ପୁରୁଣା ଗଣ୍ଡଗୋଳକୁ ଭୁଲି ଏକାଠି ହେଲେ ଗ୍ରାମବାସୀ, ତିରିଶ ବର୍ଷ ପରେ ମହା ଧୁମଧାମରେ ପାଳନ କଲେ ମକର ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର (ସେକ କୌସର ): ଦୀର୍ଘ ବର୍ଷ ଧରି ଦୁଇ ପକ୍ଷ ମଧ୍ୟରେ ଲାଗି ରହିଥିବା ତିକ୍ତତା ସମାପ୍ତ ହୋଇଛି। ତିକ୍ତତା ଯୋଗୁଁ ଗ୍ରାମରେ ଅନେକ ପର୍ବ ପର୍ବାଣି ବନ୍ଦ ହୋଇ ରହିଥିବା ବେଳେ ଗ୍ରାମବାସୀମାନେ ସେହି ପୁରୁଣା କଥାକୁ ଭୁଲି ଆଜି ଏକାଠି ହୋଇଛନ୍ତି। ଗାଁର ସବୁଠୁ ବଡ ଉତ୍ସବ ଭାବେ କୁହାଯାଉଥିବା ମକର ମେଳାକୁ ଗ୍ରାମବାସୀ ଚଳିତ ବର୍ଷ ମହା ଧୁମଧାମରେ ପାଳନ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବାଁଳୋଇ ଗ୍ରାମରେ ପୁନଶ୍ଚ ଆରମ୍ଭ ହୋଇଥିବା ଉକ୍ତ ଉତ୍ସବ ଆଜି ସମସ୍ତ ଅଧିବାସୀଙ୍କ ମଧ୍ୟରେ ଖୁସି ଆଣିଦେଇଛି।ସୂଚନା ଥାଉକି ଭେଟେଶ୍ବର ପଞ୍ଚାୟତ ଅନ୍ତର୍ଗତ ବାଁଳୋଇ ଗ୍ରାମରେ ପୁରୁଣା ଗଣ୍ଡଗୋଳକୁ ନେଇ ଦୀର୍ଘ ତିରିଶ ବର୍ଷ ହେବ ମକର ମେଳା ଉତ୍ସବ ବନ୍ଦ ଥିଲା। ତେବେ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଚଳିତ ବର୍ଷ ଉକ୍ତ ଉତ୍ସବ ପୁଣି ଆରମ୍ଭ ହୋଇଛି। ଗ୍ରାମର ଶ୍ରୀ ଶ୍ରୀ ଭଗବତ ଦେବଙ୍କ ପୀଠରେ ଧୁମଧାମରେ ମକର ମେଳା ଉତ୍ସବ ପାଳନ ହୋଇଯାଇଛି। ଏହି ଉତ୍ସବ ଗତକାଲି ଠାରୁ ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହୋଇ ଆଜି ସମାପ୍ତ ହେବା ସହ ନଗର କୀର୍ତ୍ତନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚ଼ନ୍ଦନ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ସମେତ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁ ଙ୍କୁ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ।ତେବେ ବିଜେପି ନେତା ସମ୍ବିତ ପାତ୍ର ଓ ପୃଥ୍ଵୀରାଜ ହରିଚନ୍ଦନ ବାଁଳୋଇ ଗ୍ରାମ ପରିକ୍ରମା କରିବା ସହ ନଗର କୀର୍ତନରେ ଭାଗ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସମାଜସେବି ଜିତେନ୍ଦ୍ର ଭୋଳ, ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳଙ୍କ ସମେତ ଶତାଧିକ ଗ୍ରାମବାସୀ ପରିଚାଳନା କରିଥିଲେ।

0
0
0
s2sdefault