ହେଡଲାଇନସ୍:

ଶିକ୍ଷକର ମୃତ୍ୟୁ ନଥାଏ, ଶିକ୍ଷକ ମାନେ ନିଜ ଅନୁଭୂତି ଲେଖିବା ଆବଶ୍ୟକ:ଅରୁଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଅନ୍ୟକୁ ଆପଣେଇ ନେବାର କ୍ଷମତା ଜଣେ ଶିକ୍ଷକ ପାଖରେ ରହିଥାଏ ଯାହାକି ଅନ୍ୟ କାହାରି ପାଖରେ ନାହିଁ"

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଆଜି ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ ସମାରୋହ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଓ କଲେଜ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ବାରା ଆୟୋଜିତ ଏହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ,ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଓ ବ୍ଲକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ,ପୌରାଧ୍ୟକ୍ଷ ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରତି ବର୍ଷ ପରି ଏହି ବର୍ଷ ନିଆରା ଢଙ୍ଗରେ ପାଳନ ହୋଇଛି ଗୁରୁ ପୂଜନ ପରମ୍ପରା । ଏଥିରେ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ସ୍ତରରେ କାର୍ଯ୍ୟ କରିଥିବା କେବଳ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିଆରା ଢଙ୍ଗରେ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଡ. ସାହୁ ଆଜିର ସମାଜରେ ଶିକ୍ଷକ ମାନଙ୍କର ଭୂମିକା ଉପରେ ଟିପ୍ପଣି ପ୍ରଦାନ କରିଥିଲେ । ଶିକ୍ଷକର ମୃତ୍ୟୁ ନାହିଁ । ଶିକ୍ଷକଟିଏ ମୃତ୍ୟୁ ବରଣ କରିଥିଲେ ମଧ୍ୟ ସେ ସଦାସର୍ବଦା ଚିର ସ୍ମରଣୀୟ । ତେଣୁ ଶିକ୍ଷକ ଜାତିର ମୃତ୍ୟୁ ନାହିଁ କିମ୍ବା ଅବସର ନାହିଁ। ଅତୀତର ସ୍ମୃତି ସାଉଣ୍ଟିବା ପାଇଁ ଆଜିକାର ଦିନରେ ଏଭଳି ଆୟୋଜନର ପ୍ରୟାସ କରାଯାଇଛି । ପୂର୍ବରୁ ପେନ୍‌ସନ ପାଇଁ ଆସୁଥିବା ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବ୍ୟାଙ୍କ ସମ୍ମୁଖରେ ଏକାଠି ଦେଖା ହୋଇ ପାରୁଥିଲେ । ସରକାର ଏବେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିବାରୁ ଆଉ ପରସ୍ପର ସହିତ ଦେଖା ସାକ୍ଷାତ ହୋଇପାରୁ ନାହିଁ । ତେଣୁ ଆଜି ପରି ଏକ ପବିତ୍ର ଦିବସରେ ସମସ୍ତେ ସମସ୍ତଙ୍କୁ ଦେଖିବାର ସୁଯୋଗ ପାଉଥିବା ବେଳେ ସମସ୍ତେଭାବ ବିହ୍ଵଳ ହୋଇ ପଡୁଛନ୍ତି । ଆଜିର ସମାଜରେ ଯେପରି ବିଘଟଣ ଘଟୁଛି ଏହାକୁ କେବଳ ବୟସ୍କ ମାନେ ଚାହିଁଲେ ରୋକି ପାରିବେ । ଶିକ୍ଷାର ପ୍ରଗତି ଆଗକୁ ଆଗକୁ ଯେତିକି ଯାଉଛି ଅନ୍ଧ ବିଶ୍ବାସ ଓ କୁସଂସ୍କାର ସମ ପରିମାଣରେ ହଟୁଛି । ତଥାପି ଆଜିର ଆଧୁନିକ ଯୁଗରେ ନୂଆ ନୂଆ ଅନ୍ଧବିଶ୍ବାସ ସୃଷ୍ଟି ହେବାରେ ଲାଗିଛି ।

ବୟସ୍କ ମାନେ ନିଜର ଶକ୍ତି ଓ ସାମର୍ଥ୍ୟ ଉପରେ ବିଶ୍ବାସ ରଖି ପାରୁଥିବା ବେଳେ ଆଜିର ଯୁବ ସମାଜ ଶକ୍ତି ସାମର୍ଥରେ ଅସମର୍ଥ ହୋଇଛି । ଆଜିର ଯୁବପିଢ଼ୀ ବୟସ୍କ ମାନଙ୍କୁ ଯେତିକି ସମ୍ମାନ ଦେବ ସେମାନଙ୍କୁ ସମାଜ ସେତିକି ସମ୍ମାନ ଦେବ ବୋଲି ଡ. ସାହୁ ଆହ୍ବାନ ଦେଇଥିଲେ । ଜଣେ ଶିଶୁର ପ୍ରଥମ ଶିକ୍ଷକ ମା' ଅଟେ।ଶିଶୁଟିଏ ପ୍ରଥମେ ମା' ଠାରୁ ଶିକ୍ଷା ଗ୍ରହଣ କରିଥାଏ । ସେହିପରି ଶିକ୍ଷକ ହେଉଛି ଶିଶୁର ମା'ଟିଏ । ଏହା ପରେ ସେ ଶିକ୍ଷକ ଠାରୁ ଶିକ୍ଷା ଗ୍ରହଣ କରିଥାଏ । ଅନ୍ୟକୁ ଆପଣେଇ ନେବାର କ୍ଷମତା ଜଣେ ଶିକ୍ଷକ ପାଖରେ ରହିଥାଏ ଯାହାକି ଅନ୍ୟ କାହାରି ପାଖରେ ନାହିଁ ବୋଲି ବକ୍ତବ୍ୟ ରଖୁଛନ୍ତି ଡ. ସାହୁ । ନିଜ ଶିକ୍ଷକ ଜୀବନର ଅନୁଭୂତି ଅବସରପ୍ରାପ୍ତ ଶିକ୍ଷକମାନେ ଲେଖିବା ଆବଶ୍ୟକ ବୋଲି ଡ. ସାହୁ ମତବ୍ୟକ୍ତ କରିବା ସହିତ ଯଦି ଚାହିଁବେ ଏହାକୁ ପୁସ୍ତକ ଆକାରରେ ଛପାଇବା ପାଇଁ ଆବଶ୍ୟକ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ଦ୍ଵାରା ପରପିଢ଼ି ଅନେକ କିଛି ଜାଣିବାର ଅବକାଶ ପାଇବେ ବୋଲି ମୁଖ୍ୟ ଅତିଥି କହିଥିଲେ।

ଶିକ୍ଷକ ଶେଖ ଅବଦୁଲ ଖାଲିକ,ଶରତ ଆଚାର୍ଯ୍ୟ ଏବଂ ସୌଦାମିନୀ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଳକ ଏବଂ ପୌରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ୭ ଶହରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।

0
0
0
s2sdefault