ରାତି ତମାମ ଜାଗର ଜାଳି ବ୍ରତ ପାଳିଲେ ଶ୍ରଦ୍ଧାଳୁ
ପୁରୀ (ଅନିମେଶ ପଟ୍ଟନାୟକ): ॐ ନମ ଶିବାୟ ନାମରେ ଗୂଞ୍ଜରିତ ହେଲା ସମଗ୍ର ଶ୍ରୀକ୍ଷେତ୍ର । ପବିତ୍ର ଲୋକନାଥ ଦେବ ପୀଠରେ ଜାଗର ଜାଳି ବ୍ରତ ପାଳିଲେ ଲକ୍ଷାଧିକ ଭକ୍ତ । ଦିନ ତମାମ ନିର୍ଜଳ ଉପବାସ କରି ସମ୍ପୁର୍ଣ୍ଣ ଦିନଟିକୁ ପ୍ରଭୁ ଲୋକନାଥଙ୍କୁ ସମର୍ପିତ କରିଥିଲେ ଶ୍ରଦ୍ଧାଳୁ । ସନ୍ଧ୍ୟାରେ ଲୋକନାଥ ପୀଠରେ ଉଜାଗର ରହି ପବିତ୍ର ମହାଦୀପ ଦର୍ଶନ ଲାଭ କରିଛନ୍ତି ଶ୍ରଦ୍ଧାଳୁ । ତେବେ ପ୍ରଭୁ ଲୋକନାଥଙ୍କ ପୀଠରେ ମହହାଦୀପ ଦର୍ଶନ ପାଇଁ ଭକ୍ତମାନଙ୍କୁ ବହୁତ ଅପେକ୍ଷା କରିବାକୁ ପଡ଼ିଥିଲା । ଭୋର ୫.୫୭ ମିନିଟରେ ମହାଦୀପ ଉଠିଥିବା ସୂଚନା ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ପାଇଁ ୧୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ମହାପ୍ରଭୁଙ୍କ ଦୂର୍ଲଭ ହରିହର ଭେଟ ପରେ ମହାଦୀପ ଉଠିଥିଲା ।
ସେପଟେ ଜାଗର ପଡ଼ିଆରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଜଳ ସେବା, ଫାଷ୍ଟ ଏଡ୍ ଷ୍ଟଲ ଖୋଲାଯାଇଥିଲା । ଅନେକ ଯାଗାରେ ଶ୍ରୀ ଲୋକନାଥଙ୍କ ଖଜା ବଲ୍ଲବ, ଚୁଡ଼ାଘସା ଆଦି ପ୍ରସାଦ ବିକ୍ରି କରାଯାଉଥିବାର ଦେଖାଯାଇଥିଲା । ଜିଲ୍ଲା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଭିନ୍ନ ସୂଚନା ପ୍ରଦାନ ପାଇଁ ଷ୍ଟଲ ଖୋଶାଯାଇଥିଲା ।
ଅନ୍ୟପଟେ ଶ୍ରୀକ୍ଷେତ୍ରର ଆନ୍ୟ ପ୍ରମୁଖ ଶୈବ ପୀଠ ଶ୍ରୀ ଯମେଶ୍ଵର, ଶ୍ରୀ ମାର୍କଣ୍ଡେଶ୍ଵର, ଶ୍ରୀ କପାଳମୋଚନ, ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ସମେତ ଆଖଣ୍ଡଳମଣୀ, ଶ୍ରୀ ବାନାମ୍ବର, ଓଁକାରେଶ୍ଵର, ଶ୍ରୀବ୍ରହ୍ମେଶ୍ବର, ଶଙ୍କରେଶ୍ବର ଆଦି ପୀଠ ମାନଙ୍କରେ ଶ୍ରଦ୍ଧାଳୁ ଜାଗର ଜାଳି ମହାଦୀପ ଦର୍ଶନ କରିଥିଲେ । ପୁରୀର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ବରାଳ ବାଲୁଙ୍କେଶ୍ବର, ବାଲିକପିଳେଶ୍ବର, ବେଲେଶ୍ୱର, ଭାବ କୁଣ୍ଡଳେଶ୍ୱର ଆଦି ପୀଠ ଶିବଙ୍କ ନାମରେ ପ୍ରକମ୍ପିତ ହୋଇ ଉଠିଥିଲା