ହେଡଲାଇନସ୍:

ଓପିଜିସି ର ୟୁନିଟ୍-୧ ର ବ୍ୟାପକ ଆଧୁନିକୀକରଣ କାର୍ଯ୍ୟ ସଫଳତାର ସହ ସମାପ୍ତ; PPAର ଅବଧି ୨୦୪୧ ପର୍ଯ୍ୟନ୍ତ ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଇବ ଥର୍ମାଲ / ଭୁବନେଶ୍ୱର, 23.05.2026; ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (OPGC) ର ଷ୍ଟେଜ୍-୧ (୨x୨୧୦ ମେଗାୱାଟ୍) ଉତ୍ପାଦନ ୟୁନିଟ୍‌ଗୁଡ଼ିକର ବ୍ୟାପକ ଆଧୁନିକୀକରଣ (R&M) କାର୍ଯ୍ୟ ସଫଳତାର ସହ ସମାପ୍ତ କରିଛି। ଏହା ରାଜ୍ୟର ବିଦ୍ୟୁତ ଶକ୍ତି ଭିତ୍ତିଭୂମିର ସ୍ଥାୟୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ସ୍ଟୋନ୍ ଭାବେ ଚିହ୍ନିତ ହୋଇଛି।

 ବ୍ୟାପକ ଆଧୁନିକୀକରଣ କାର୍ଯ୍ୟ ପରେ, ୟୁନିଟ୍-୧ କୁ 0୧. 0୫, ୨0୨୬ ତାରିଖରେ ଆନୁଷ୍ଠାନିକ ଭାବରେ ଗ୍ରିଡ୍ ସହ ସିଙ୍କ୍ରୋନାଇଜ୍ କରାଯାଇଥିଲା। କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୟୁନିଟ୍‌ ବର୍ତ୍ତମାନ ପୂର୍ଣ୍ଣ କ୍ଷମତାରେ ପରିଚାଳିତ ହେଉଛି ଏବଂ ଏହାର କାର୍ଯ୍ୟଦକ୍ଷତାରେ ଲକ୍ଷଣୀୟ ଉନ୍ନତି ପରିଲକ୍ଷିତ ହୋଇଛି। ୟୁନିଟ୍-୨ ର R&M କାର୍ଯ୍ୟ ଗତବର୍ଷ ମାର୍ଚ୍ଚ ୨୦୨୫ରେ ସମାପ୍ତ ହୋଇଥିଲା।

 ଇବ ଥର୍ମାଲ ପାୱାର ଷ୍ଟେସନ୍‌ରେ ଅବସ୍ଥିତ ଷ୍ଟେଜ୍- ୧ ଅଧୀନରେ ଦୁଇଟି ୨୧୦ ମେଗାୱାଟ୍ ୟୁନିଟ୍ ରହିଛି, ଯାହା ୧୯୯୪ ଓ ୧୯୯୬ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା। ୩୦ ବର୍ଷରୁ ଅଧିକ ସମୟ ଧରି ନିରନ୍ତର ସେବା ପ୍ରଦାନ କରିଥିବା ଏହି ପୁରୁଣା ୟୁନିଟ୍ ଗୁଡ଼ିକର ଦୀର୍ଘମିଆଦୀ କାର୍ଯ୍ୟଦକ୍ଷତା ଓ ସ୍ଥିରତା ବଜାୟ ରଖିବା ପାଇଁ ଆବଶ୍ୟକ ଇଞ୍ଜିନିୟରିଂ ହସ୍ତକ୍ଷେପ ଦରକାର ଥିଲା। ବିଦ୍ୟୁତ କ୍ରେତାଙ୍କ ଆନୁଷ୍ଠାନିକ ସମ୍ମତି ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ଙ୍କ ଅନୁମୋଦନ ପରେ ଏହି ବ୍ୟାପକ ଯାନ୍ତ୍ରିକ ଉନ୍ନୟନ କାର୍ଯ୍ୟ ସମ୍ପାଦିତ ହୋଇଥିଲା।

 ପ୍ରମୁଖ R&M କାର୍ଯ୍ୟ ମଧ୍ୟରେ ରହିଛି:
(କ) ଷ୍ଟିମ୍ ଟର୍ବାଇନ୍‌ର HP ଏବଂ IP ମଡ୍ୟୁଲ୍‌ର ପରିବର୍ତ୍ତନ/ ନବୀକରଣ ସହ LP ଟର୍ବାଇନ୍‌ର ଶେଷ ତିନିଟି ଷ୍ଟେଜ୍ ର ବ୍ଲେଡ୍‌ ପରିବର୍ତ୍ତନ;
(ଖ) ଏୟାର ପ୍ରି-ହିଟର ପରିବର୍ତ୍ତନ;
(ଗ) ବଏଲର ଏବଂ ସେଗୁଡ଼ିକର ପ୍ରମୁଖ ସହାୟକ ଯନ୍ତ୍ରାଂଶର ବ୍ୟାପକ ଯାଞ୍ଚ ଓ ମରାମତି;
(ଘ) ପୁରୁଣା ଯନ୍ତ୍ରାଂଶର ସମସ୍ୟା ଦୂରୀକରଣ ପାଇଁ ବୈଦ୍ୟୁତିକ ଏବଂ ନିୟନ୍ତ୍ରଣ ପ୍ରଣାଳୀର ଉନ୍ନତି;
(ଙ) ଇଲେକ୍ଟ୍ରୋଷ୍ଟାଟିକ ପ୍ରିସିପିଟେଟର (ESP), Flue gas duct ଇତ୍ୟାଦିରେ ପ୍ରମୁଖ ହାର୍ଡୱେର ପରିବର୍ତ୍ତନ।

 ଯାନ୍ତ୍ରିକ ପୁନରୁଜ୍ଜୀବନ ସହିତ, ଓପିଜିସି ଏହି ପ୍ରକଳ୍ପ ପାଇଁ ଦୀର୍ଘମିଆଦୀ ନିୟାମକ ସମର୍ଥନ ମଧ୍ୟ ହାସଲ କରିଛି। ଷ୍ଟେଜ୍-୧ ୟୁନିଟ୍‌ଗୁଡ଼ିକ ସହ ସଂପୃକ୍ତ ପାୱାର ପର୍ଚେଜ୍ ଏଗ୍ରିମେଣ୍ଟ (PPA), ଯାହାର ଅବଧି ୩୦ ଜୁନ୍ ୨୦୨୬ରେ ଶେଷ ହେବାକୁ ଥିଲା, ତାହାକୁ ଅଧିକ ୧୫ ବର୍ଷ ପାଇଁ ଆନୁଷ୍ଠାନିକ ଭାବରେ ବୃଦ୍ଧି କରାଯାଇଛି।

 ନୂତନ ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ, PPA ବର୍ତ୍ତମାନ ୩୦ ଜୁନ୍ ୨୦୪୧ ପର୍ଯ୍ୟନ୍ତ ବୈଧ ରହିବ, ଯାହା ଆସନ୍ତା ପ୍ରାୟ ଦୁଇ ଦଶନ୍ଧି ଧରି ଓଡ଼ିଶା ରାଜ୍ୟ ପାଇଁ ଗ୍ରିଡ୍ ସ୍ଥିରତା ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓପିଜିସି ବର୍ତ୍ତମାନ ୧୭୪୦ ମେଗାୱାଟ୍ ସ୍ଥାପିତ କ୍ଷମତା ସହ କାର୍ଯ୍ୟରତ ଅଛି ଏବଂ ରାଜ୍ୟର ମୋଟ ଶକ୍ତି ଚାହିଦାର ପ୍ରାୟ ଏକ-ତୃତୀୟାଂଶ ପୂରଣ କରୁଛି।

0
0
0
s2sdefault