ପୁସ୍ତକ ମେଳାର ଦ୍ବିତୀୟ ସଂଧ୍ୟା ଜଗତସିଂହପୁର ଜିଲ୍ଲାର ସୃଷ୍ଟି ସର୍ବୋତ୍ତମ,ଶାରଳା ଦାସଙ୍କ ମହାଭାରତ ଅନନ୍ୟ ଓ ସ୍ବତନ୍ତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୬.୦୧.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହର ଆଜି ଥିଲା ଦ୍ବିତୀୟ ସଂଧ୍ୟା । ଏହି ଅବସରରେ ଆୟୋଜିତ ସଭାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଲବ ଚୌଧୁରୀ ଅଧ୍ୟକ୍ଷତା କରି ଜଗତସିଂହପୁର ଜିଲ୍ଲା ପୁସ୍ତକ ମେଳାର ସଫଳତା ପାଇଁ ସମସ୍ତ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ । ଏଥିରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ବୈଷ୍ଣବ ଚରଣ ମହାନ୍ତି କହିଥିଲେ ଓଡ଼ିଶାର ପ୍ରଥମ ତଥା ବୃହତ ବହି । ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ନାଟକ ସଵୁ ବିଭାଗରେ ଜଗତସିଂହପୁର ଜିଲ୍ଲା ସର୍ବାଗ୍ରେ ରହିଆସିଛି । ଏହି ଜିଲ୍ଲା ର ସୃଷ୍ଟି ସର୍ବୋତ୍ତମ । ଶିକ୍ଷା କ୍ଷେତ୍ରରେ ମଧ୍ୟ ଜଗତସିଂହପୁର ଏବେ ବି ଆଗରେ । ଅନ୍ୟତମ ସମ୍ମାନନୀୟ ଅତିଥି ନାଇଜର୍ ର କୁଳସଚିବ ଡ଼ଃ ଅଭୟ ନାୟକ ଏହି ଅବସରରେ କହିଥିଲେ ଯେ ଜଗତସିଂହପୁର ମାଟିର ମହକ ହେଉଛି ଆଦିକବି ଶାରଳା ଦାସଙ୍କ ମହାଭାରତ । ଶାରଳା ଦାସଙ୍କ ମହାଭାରତ ଅନନ୍ୟ ଓ ସ୍ବତନ୍ତ୍ର । ସମ୍ମାନନୀୟ ଅତିଥି କଥାକାର ଡଃ ସୁଲୋଚନା ଦାସ କହିଥିଲେ ବହିକୁ ଭଲ ପାଉଥିବା ଲୋକଟିଏ ନିଶ୍ଚୟ ଜଣେ ଭଲ ମଣିଷ ହୋଇଥିବ । କିନ୍ତୁ ଆମେ ଏଵେ ଆଉ ଭଲ ବହି ପଢୁନାହାନ୍ତି । ଵହି କେବେ କାହାକୁ ନିରାଶ କରେନାହିଁ । ପ୍ରାରମ୍ଭରେ ଶ୍ରୀଯୁକ୍ତ ରମାକାନ୍ତ ପଣ୍ଡା ଵେଦପାଠ କରିଥିବା ବେଳେ କାର୍ଯ୍ୟକାରିଣୀ ସଭ୍ୟ ମାନସ କୁମାର ରଥ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ବିଶିଷ୍ଟ ସାମ୍ବାଦିକ ବୈଦ୍ୟନାଥ ପରିଡ଼ାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସର ଉତ୍ସର୍ଗ କରିଥିଲେ । ଏହି ଅବସରରେ ନାଟ୍ୟକାର ଡଃ କୈଳାସ ଚନ୍ଦ୍ର ମଲ୍ଲିକଙ୍କ ନାଟକ "ଏବଂ ଆମେ ମାନେ" ଓ ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ଶିଶୁ ଏକାଙ୍କିକା ମାଳା "ନାରୀ ନାରାୟଣୀ" ଓ "ନବକାକଳି"ର ମକର ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା । ଆଜିର ଉତ୍ସବରେ ପୁସ୍ତକ ମେଳାର ପ୍ରତିଷ୍ଠାତା ସଦସ୍ୟ ଡଃ ଅଜୟ କୁମାର ମିଶ୍ର,ଲାଲା ସଂଗ୍ରାମ କେଶରୀ ରାୟ, ଉତ୍କଳ ରଞ୍ଜନ ମହାନ୍ତି,ଇଂ ବିଷ୍ଣୁ ସାହୁ, ପୀତାମ୍ବର ମହାପାତ୍ର, ଅବନୀକାନ୍ତ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଅତିଥି ମାନଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । କେତେକ ପ୍ରକାଶନ ସଂସ୍ଥାକୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ କାର୍ଯ୍ୟକାରିଣୀ ସଭ୍ୟ ମାନସ କୁମାର କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ ସାହିତ୍ୟ ପତ୍ରିକା "ନବକାକଳି" ପକ୍ଷରୁ କବିତା ପାଠୋତ୍ସବ ଆୟୋଜିତ ହୋଇଥିବା ବେଳେ ଅପରାହ୍ନରେ "କିଣାରାମ ବିଶ୍ବାଳ ଫାଉଣ୍ଡେସନ୍, ବାଲିକୁଦା ପ୍ରାୟୋଜିତ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ କିଣାରାମ ବିଶ୍ବାଳ ଫାଉଣ୍ଡେସନ୍ ର ସଭାପତି ତଥା ଜି.ଏସ୍.ଟି ଆସିଷ୍ଟାଣ୍ଟ୍ କମିଶନର ପୁଷ୍କର ବିଶ୍ବାଳ, ସାଂସ୍କୃତିକ ପରିଷଦର ବରିଷ୍ଠ ସଦସ୍ୟ ରମାକାନ୍ତ ସାହୁ,ଅତିଥି ଭାବେ ଯୋଗ ଦେଇଥିଲେ । କୁଇଜ୍ କାର୍ଯ୍ୟକ୍ରମକୁ କୁଇଜ୍ ମାଷ୍ଟର୍ ପ୍ରଦୀପ୍ତ କିଶୋର ଚୌଧୁରୀ ପରିଚାଳନା କରିଥିବା ବେଳେ ଦୁର୍ଯୋଧନ ମହାରଣା ଓ ଅବିନାଶ ସ୍ବାଇଁ ସହଯୋଗ କରିଥିଲେ । ସଂଧ୍ୟାରେ ଭବାନୀ ପ୍ରସାଦ କଳା ପରିଷଦ, ବଲାଙ୍ଗୀର ସମେତ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

0
0
0
s2sdefault