ରୋଗୀଙ୍କ ସମ୍ପର୍କିୟ ସାଧାରଣ ଗାଡି ପାର୍କିଂ ନେଇ ଅସୁବିଧା
ଓଡ଼ଗାଁ, ୨୭ା୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ଓଡ଼ଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଫାଟକ ଉଭୟ ପାର୍ଶ୍ବରେ କେତେକ ଠେଲା ଗାଡି ଦୈନଦିନ ରହି ବ୍ୟବସାୟ କରୁଥିବାରୁ ରୋଗୀଙ୍କ ସଂପର୍କୀୟ ଓ ସାଧାରଣ ପାର୍କିଂ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି । ଓଡ଼ଗାଁ ସହରର ସୈାନ୍ଦର୍ଜିକରଣ ସହିତ ମୁଖ୍ୟ ରାସ୍ତା ପାର୍ଶ୍ଵ ଭିଡକୁ କମ୍ କରିବା ଉଦେଶ୍ୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସାମ୍ନା ଖାଲିସ୍ଥାନକୁ ପାର୍କିଂପ୍ଳେସ ଭାବେ ବ୍ୟବହାର ପାଇଁ ପ୍ରଶାସନ ଦ୍ବାରା ପେଭର ପକାଯାଇଥିଲା । ତେବେ ଅସ୍ଥାୟୀ ଭାବେ କିଛି ଠେଲା ବ୍ୟବସାୟୀ କେବେ କେବେ ଏଠାରେ ରହି ବ୍ୟବସାୟ କରୁଥିବା ବେଳେ ବର୍ତ୍ତମାନ ସମୟରେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉଭୟ ଫାଟକର ଦୁଇ ପାର୍ଶ୍ବରେ ଦିନ ତମାମ ସ୍ଥାୟୀ ଭାବେ ଭିଡଜମାଇ ରହୁଛନ୍ତି । ଫଳରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ସଂପର୍କୀୟ ଓ ବଜାରକୁ କିଣାବିକା ପାଇଁ ଆସୁଥିବା ଖାଉଟି ନିଜ ବାଇକ୍ କିମ୍ବା କାର ରଖିବାକୁ ଯାଗା ଟିକେ ମିଳିବା କଷ୍ଟକର ହୋଇପଡୁଛି । ଏପରିକି ଠେଲା ସାମ୍ନାରେ ଗାଡ଼ି ରଖିଲେ ପାଟିତୁଣ୍ଡ ମଧ୍ୟ କରିଥାଆନ୍ତି । ଫଳ, ଗୁପଚୁପ, ଦହିବରା ଓ ଜଳଖିଆ ବ୍ୟବସାୟୀଙ୍କ ଦ୍ବାରା ଏହାକୁ ସ୍ଥାୟୀ ଅକ୍ତିଆର ଯେପରି କରିନେଇଛନ୍ତି । ଏଥିସହିତ ସ୍ଥାୟୀ ଭାବେ ବ୍ୟବସାୟ କରିବା ଫଳରେ ପଚାଫଳ ସହିତ ଖାଇବା ଠୁଙ୍ଗା ଓ ପାଣି ପଡ଼ି ସେହି ସ୍ଥାନ ଅପରିଷ୍କାର ମଧ୍ୟ ହେଉଛି । ଡାକ୍ତରଖାନାର ନୂତନ କୋଠା ନିର୍ମାଣ ସହିତ ଡାକ୍ତର ସୁବିଧା ସୁଯୋଗରେ ଉନ୍ନତି ଫଳରେ ଦିନକୁ ଏଠାକୁ ଚିକିତ୍ସା ନିମନ୍ତେ ଭିଡ଼ ବଢ଼ିବାରେ ଲାଗିଛି । ଏପରି ସ୍ଥଳେ ବହୁ ଅର୍ଥ ବ୍ୟୟ ରେ ନିର୍ମିତ "ମୋ ପ୍ରିୟ ଓଡ଼ଗାଁ" ଆଗରେ ବିଭିନ୍ନ ସମୟରେ ସେଲଫି ଉଠାଇବାକୁ ଅସୁବିଧା ହେଉଥିବା ଅଭିଯୋଗ ହେଉଛି । ଏତଦ୍ ବ୍ୟତୀତ ଡାକ୍ତରଖାନା ଶବ ବ୍ୟବଚ୍ଛେଦ ଗୃହ ଫାଟକ ସଂଲଗ୍ନ ତଥା ଏନଏସି ଶୌଚାଳୟ ସାମ୍ନାରେ ନିୟମିତୟ ଭାବେ ଦୂଷିତ ପରିବେଶ ମଧ୍ୟରେ ଗୁପଚୁପ ଓ ଦହିବରା ବିକ୍ରି ହେଉଥିବା ବେଳେ ସେଠାରେ ନିର୍ମିତ ଶୌଚାଳୟ ଯିବାକୁ ମହିଳା ପୁରୁଷ କିମ୍ବା ଛାତ୍ରୀଛାତ୍ର ସହଜ ରାସ୍ତା ପାଉନାହାନ୍ତି । ଏସବୁ କାରଣରୁ ଅସୁସ୍ଥତାବଶତଃ ଛୁଟିରେ ଥିବା ଏନଏସି ନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁ ସଂପୃକ୍ତ ସ୍ଥାନା ଖାଲି କରିବା ସହିତ ସେଠାରେ ନୋ ଭେଣ୍ଡିଂ ଜୋନ ଘୋଷଣା କରି ଲିଫ ଲେଟ ମାରିବା ସହିତ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ହେଲେ କିଛି ଦିନ ଠେଲା ବାଲା ଅନ୍ୟତ୍ର ବ୍ୟବସାୟ କରିବାପରେ ନୋ ଭେଣ୍ଡିଂ ଜୋନ ଲିଫ ଲେଟ ବାହାରକରି ଜଣ ଜଣ ହୋଇ ପୁଣି ସେହି ସ୍ଥାନ ଦଖଲ କରିଥିବା ଦେଖାଯାଇଛି । ଏପରିସ୍ଥଳେ ଏନଏସି ନିର୍ବାହୀ ଅଧିକାରୀଙ୍କ ଭାରପ୍ରାପ୍ତ ଦାୟିତ୍ୱ ଗ୍ରହଣ କରିଥିବା ସ୍ଥାନୀୟ ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କୁ ଏ ସମ୍ପର୍କରେ ଗୋଚର କରିବାର ଏକ ସପ୍ତାହ ବିତି ଯାଇଥିଲେ ସୁଦ୍ଧା କୋୖଣସି କାରଣରୁ ଏହାର ସମାଧାନରେ ବିଳମ୍ବ ଦେଖାଯାଇଛି । ଅନ୍ୟପକ୍ଷେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିଳାଂଜନ ଦାସଙ୍କୁ ପଚାରିବାରେ ସେ ଏନେଇ ଏନଏସି ଓ ପୋଲିସ କତୃପକ୍ଷଙ୍କୁ ଜଣାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିବେ ବୋଲି କହିଛନ୍ତି ।