ ବତ୍ସଳ ମହାନ୍ତି କହିଲେ, କେନ୍ଦୁଝରର ଜୈବ ବିବିଧତା ସୁରକ୍ଷା ପ୍ରତି ବିପଦ ମାଡି ଆସୁଛି ଓ କେନ୍ଦୁଝରରେ ଭୟଙ୍କର ଭାବରେ ବାୟୁମଣ୍ଡଳର ପରିବର୍ତ୍ତନ ପାଇଁ ରୌଦ୍ର ତାପ ବଢ଼ି ବଢ଼ି ଚାଲିଛି। ଜଳ ସ୍ତର କମିଯାଉଛି। ଖରା ଦିନରେ ବନ୍ୟଜନ୍ତୁମାନେ ଜଙ୍ଗଲରେ ପାଣି ନ ପାଇ, ପାଣି ପିଇବା ପାଇଁ ଗାଁଆ ମୁହାଁ ହେଲେଣି। ହାତୀ ଭଳି ଶାନ୍ତ ଜୀବ, କିଛି ସାମାଜିକ ଲୋକଙ୍କ ଅତ୍ୟାଚାରରେ ଅଶାନ୍ତ ହୋଇ ଗ୍ରାମକୁ ଆସି କ୍ଷୟ କ୍ଷତି କରୁଛି,ଘର ଭାଙ୍ଗୁଛି ଓ ଫସଲ ଉଜାଡି ଦେଉଛି। ଜଙ୍ଗଳରେ ହାତୀକୁ ଖାଦ୍ୟ ଅଭାବ ହେଲାଣି। ନିଆଁ ଆହୁରି ବିପଦ ସୃଷ୍ଟି କରୁଛି, ଗାଆଁ ପାଖ ଜଙ୍ଗଲରେ ମହୁଲି ଓ ହାଣ୍ଡିଆ ରାନ୍ଧିଲେ, ତାର ବାସନାରେ, ମଦ ଖାଇବାକୁ ହାତୀ ଗାଁ ମୁହାଁ ହେଉଛି। ଯଶୋଦା ନାୟକ, ଲବଙ୍ଗ ନାୟକ, ଦେବଯାନୀ ନାୟକ, ପିଙ୍କି ପାତ୍ର, ମନ୍ଦୋଦରୀ ମହାକୁଡ଼,ଭାରତୀ ନାୟକ, ବର୍ଷାରାଣୀ ମହାନ୍ତ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ନିଷ୍ପତ୍ତି ହେଲା,ଜଙ୍ଗଲ ଓ ବାଡ଼ିବଗିଚାରେ ଫଳନ୍ତି ବୃକ୍ଷ ରୋପଣ କରିବା, ଗ୍ରାମକୁ ସମ୍ପୂର୍ଣ ମଦ ମୁକ୍ତ କରିବା, ଜୈବ ବିବିଧତା ସୁରକ୍ଷା ଓ ସଂରକ୍ଷଣ କରିବା, ଜଙ୍ଗଲରେ ପୁଷ୍କରିଣୀ ଖୋଳିବାକୁ ଗ୍ରାମ ସଭାରେ ଯୋଜନା କରିବା ଏବଂ ସର୍ବୋପରି ହାତୀ -ମଣିଷ ଲଢେଇକୁ ପ୍ରଶମିତ କରିବାକୁ ସ୍ଥିର କରାଗଲା। ୱାର୍ଡ ମେମ୍ବର ଶ୍ରୀମତୀ ଜୋତ୍ସ୍ନା ନାୟକ ଅତିଥି ଓ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ମହତ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଥିଲେ।
ରାଜ୍ୟ
ଗାନ୍ଧୀକଥାରେ ଜୈବବିବିଧତା ଓ ହାତୀର ସୁରକ୍ଷା ପାଇଁ ଆହ୍ୱାନ।
- Hits: 23







