ଗଞ୍ଜାମ,(ନିଲୁ ବିଷୋୟୀ ) : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଗୋଛାବାଡି ଗାଁ ରେ ଗତ ଆଠ ମାସହେଲା ଉଦ୍ଦେଶ୍ୟମୁଳକ ଭାବେ ପାନୀୟ ଜଳଯୋଗାଣ ବନ୍ଦ କରିଥିବା ଅଭିଯୋଗ ଆଣି ଗ୍ରାମବାସୀ ଶୁକ୍ରବାର ଗାଁ ଛକ ଭଞ୍ଜନଗର-ଭୁବନେଶ୍ୱର ମୁଖ୍ୟ ରାସ୍ତା କୁ ଅବରୋଧ କରିଥିଲେ । ଗ୍ରାମର ଶତାଧିକ ମହିଳା ହାଣ୍ଡି ଓ ମାଠିଆ ରାସ୍ତାରେ ରଖି ପାଣି ପାଇଁ ପ୍ରତିବାଦ କରିଥିଲେ। ମହିଳାଙ୍କ ଏହି ପ୍ରତିବାଦ ଫଳରେ ଭୁବନେଶ୍ୱର-ଭଞ୍ଜନଗର ମୁଖ୍ୟ ରାସ୍ତା ରେ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ଯାତ୍ରୀବାହୀ ବସ ଗୁଡିକ ଦିର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ ।ଗ୍ରାମବାସୀ ଙ୍କ ସହ ପ୍ରଶାସନ ର ଆଲୋଚନା ପରେ ମଧ୍ୟାହ୍ନ ୧୨ ଟା ସମୟରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।
ସୁଚନାନୁସାରେ, ଗାଁ ର ସମସ୍ତ ପରିବାରକୁ ପୁର୍ବରୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା ରହିଥିଲା। କିନ୍ତୁ ଗତ ଜାନୁଆରୀ ମାସରେ ବିଭାଗ ପକ୍ଷରୁ ପ୍ରତି ଘରକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଇବା ପାଇଁ ଵ୍ୟଵସ୍ଥା କରାଗଲା । କାମ କରୁଥିବା ସମ୍ପୃକ୍ତ ଠିକାଦାର କାମ ସାରି ଦେଇଥିଲେ।କିନ୍ତୁ ଗାଁ କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କୁ କାର୍ଯ୍ୟକ୍ଷମ କରାଗଲା ନାହିଁ । ଏ ସମ୍ପର୍କରେ ଗ୍ରାମବାସୀ ବିଭାଗୀୟ ଅଧିକାରୀ ଙ୍କୁ ଭେଟି ଅଭିଯୋଗ କରିଥିଲେ।ହେଲେ କେହି କର୍ଣ୍ଣପାତ କରିନଥିଲେ। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ପୋଖରୀ ପାଣି କୁ ବ୍ୟବହାର କରି ଆସୁଥିଲେ । ପ୍ରଶାସନ ଦେଇଥିବା ମହଲତ ମଧ୍ୟରେ ଗାଁ କୁ ଜଳଯୋଗାଣ ନ ହେବାରୁ ତାତି ଥିଲେ ଗ୍ରାମବାସୀ।ଶୁକ୍ରବାର ସକାଳ ୭ ଟାରୁ ଗ୍ରାମର ଶତାଧିକ ମହିଳା ହାଣ୍ଡି ଓ ମାଠିଆ ଧରି ପ୍ରତିବାଦ କରିଥିଲେ।ଭଞ୍ଜନଗର-ଭୁବନେଶ୍ୱର ରାଜ୍ୟ ରାଜପଥ ଗାଁ ଛକରେ ରାସ୍ତାରୋକ କରିଥିଲେ।ଫଳରେ ରାସ୍ତା ର ଦୁଇ ପଟେ ଶତାଧିକ ଯାନବାହନ ଦିର୍ଘ ସମୟ ଧରି ଅଟକିଥିଲା।
ଖବର ପାଇ ଜଗନ୍ନାଥପ୍ରସାଦ ପୁଲିସ, ବିଡ଼ିଓ, ତହସିଲଦାର ଓ ଭଞ୍ଜନଗର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ।୧୫ ତାରିଖ ସୁଦ୍ଧା ଗ୍ରାମକୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ମିଳିବା ପରେ ମଧ୍ୟାହ୍ନ ୧୨ ଟାରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି।








