ପର୍ଯ୍ୟଟନର ବିକାଶ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ଆଗାମୀ ଡିସେମ୍ବର ମାସ ସୁଦ୍ଧା ଉଭୟ ହରିଶଙ୍କର ଓ ନୃସିଂହନାଥ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମାପ୍ତ ହେବ । ଏଠାରେ ପାର୍କିଂ, ଶୌଚାଳୟ, ମାର୍କେଟ କମ୍ପ୍ଳେକ୍ସ, ପାନୀୟ ଜଳ, ସ୍ଥାନୀୟ ଦୋକାନୀମାନଙ୍କ ପାଇଁ ଆଧୁନିକ ଶୈଳୀରେ ଦୋକାନ ଗୃହ ନିର୍ମାଣ ଆଦି କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।
ନିକଟରେ ବଲାଙ୍ଗୀର ଜିଲ୍ଲା ଗସ୍ତକରି ୫-"ଟି' ସଚିବ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନ୍ ହରିଶଙ୍କର ପୀଠର ଉନ୍ନତିକରଣକୁ ନେଇ ପ୍ରତିଶ୍ରୁତି ଦେଇଥିଲେ ।ଏହାର ସଫଳ ରୂପାୟନକୁ ନେଇରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ପର୍ଯ୍ୟଟନର ବିକାଶ ହେଲେ ଓଡ଼ିଶାର ସାମଗ୍ରିକ ବିକାଶ ହେବ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାର ପାଇଁ ସୁଯୋଗ ମାନ ସୃଷ୍ଟି ହେବ ବୋଲି ଦର୍ଶାଇ ଶ୍ରୀ ତ୍ରିପାଠୀ ଲୋକାଭିମୁଖୀ କାର୍ଯ୍ୟଗୁଡ଼ିକ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।
ଆଜି ସକାଳେ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟରେ ପର୍ଯ୍ୟଟନର ଅଭିବୃଦ୍ଧି ଓ ଭିତ୍ତିଭୂମି ବିକାଶ ଉପରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତାକରି ଶ୍ରୀ ତ୍ରିପାଠୀ ଉପରୋକ୍ତମର୍ମରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ତୁରନ୍ତ ରୂପାୟନ ଉପରେଗୁରୁତ୍ୱ ଦେଇଛନ୍ତି ।
ସମ୍ବଲପୁର ଜିଲ୍ଲାରେ ହୀରାକୁଦ ବୋଟକ୍ଲବ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ।ହୀରାକୁଦ ଜଳଭଣ୍ଡାରରେ ମାସକ ମଧ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ବଡ଼ କୄଜ କାର୍ଯ୍ୟକାରୀ କରାଯିବ ।ଉପକୂଳଓଡ଼ିଶାରେ ଥିବା ଗୋପାଳପୁର, ଚାନ୍ଦିପୁର, ତଳସାରି, ପାରାଦ୍ୱୀପ ଓ ସୋନାପୁର ଇତ୍ୟାଦି ବେଳାଭୂମିରେ ପ୍ରାୟ ୧୫ଟି ଅସ୍ଥାୟୀ ଗୃହ ନିର୍ମାଣ କରାଯିବ । ଏସବୁ ସ୍ଥାନରେ ବସିବା ପାଇଁ ସ୍ଥାନ, ଶୌଚାଳୟ, ମାର୍କେଟ କମ୍ପ୍ଳେକ୍ସ ଓ ପାର୍କିଂ ଇତ୍ୟାଦି ନିର୍ମାଣ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା ।ରାଜ୍ୟର ସମୁଦ୍ର କୂଳବର୍ତ୍ତୀ ସହରଗୁଡ଼ିକୁ ଗୋଆ ଢାଞ୍ଚାରେ ଗଢ଼ି ତୋଳିବାକୁ ଅତ୍ୟାଧୁନିକ ପ୍ରକଳ୍ପମାନ ପରିକଳ୍ପିତ ହୋଇଛି ଏବଂଏଗୁଡ଼ିକ ସରକାରୀ-ଘରୋଇ ଭାଗିଦାରୀରେ ସଂପୂର୍ଣ୍ଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।ସମୀକ୍ଷା ବୈଠକରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଓ ଅନ୍ୟାନ୍ୟ ବରିଷ୍ଠଅଧିକାରୀମାନେ ଉପସ୍ଥିତ ଥିଲେ ।







