ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସ୍କୁଲ ସହ ଯୋଡି ହେବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଅଭିଭାବକ

ଭୁବନେଶ୍ବର:  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ଆଜି ସହଭାଗୀ ରୂପେ ଅଭିଭାବକ (Parents as Partners) କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରାୟ 17 ଟି ଜିଲ୍ଲାର 229 ଟି ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଚଳିତ ମାସ 6 ଦିନ ଯଥା ସେପ୍ଟେମ୍ବର 8, 13, 16, 22, 25 ଓ 26 ତାରିଖରେ ଏହି କାର୍ଯ୍ୟକ୍ରମ ସମଗ୍ର ରାଜ୍ୟର 1778 ଟି ଅନୁଷ୍ଠାନରେ ଆୟୋଜନ କରାଯିବ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏସଟିଏସି ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ସ୍କୁଲ ସହ ଯୋଡିବା ଓ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥ‌ିବା ପାଠ୍ୟକ୍ରମ, ସହାୟତା ରାଶି, ଛାତ୍ରବୃତ୍ତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରାଇବା । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟସ୍ରୋତରେ ଅଧ୍ୟରୁ ଅଧ‌ିକ ସାମିଲ କରିବା ପାଇଁ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି । ଆଜିର କାର୍ଯ୍ୟକ୍ରମରେ ଭାଗ ନେଇଥ‌ିବା ଅଭିଭାବକ ଓ ଅଂଶଗ୍ରହଣକାରୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ସୂଚନା ଦିଆଯାଇଥିଲା । ପଞ୍ଚାୟତରାଜ ଏବଂ ପାନୀୟ ଜଳ, କୃଷି ଓ କୃଷକ ସଶକ୍ତିକରଣ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ଭଳି ଅନେକ ବିଭାଗ ସ୍କୁଲ ପ୍ରାଙ୍ଗଣରେ ନିଜ ନିଜ ଷ୍ଟଲ ନିର୍ମାଣ କରି ଅଭିଭାବକ ମାନଙ୍କୁ ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଚିତ୍ରାଙ୍କନ, ରଙ୍ଗୋଲି ଭଳି ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକାୟିତ କଳାକୁ ସାମ୍ନାକୁ ଆଣିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅଭିଭାବକମାନଙ୍କୁ ବିଦ୍ୟାଳୟ ଏବଂ ହଷ୍ଟେଲ ଗୁଡିକର କାର୍ଯ୍ୟକାରିତା ଉପରେ ସେମାନଙ୍କର ମତାମତ ଦେବା ପାଇଁ କୁହାଯାଇଥିଲା । ଏହାସହ ବିଭିନ୍ନ ବିଭାଗ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଅଭିଭାବକ ମାନେ ପ୍ରତିକ୍ରିୟା ରଖୁଛନ୍ତି । ଉକ୍ତ କାର୍ଯ୍ୟକ୍ରମ ସମସ୍ତ ଏସଟିଏସି ବିଦ୍ୟାଳୟ, ହଷ୍ଟେଲ ସମେତ ଅନ୍ଵେଶା(ANWESHA), କୋଣ୍ଡା ରେଞ୍ଜି ହଷ୍ଟେଲ ଓ ନବ ଭାରତ ହଷ୍ଟେଲରେ ମଧ୍ୟ ଆୟୋଜନ କରାଯିବ । ଜିଲ୍ଲାପାଳ କାର୍ଯ୍ୟକ୍ରମର ତଦାରଖ କରିବା ସହ ସିଡିଓ, ଜିଲ୍ଲା ପରିଷଦ, ଉପଜିଲ୍ଲାପାଳ, ବ୍ଲକ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାର ମାନେ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବେ

0
0
0
s2sdefault