-
10ଟି ସହରର 30ଟି ସ୍ଥାନରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ
-
ନକଲି ସାମଗ୍ରୀ ପ୍ରସ୍ତୁତକାରୀ ଏବଂ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ
-
ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସ୍ଥାନୀୟ କମିଶନର ଓ ପୁଲିସ ସହାୟତାରେ ବିପୁଳ ପରିମାଣର ନକଲି ଉତ୍ପାଦ ଜବତ କରାଗଲା।
-
10ଟି ସହରର ଏକାଧିକ ସ୍ଥାନରୁ ଶତାଧିକ ସରଞ୍ଜାମ, ଉପଭୋଗ୍ୟ ବସ୍ତୁ ଓ କିଟ୍ସ୍ ଜବତ କରାଗଲା।
ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ବ୍ରାଣ୍ଡ ୟୁରେକା ଫୋର୍ବସ୍ ଜନ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଗ୍ରାହକଙ୍କ ହିତ ରକ୍ଷା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । କମ୍ପାନୀ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ନକଲି ଜଳ ବିଶୋଧକ ବା ୱାଟର ପ୍ୟୁରିଫାଏର ଡିଲର, ସର୍ଭିସ୍ ପ୍ରୋଭାଇଡର ବା ସେବା ଯୋଗାଣକାରୀ ଓ ନିର୍ମାତାଙ୍କ ବିରୋଧରେ ଚଢ଼ାଉ କରାଯାଇଛି। 10ଟି ସହରର ପ୍ରାୟ 30ଟି ସ୍ଥାନରେ ଚଢ଼ାଉ କରାଯାଇ ଶତାଧିକ ନକଲି ସାମଗ୍ରୀ ଜବତ କରାଯାଇଛି।
ନକଲି ସାମଗ୍ରୀ ପ୍ରସ୍ତୁତକାରୀ ଏବଂ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲି ଉତ୍ପାଦ ମଧ୍ୟ ଜବତ କରାଯାଇଛି । ଏଥିରେ ସ୍ଥାନୀୟ କମିଶନର ଓ ପୁଲିସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନକଲି ଫିଲ୍ଟର ଓ କ୍ୟାଣ୍ଡେଲ ବିକ୍ରେତା, ଡିଲର, ଡିଷ୍ଟ୍ରିବ୍ୟୁଟରଙ୍କ ସମେତ ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ଚୁକ୍ତିଭିତ୍ତିକ ସେବା ପ୍ରଦାନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ଦିଲ୍ଲୀ, ନାଗପୁର, ସୋଲାପୁର, ମୁମ୍ବାଇ, ଥାଣେ, ଅହମ୍ମଦାବାଦ, ପାଟନା, ଲକ୍ଷ୍ନୌ, ଗାଜିଆବାଦ ଓ ଭୁବନେଶ୍ୱର ଆଦି 10ଟି ସହରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ଚଢ଼ାଉ ସଫଳ ହେବା ସହିତ ବହୁ ପରିମାଣରେ ନକଲି ‘‘ଆକ୍ୱାଗାର୍ଡ’’, ‘‘ଆକ୍ୱାସଫିଲ୍ଟର’’ ଏବଂ ‘‘ଆକ୍ଟିଭ୍ କପର୍’’ ଉତ୍ପାଦ ସହିତ ଫିଲ୍ଟର, କେର୍ଟ୍ରିଜ୍, ଉପଭୋଗ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଥିଲା ।
ୟୁରେକା ଫୋର୍ବସ୍ ଅସଲି ଓ ଉଚ୍ଚ ମାନର ଉତ୍ପାଦ, ବିଶେଷ କରି ନିଜର ‘‘ଆକ୍ୱାଗାର୍ଡ’’ ବ୍ରାଣ୍ଡର ୱାଟର୍ ପ୍ୟୁରିଫାୟର ଯୋଗାଇ ଦେବା ଲାଗି ନିଜର ପ୍ରତିବଦ୍ଧତା ପାଇଁ ଲୋକପ୍ରିୟତା ଅର୍ଜନ କରିପାରିଛି । ନକଲି ଉତ୍ପାଦ ଓ ସରଞ୍ଜାମ ବିକ୍ରି କରିବା ଏବଂ ବ୍ୟବହାର କରିବା ଭଳି ସମସ୍ୟାର ମୁକାବିଲା ନିମନ୍ତେ କମ୍ପାନୀ ଏପରି ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ଦେଇଛି । ଖରାପ ମାନର ଏବଂ ନକଲି ସାମଗ୍ରୀ ସହ ଯୋଡ଼ି ହୋଇଥିବା କ୍ଷତିକାରକ ପରିଣାମ ଆଶଙ୍କା ଠାରୁ ଉପଭୋକ୍ତାଙ୍କୁ ସୁରକ୍ଷା ଦେବା ଲାଗି କମ୍ପାନୀ ସମର୍ପିତ ହୋଇ କାର୍ଯ୍ୟ କରୁଛି ।
ୟୁରେକା ଫୋର୍ବସ୍ର ଜଣେ ମୁଖପାତ୍ର କହିଛନ୍ତି, ‘‘ଏହି ପ୍ରୟାସରେ ନିରନ୍ତର ସହଯୋଗ ଓ ସହଭାଗିତା ଯୋଗାଇ ଦେଇଥିବାରୁ ଆମେ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଉଛୁ । ନକଲି ଓ ଜାଲ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ଉପଭୋକ୍ତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। ତେଣୁ ଏଥିପ୍ରତି ସତର୍କ ରହିବା ଲାଗି ଆମେ ସବୁ ଉପଭୋକ୍ତାଙ୍କୁ ଅନୁରୋଧ କରୁଛୁ। କେବଳ ଅଧିକୃତ ବ୍ୟବସାୟିକ ସହଯୋଗୀ ଏବଂ ସର୍ଭିସ୍ ଟେକ୍ନିସିଆନଙ୍କ ମାଧ୍ୟମରେ ଉପଭୋକ୍ତା ନିଜର ଆକ୍ୱାଗାର୍ଡ ୱାଟର୍ ପ୍ୟୁରିଫାୟର ପାଇଁ ଅସଲି ଉତ୍ପାଦ ଏବଂ ସରଞ୍ଜାମ କିଣିବା ଏବଂ ଏହାକୁ ଯାଞ୍ଚ କରିବା ନିମନ୍ତେ ଆମେ ପରାମର୍ଶ ଦେଉଛୁ ।’’








