ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଚଳିତ ଜାନୁୟାରୀ ୨୭ ତାରିଖ ରେ ଲୋକାର୍ପଣ ହେବାକୁ ଯାଉଅଛି ସମ୍ବଲପୁର ର ସମଲେଇ ପ୍ରକଳ୍ପ। ଏହି ଭବ୍ୟ ଲୋକାର୍ପଣ ଉତ୍ସବ ରେ ଯୋଗଦାନ କରିବା ନିମନ୍ତେ ନିମନ୍ତ୍ରଣ ପତ୍ର ପ୍ରଦାନ ନିମନ୍ତେ ସୁନ୍ଦରଗଡ଼ ପହଞ୍ଚିଲେ ସମ୍ବଲପୁର ର ଏକ ସ୍ବତନ୍ତ୍ର ଦଳ।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଆଜି ଏକ ନିମନ୍ତ୍ରଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ସଙ୍କୀର୍ତ୍ତନ ମାଧ୍ୟମରେ ଅତି
ଭକ୍ତିମୟ ପରିବେଶ ମାଧ୍ୟମରେ ଏହି ସ୍ବତନ୍ତ୍ର ଟିମ୍ କୁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସ୍ବାଗତ କରାଯାଇଥିଲା। ସ୍ଥାନୀୟ ସଦଭାବନା ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ର ଏହି ସ୍ବତନ୍ତ୍ର ଟିମ୍ ରେ ରହିଥିଲେ ସମଲେଇ ମନ୍ଦିର ର ଟ୍ରଷ୍ଟି ଶ୍ରୀ ପ୍ରଫୁଲ୍ଲ ହୋତା , ପୂଜକ ଶ୍ରୀ ବିରେନ୍ଦ୍ର ରାୟ ଓ ସୁଧୀର ରାୟ ଏବଂ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀ ସଜ୍ଜତ୍ ମାର୍କି ଯୋଗ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ରୁ ୭ ଗୋଟି ଦେବୀ ପୀଠ ରୁ ଟ୍ରଷ୍ଟି ଏବଂ ପୂଜକ ମାନେ ଉପସ୍ଥିତ ରହି ଏହି ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ। ପ୍ରକାଶ ଥାଉ କି ସୁନ୍ଦରଗଡ଼ ଜିଲ୍ଲା ର ୭ ଗୋଟି ମନ୍ଦିର କୁ ସମଲେଇ ପ୍ରକଳ୍ପ ନିମନ୍ତେ ନିମନ୍ତ୍ରଣ କରାଗଲା। ଏହି ସାତ ଗୋଟି ମନ୍ଦିର ରୁ ସୁନ୍ଦରଗଡ଼ ସମଲେଇ ମନ୍ଦିର ରୁ ପୂଜକ ଶ୍ରୀ ଧନଞ୍ଜୟ ଦେହୁରୀ, ବନଦୁର୍ଗା ମନ୍ଦିର ରୁ ଶ୍ରୀ ପ୍ରଶାନ୍ତ ତ୍ରୀପାଠୀ, ସର୍ଗିପାଲି ସ୍ଥିତ ସମଲେଇ ମନ୍ଦିର ରୁ ଶ୍ରୀ ମଙ୍ଗଳ ପ୍ରସାଦ ମାଝୀ,ବୀରମିତ୍ରପୁର ସ୍ଥିତ ରାଣୀ ସତୀ ମନ୍ଦିର ରୁ ଶ୍ରୀ ନମନ୍ ତୁଲ୍ସୀୟନ୍ , ରାଉରକେଲା ର ହନୁମାନ ବାଟିକା ସ୍ଥିତ ସମଲେଇ ମନ୍ଦିର ରୁ ଶ୍ରୀ ରାଜେନ୍ଦ୍ର ପଣ୍ଡା, ବୈଷ୍ଣ ଦେବୀ ମନ୍ଦିର ରୁ ଶ୍ରୀ ଅରବିନ୍ଦ ଗୁପ୍ତା ଓ କୁନୁ ଯାଦବ ଏବଂ ପାନପୋଷ ସ୍ଥିତ ମା ତାରିଣୀ ମନ୍ଦିର ରୁ ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ଏହି ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଡ଼ା . ଅନନ୍ତ ଆଚାର୍ଯ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରିବନ୍ତ ଜେନା, ଅନ୍ୟାନ୍ୟ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟ, ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।







