ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା):'ଘୁମୁସର ବାହିନୀ ' ପକ୍ଷରୁ ଘୁମୁସର ମାଟିର ଅଧିଷ୍ଠାତ୍ରୀ ଦେବୀ ମାଁ ବ୍ୟଘ୍ରଦେବୀଙ୍କ ନିଆରା ସଭାପତିତ୍ବରେ ତାଙ୍କରି ପିଠ କୁଲାଡ଼ ଠାରେ , ଘୁମୁସରଜିଲ୍ଲା ଗଠନ ନେଇ ଏକ ମହାମିଳନ ଅନୁଷ୍ଠିତ ହୋଇଛି। ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲାର ମାନ୍ୟତା ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱର ଉତ୍ତୋଳନ ଜୋରଦାର ହେବାରେ ଲାଗିଛି। ଦାବିପତ୍ର ପ୍ରଦାନ,ବିକ୍ଷୋଭ ପ୍ରଦର୍ଶନ ସହ ସ୍ବତନ୍ତ୍ର ଚିଠି ଲେଖା ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନକୁ ଜୋରଦାର କରାଯିବାକୁ ଅଣ୍ଟା ଭିଡିଛି ଘୁମୁସର ବାହିନୀ। ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ , ଉତ୍କଳ ସାମ୍ବାଦିକ ସଂଘ ଓ ଯୁବକ ବନ୍ଧୁ ମାନଙ୍କୁ ନେଇ ଘୁମୁସର ବାହିନୀ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ କାର୍ଯ୍ୟପନ୍ଥା ନେଇ ଜନମତ ସଂଗ୍ରହ କରିବା ସହ ତୁରନ୍ତ ଜିଲ୍ଲା ଘୋଷଣା ନେଇ ସରକାର ନିକଟରେ ଦାବି ଉପସ୍ଥାପନ କରିବା ନେଇ ଆଲୋଚନା ହୋଇଥିଲା।
ଏହି ବୈଠକରେ ବିଶିଷ୍ଟ କବି ସାହିତ୍ୟିକ ପ୍ରଶାନ୍ତ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗତ ୩୦ ବର୍ଷ ହେଲା ଆନ୍ଦୋଳନର ପୃଷ୍ଠଭୂମି ସମ୍ପର୍କରେ ସୂଚନା ଦେବା ସହ ଆଗାମୀ ଦିନରେ ମଶାଲ ଶୋଭାଯାତ୍ରା,ଜିଲ୍ଲା ଆବଶ୍ୟକ ନେଇ ସଚେତନତା କାର୍ଯ୍ୟକ୍ରମ ଉପଖଣ୍ଡର ସମସ୍ତ ବ୍ଲକରେ ଏକା ସାଙ୍ଗରେ ଗୋଟିଏ ଦିନରେ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କହିଥିଲେ। ଏଥିସହ ସମ୍ନାନନୀୟ ବକ୍ତା ଭାବେ ,ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ମନୁନନ୍ଦ ପତି,ରାଜ୍ୟ ଓକିଲ ସଂଘ ଉପସଭାପତି ରାଜେନ୍ଦ୍ର ପ୍ରଧାନ,ଆଇନ ପରାମର୍ଶ ଦାତା ଖରାଂସୁ ଶେଖର ଦାସ ପ୍ରମୁଖ ମଞ୍ଚାସୀନ ରହି ସାମାଜିକ,ସାଂସ୍କୃତିକ,ଭୌଗଳିକ ସବୁ ଦୃଷ୍ଟି କୋଣରୁ ଏହି ଘୁମୁସର ଅଞ୍ଚଳ ଜିଲ୍ଲା ପାଇଁ ଯୋଗ୍ୟ ହୋଇଥିବା ବେଳେ ସରକାର ତୁରନ୍ତ ଜିଲ୍ଲା ଘୋଷଣା କରନ୍ତୁ ବୋଲି ପ୍ରକାଶ କରିଥିଲେ। ବର୍ତ୍ତମାନର ୫ଟି ସଚିବ (ଭି.କେ.ପାଣ୍ଡିଆନ୍) ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ଘୁମୁସର ଜିଲ୍ଲା ହେବା ନେଇ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ନେଇ ସରକାରଙ୍କୁ ଅବଗତ କରିଥିଲେ। ତେଣୁ ବର୍ତ୍ତମାନ ସେ ଏହି ଦାବିକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏଥିସହ ଛାତ୍ର ଓ ଯୁବ ସମାଜକୁ ଏହି ଆନ୍ଦୋଳନରେ ସାମିଲ କରି ଘୁମୁସର ଅଞ୍ଚଳ ର ପ୍ରତି ଘରେ ଘରେ ଏହି ଆନ୍ଦୋଳନ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ।
ସଂଗଠନ ସଦସ୍ୟ ନଚିକେତା ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଅରକ୍ଷିତ ପରିଛା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମାଧବ ନାୟକ ସଂଗଠନ ବିବରଣୀ ପ୍ରଦାନ କରିଥିଲେ । ଘୁମୁସର ବାହିନୀ ସେନା, ପକ୍ଷରୁ ଆଗାମୀ ଦିନରେ ଉପଖଣ୍ଡ ଅଧିନ ବିଭିନ୍ନ ବ୍ଳକରେ ଜନ ସଚେତନତା ସୃଷ୍ଟି କରାଯିବା ସହ ଚିଠି ଲେଖା ଅଭିଯାନ ଓ ଆନ୍ଦୋଳନକୁ ବ୍ୟାପକ କରାଯିବ। ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକରେ ଘୁମୁସର ଜିଲ୍ଲା ଦାବି ସଂପର୍କିତ ପୋଷ୍ଟର ଓ ବ୍ୟାନର ଲଗାଇବା ସହ ଆରିଡିସିଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧି ମାନଙ୍କୁ ଭେଟି ଦାବିପତ୍ର ଦେବାକୁ ସଂଗଠନ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ଏଥିସହ ଆନ୍ଦୋଳନକୁ ତୃଣମୂଳ ସ୍ତରକୁ ନେବା ପାଇଁ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୁମୁସର ଜିଲ୍ଲା ସମ୍ପର୍କିତ ପ୍ରତିଯୋଗିତା କରିବାକୁ ନିଷ୍ପତି ନିଆଯାଇଥିଲା।
ଆଗାମୀ କାର୍ଯ୍ୟକ୍ରମରେ ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କୁ ନେଇ, ଇଂରାଜୀ ଓ ଓଡ଼ିଆ ଭାଷାରେ ବକୃତା "ଘୁମୁସର ଐତିହ୍ୟ ଏବଂ ଜିଲ୍ଲାର ଆବଶ୍ୟକତା ବିଷୟ ରହିବ। ସେହିପରି ଘୁମୁସର ଐତିହ୍ୟ ଉପରେ ସାଧାରଣ ଜ୍ଞାନ ର ୫୦ ନମ୍ବର ପ୍ରଶ୍ନ ରହିବା ସ୍ଥିର ହୋଇଛି। ଏହି ପ୍ରତିଯୋଗୀତା ରେ ଭଞ୍ଜନଗର ଆଖପାଖ ଅଞ୍ଚଳ ବିଦ୍ୟାଳୟ ର ୮ମ ରୁ ୧୦ମ ଶ୍ରେଣୀ ଏବଂ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିବା ବ୍ୟବସ୍ଥା କରାଯାଇଛି। ଏଥି ସକାଶେ ଆସନ୍ତା ୧୭ ତାରିଖ ରବିବାର ଦିନ, ଭଞ୍ଜନଗର ର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବାକୁ ଘୁମୁସର ବାହିନୀ ପକ୍ଷରୁ ବୈଠକ ରେ ସ୍ଥିର କରାଯାଇଥିଵାର ଜଣାପଡିଛି।
ରାଜ୍ୟ
"ଘୁମୁସରଜିଲ୍ଲା" ଦାବି ନେଇ, ଵ୍ୟାଘ୍ରଦେଵୀ ଙ୍କ ପୀଠରେ ଘୁମୁସର ବାହିନୀ ର ମହାମିଳନ
- Hits: 1375







