ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ସରକାର କ୍ରମାଗତଭାବେ ପ୍ରାଥମିକ ଶିକ୍ଷକମାନଙ୍କୁ ଅବହେଳା କରିଚାଲିଛନ୍ତି । ଶିକ୍ଷକମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି କିମ୍ବା ଅଧିକାର ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦେବା,ଛଅ ବର୍ଷ ଠିକା ନିଯୁକ୍ତି ସମୟକୁ ନିୟମିତ କରି ୬ଟି ଇନକ୍ରିମେଣ୍ଟ ଦେବା ,ନିୟମିତ ପଦୋନ୍ନତି ଏବଂ ପୁରୁଣା ପେନସନ ପ୍ରଚଳନ କରିବା,ଏକ୍ସ କ୍ୟାଡର ଉଚ୍ଛେଦ କରିବା ତଥା ପାର୍ଟଟାଇମ ଶିକ୍ଷକମାନଙ୍କୁ ନିୟମିତ କରିବା ଆଦି ବିଭିନ୍ନ ଦାବି ନେଇ ଶିକ୍ଷକମାନେ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସରକାର ତାହାକୁ ଏଡ଼ାଇ ଚାଲିଛନ୍ତି । ଏହାର ପ୍ରତିବାଦରେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ୫ହଜାରରୁ ଉର୍ଦ୍ଧ୍ୱ ବିଭିନ୍ନ ବର୍ଗର ଶିକ୍ଷକ ପ୍ରବଳ ବର୍ଷାରେ ଭିଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ରାଜ୍ୟ ସଂଘର ଆହ୍ୱାନ କ୍ରମେ ଆଜି ସମଗ୍ର ଜିଲ୍ଲାର ୮ଟି ବ୍ଲକର ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ,ପୁରୁଣା ପେନସନଭୁକ୍ତ ଶିକ୍ଷକ,ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ତଥା ପାର୍ଟ ଟାଇମ କଳା ଏବଂ କ୍ରୀଡ଼ା ଶିକ୍ଷକମାନେ ପ୍ରବଳ ବର୍ଷା ସତ୍ୱେ ରାଜ୍ୟ ସରକାରଙ୍କ ନିକଟରେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ଦୃଢ଼ ପ୍ରତିବାଦ କରିଛନ୍ତି । ଆଜି ପୂର୍ବାହ୍ନରେ ସମସ୍ତ ଶିକ୍ଷକମାନେ ନୟାଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଏକତ୍ରିତ ହୋଇ ସେଠାରୁ ଏକ ବିଶାଳ ର୍ୟାଲିରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ଏହି ସମୟରେ ବର୍ଷା ଢୁଢୁ ଛେଚିଥିଲେ ମଧ୍ୟ ସେଥିପ୍ରତି ଖାତିର ନକରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବିଶାଳ ର୍ୟାଲି ନୟାଗଡ଼ ସହର ମଧ୍ୟ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥକୁ ସଂପୂର୍ଣ୍ଣ ଅବରୋଧ କରିଥିଲା । ପରବର୍ତ୍ତି ସମୟରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ଫେଡ଼େରେସନର ସଭାପତି ଜ୍ୟୋତିରଂଜନ ଦାଶଙ୍କ ପୌରହିତ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯାଇ ସାରକାରଙ୍କ ଶିକ୍ଷକ ମାରଣ ନୀତିର ତୀବ୍ର ବିରୋଧ କରାଯାଇଥିଲା । ଯଦି ସରକାର ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି କର୍ଣର୍ପାତ ନକରନ୍ତି ତେବେ ଚଳିତମାସ ୧୬ ତାରିଖରୁ ସମସ୍ତ ବର୍ଗର ଶିକ୍ଷକ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି ଶିକ୍ଷକମାନେ ଚେତାବନୀ ଦେଇଥିଲେ । ପରେ ସଂଘ ସଭାପତି ଜ୍ୟୋତିରଂଜନ ଦାଶ ଏବଂ ସମ୍ପାଦକ ଭକ୍ତ ରଂଜନ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଜିଲ୍ଲପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ।
ରାଜ୍ୟ
ବର୍ଷାରେ ଶିକ୍ଷକଙ୍କ ବିଶାଳ ର୍ୟାଲି : ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର,୧୬ରୁ ଝୁଲିବ ବିଦ୍ୟାଳୟରେ ତାଲା
- Hits: 453








