ହେଡଲାଇନସ୍:

ଭଞ୍ଜନଗର ଐତିହାସିକ କଇଁଆ ବାଗ୍ ଦେବୀ ମନ୍ଦିର ଜଳରେ ପୂର୍ଣ୍ଣ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର (ଉଦୟନାଥ ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ବ୍ଳକ ଛକଠାରେ ଥିବା ମାଁ କଇଁଆ ବାଗ୍ ଦେବୀ ମନ୍ଦିର ନାଳ ନର୍ଦ୍ଦମା ପାଣି ରେ ପରିପୂର୍ଣ ହୋଇଯାଇଛି।

ଶ୍ରାବଣ ମାସର କିଛି କିଛି ବର୍ଷାଜଳ ସହିତ, ମନ୍ଦିର ଆଗରେ କୋର୍ଟ ର ନୂତନ କୋଠା ନିର୍ମାଣରେ, ନାଳ ନର୍ଦ୍ଦମା ଗୁଡ଼ିକ ଜାମ୍ ହୋଇଯାଇଥିବା କାରଣ ରୁ ଅପରିଷ୍କାର ଜଳ ସଠିକ୍ ଭାବରେ ନିଷ୍କାସନ ନହୋଇ ପାରି ମନ୍ଦିର ଭିତରକୁ ପ୍ରବେଶ କରୁଛି। ଅନ୍ୟପକ୍ଷରେ ମନ୍ଦିର ପାଖରେ ଥିବା ବାଗ୍ଦେବୀ ରୋଡ଼ରେ ନୂତନ ଭାବେ ଗଢିଉଠିଥିବା ବସ୍ତିଗୁଡିକର ଘରସବୁ ଉଚ୍ଚ ହୋଇଯାଇଥିବାବେଳେ, ଦୀର୍ଘ ୧୩୦ ବର୍ଷ ର ପ୍ରାଚୀନ ମନ୍ଦିର ତଳୁଆ ହୋଇରହିଯାଇଛି। ଫଳରେ ଚତୁର୍ଦିଗରୁ ପାଣି ଆସି ମନ୍ଦିର ଭିତରେ ପ୍ରବେଶ କରୁଛି। ଫଳରେ ମନ୍ଦିର ଭିତରେ ଅପରିଷ୍କାର ପାଣି ଭର୍ତ୍ତି ଥିବା ଯୋଗୁଁ, ମନ୍ଦିର ର ଭୋଗଲାଗି ଓ ପୂଜା ବିଧିରେ ଚରମ ସମସ୍ୟା ଦେଖାଦେଇଛି।

ବିଗତ କିଛି ଦିନ ଧରି ମନ୍ଦିର ଭିତରେ ଏପରି ଅସ୍ବାଭାବିକ ପରିସ୍ଥିତି ଲାଗି ରହିଥିବା ବେଳେ,ଏହାର କୌଣସି ସମାଧାନ ର ବାଟ ଫିଟିନାହିଁ। ଦୈନିକ ସକାଳ ଓ ସନ୍ଧ୍ୟା ସମୟରେ ସମଗ୍ର ଭଞ୍ଜନଗର ସହରର ଶହ ଶହ ସଂଖ୍ୟାରେ ଭକ୍ତ ମାଁଙ୍କ ଦର୍ଶନ ପାଇଁ ମନ୍ଦିର କୁ ଆସୁଥିବା ବେଳେ, ମନ୍ଦିର ର ଏଭଳି ଅବସ୍ଥା ଦେଖି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଭଞ୍ଜନଗର ର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ସମୟରେ କୁଲାଡ ରୁ ମାଁ ବ୍ୟାଘ୍ର ଦେବୀ ଆସି, କିଛି ସମୟ ପାଇଁ ମାଁ ଏହି କଇଁଆ ବାଗ୍ ଦେବୀ ମନ୍ଦିର ରେ ବିଶ୍ରାମ ନେଇଥାନ୍ତି। ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ସହରର ହଜାର ହଜାର ଜନସାଧାରଣ, ଦେବୀ ମାଁ ଙ୍କୁ ଏଠାରୁ ବିରାଟ ପଟୁଆର ମଧ୍ୟରେ ସହରର ପୂଜା ମଣ୍ଡପକୁ ଯାତ୍ରା ରେ ବାହାରିଥାନ୍ତି। କିନ୍ତୁ ଏସବୁ ଭିତରେ, ଭଞ୍ଜନଗର ସହରର ଏହି ଐତିହାସିକ ମାଁ କଇଁଆ ବାଗ୍ ଦେବୀ ମନ୍ଦିର ପାଣି ଭିତରେ ବୁଡ଼ି ରହିବା, ଭକ୍ତ ଓ ହଜାର ହଜାର ଜନସାଧାରଣଙ୍କ ଭାବାବେଗକୁ କୁଠାରାଘାତ କରିଛି। ଅନ୍ୟପକ୍ଷରେ ସ୍ଥାନୀୟ ଜନସାଧାରଣ ଅଭିଯୋଗ, ଏହାଯେ, ମନ୍ଦିର ଦୂରାବସ୍ଥା ବିଷୟରେ ସେମାନେ ସ୍ଥାନୀୟ ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଫଳ ଶୂନ। ସେଥିପାଇଁ ସ୍ଥାନୀୟ ଜନସାଧାରଣ ବିଭିନ୍ନ ଗଣମାଧ୍ୟମ ଙ୍କ ଦୃଷ୍ଟି ଆକର୍ଷଣ କରି କଇଁଆ ବାଗ୍ ଦେବୀ ମନ୍ଦିର ର ସୁ ବ୍ୟବସ୍ଥା ବିଷୟରେ, ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ କୁ ପୁଣି ଥରେ ଅଭିଯୋଗ କରିଛନ୍ତି।

0
0
0
s2sdefault