-
- ଭାରତରେ ଏକ ବିଶ୍ୱ-ଶ୍ରେଣୀର ବିନିର୍ମାଣ ସୁବିଧା ନିର୍ମାଣ କରିବା ଲକ୍ଷ୍ୟ
-
- ଆଲୁମିନିୟମ ବ୍ୟବହାର ବେଗ ଓ ଭାରବହନରେ ବୃଦ୍ଧି ଘଟାଏ, ଏବଂ ସିଓ୨ ନିର୍ଗମନ ହ୍ରାସକରେ
-
- ରେଳବିଭାଗର ନେଟ୍-ଜିରୋ ଲକ୍ଷ୍ୟ ମୁତାବକ ହୋଇଛି
ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲିଂ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଏକ ସ୍ପେଶାଲାଇଜଡ୍ ଇଞ୍ଜିନିୟରିଂ କମ୍ପାନୀ ଟେକ୍ସମାକୋ ରେଲ୍ ଆଣ୍ଡ୍ ଇଞ୍ଜିନିୟରିଂ ଲିମିଟେଡ ବିଶ୍ୱ ଶ୍ରେଣୀର ଆଲୁମିନିୟମ ରେଳ ୱାଗନ ଏବଂ କୋଚ୍ ବିକାଶ ଓ ବିନିର୍ମାଣ ନିମନ୍ତେ ଏକ ରଣକୋ÷ଶଳାତ୍ମକ ଚୁକ୍ତି କରିଛନ୍ତି, ଯାହା ଭାରତୀୟ ରେଳବିଭାଗକୁ ଏହାର ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ଏବଂ ପରିଚାଳନାଗତ ସାମର୍ଥ୍ୟକୁ ଅଧିକ ସୁଦୃଢ କରିବ ।
ଭାରତୀୟ ରେଳ ବିଭାଗ ପଣ୍ୟ ପରିବହନରେ ୪୫% ବଜାର ଅଂଶ ହାସଲ ଲକ୍ଷ୍ୟରେ ନିଜର ରୋଲିଂ ଷ୍ଟକ୍ ସଂଖ୍ୟା ବୃଦ୍ଧିକରି ୨୦୨୭ ସୁଦ୍ଧା ଏହାର ପଣ୍ୟ ପରିବହନ କ୍ଷମତା ଦ୍ୱିଗୁଣିତ କରିବା ସହିତ ତାହାକୁ ୩,୦୦୦ ନିୟୁତ ଟନ୍ରେ ପହଞ୍ଚାଇବା ଲକ୍ଷ୍ୟ ନେଇ ‘ମିଶନ୍ ୩୦୦୦ ନିୟୁତ ଟନ୍’ ଆରମ୍ଭ କରିଛି । ଏହି ଆକାଂକ୍ଷିତ ଲକ୍ଷ୍ୟ ହାସଲ ନିମନ୍ତେ ରେଳ ବିଭାଗ ତାହାର ୱାଗନ ଡିଜାଇନରେ ଉନ୍ନତି ଆଣିବା ନିମନ୍ତେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ଏବଂ ୱାଗନ୍ ନିର୍ମାତାମାନେ ମୋଟାମୋଟି ପରିବହନ କ୍ଷମତା ବୃଦ୍ଧି ସହିତ ରେଳ ବିଭାଗ ସମ୍ପତ୍ତିର ଜୀବଦ୍ଧଶାରେ ବୃଦ୍ଧି ଘଟାଇବାକୁ ସେମାନଙ୍କ ନିକଟରୁ ଡିଜାଇନ ଆହ୍ୱାନ କରୁଛି ।
ରେଳ ବିଭାଗରେ ଏହି ସମସ୍ତ ପ୍ରୟାସକୁ ବିଚାରକୁ ନେଇ ହିଣ୍ଡାଲ୍କୋ ଏବଂ ଟେକ୍ସମାକୋ ସୁଯୋଗ ଅନୁଧ୍ୟାନ କରିବାକୁ ପରସ୍ପର ସହିତ ହାତ ମିଳାଇଛନ୍ତି, ଯେଉଁଥିରେ ହିଣ୍ଡାଲ୍କୋ ନିଜର ଅନନ୍ୟ ଆଲୁମିନିୟମ ଆଲୟଜ୍ର ପ୍ରୋଫାଇଲ, ସିଟ୍ ଏବଂ ପ୍ଲେଟ୍ ଯୋଗାଇଦେବ ଏବଂ ତାହାସହିତ ଫାବ୍ରିକେସନ୍ ଏବଂ ୱେଲ୍ଡିଂ ବିଦ୍ୱତା ମଧ୍ୟ ଉପଲବ୍ଧ କରାଇବ ।
କମ୍ପାନୀର ଆଭ୍ୟନ୍ତରୀଣ ଆଲୁମିନିୟମ ପଣ୍ୟ ପରିବହନକାରୀ ରେକ୍ ଗତବର୍ଷ ପ୍ରଚଳନ କରାଯାଇଥିବାବେଳେ ତାହା ୧୮୦ ଟନ୍ ହାଲୁକା ଏବଂ ଭଡା ଏବଂ ଓଜନ ଅନୁପାତରେ ୧୯% ଅଧିକ ପଣ୍ୟ ପରିବହନ କ୍ଷମତା ଯୋଗାଇ ଦେଉଛି ତଥା ତୁଳନାତ୍ମକ ଭାବରେ ନଗଣ୍ୟ ଚିରା ଫଟାରେ କମ୍ ଶକ୍ତି ବ୍ୟବହାର କରୁଛି । ବିଗତ ୮୦ ବର୍ଷ ଧରି ଟେକ୍ସମାକୋ ପଣ୍ୟ ପରିବହନକାରୀ କାର୍ ନିର୍ମାଣ କ୍ଷେତ୍ରରେ ଏକ ବିଶାରଦ ହୋଇଥିବାବେଳେ ତାହା ବୈଷୟିକ ଅଭିଜ୍ଞତା ପ୍ରଦାନ କରିବ ଏବଂ ଡିଜାଇନ, କାରଖାନା ଓ ଉତ୍ପାଦନ ଲାଇନ୍ ସ୍ଥାପନ ଏବଂ କୁଶଳୀ ଲୋକଶକ୍ତି ଯୋଗାଣ ଦାୟିତ୍ୱ ନିଭାଇବ ।
ଏହି ସହଭାଗୀତା ସମ୍ପର୍କରେ ମତ ଦେଇ ଶ୍ରୀ ସତୀଶ ପାଇ, ମ୍ୟାନେଜିଂ ଡାଇରେକ୍ଟର, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ କହିଥିଲେ, “ଭାରତର ପ୍ରଥମ ଆଲୁମିନିୟମ ରେକ୍ ପ୍ରଚଳନ ସହିତ ଆମେ ଉଚ୍ଚତର ଭାର ପରିବହନର ଫାଇଦା ଏବଂ ଆଲୁମିନିୟମ ରେକ୍ ବ୍ୟବହାର ଦ୍ୱାରା ହେଉଥିବା ସିଓ୨ ନିର୍ଗମନ ହ୍ରାସର ଫାଇଦା ପ୍ରଦର୍ଶନ କରିଛୁ । ଏହି ସହଭାଗୀତା ପଣ୍ୟ ପରିବହନ ଶିଳ୍ପ ଏବଂ ଯାତ୍ରୀ ପରିବହନ ନିମନ୍ତେ ମୂଲ୍ୟଗତ ଦିଗରେ ବୃଦ୍ଧି ଘଟାଇବାରେ ଆମ
ଭୂମିକାକୁ ଅଧିକ ସୁଦୃଢ କରିବ ଏବଂ ସେହି ସମୟରେ ରେଳ ବିଭାଗକୁ ତାହାର ନେଟ୍ ଜିରୋ ଲକ୍ଷ୍ୟ ହାସଲ ଦିଗରେ ସହାୟତା କରିବ ।”
ଶ୍ରୀ ଇନ୍ଦ୍ରଜିତ ମୁଖାର୍ଜୀ, ଭାଇସ୍ ଚେୟାରମ୍ୟାନ, ଟେକ୍ସମାକୋ ରେଲ୍ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ କହିଥିଲେ, “ଏହି ମୂଲ୍ୟବାନ ସହଭାଗୀତା ନବୋନ୍ମେଷୀ ଏବଂ ଦୀର୍ଘସ୍ଥାୟୀ ଉତ୍ପାଦ ସୃଷ୍ଟି ଦିଗରେ ବିଶେଷ ସହାୟକ ହେବ ଏବଂ ତାହାସହିତ ଏହା ଶିଳ୍ପର ଅଙ୍ଗାରକ ନିର୍ଗମନ ହ୍ରାସ ତଥା ଏକ ସକାରାତ୍ମକ ପରିବେଶ ପ୍ରଭାବକୁ ଆଗେଇ ନେବା ଦିଗରେ ଆମର ପ୍ରତିବଦ୍ଧତାକୁ ପୁନଃମଜଭୁତ କରୁଛି ।”
ଏହି ସମସ୍ତ ଉଲ୍ଲେଖନୀୟ ଫାଇଦା ହିଣ୍ଡାଲ୍କୋ ଏବଂ ଟେକ୍ସମାକୋକୁ ଆତ୍ମନିର୍ଭର ଭାରତ ଗଠନ ସ୍ୱପ୍ନ ସାକାର କରିବା ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଷ୍ଟେସନ ନିର୍ମାଣ ତଥା ମେଟ୍ରୋ ରେଳ ନେଟୱର୍କରେ ସର୍ବାଧୁନିକ କୋଚ୍ ଓ ଦ୍ରୁତ ସମ୍ପ୍ରସାରଣ ଭଳି ମୋ÷ଳିକ ଭିତ୍ତିଭୂମିରେ ବ୍ୟାପକ ଆଧୁନିକୀକରଣ ନିମନ୍ତେ ରେଳ ବିଭାଗ ପକ୍ଷରୁ ନିଆଯାଉଥିବା ତ୍ୱରିତ ପଦକ୍ଷେପରେ ସହାୟକ ହେବ ।
ଶ୍ରୀ ସୁଦୀପ୍ତ ମୁଖାର୍ଜୀ, ଡେପୁଟି ମ୍ୟାନେଜିଂ ଡାଇରେକ୍ଟର, ଟେକ୍ସମାକୋ ରେଲ୍ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ କହିଥିଲେ, “ଭାରତୀୟ ରେଳ ବିଭାଗକୁ କମ୍ ଅଙ୍ଗାରକ ନିର୍ଗମନକାରୀ ଦକ୍ଷ ରୋଲିଂ ଷ୍ଟକ୍ ପ୍ରଚଳନ କରିବା ପ୍ରୟାସରେ ସମର୍ଥନ ଯୋଗାଇଦେବାକୁ ଏହି ସହଭାଗୀତା ବିପୁଳ ଗୁରୁତ୍ୱ ବହନ କରୁଛି ।”
ଉଚ୍ଚ ଗୁଣମାନର ଆଲୁମିନିୟମ ୱାଗନ୍, କୋଚ୍, ବୃହତ୍ କଣ୍ଟେନର ଏବଂ ସଂଘଟକ ଅଂଶ ନିର୍ମାଣ କରିପାରୁଥିବା ଏକ ସ୍ୱଦେଶୀ ବ୍ୟବସ୍ଥା, ସାମର୍ଥ୍ୟ ବୃଦ୍ଧି ତଥା ପରିବହନ ଖର୍ଚ୍ଚ ହ୍ରାସକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ରୁତ ଗତିରେବିକାଶ କରାଯାଉଥିବା ଉତ୍ସର୍ଗୀକୃତ ପଣ୍ୟ ପରିବହନ କରିଡର ପାଇଁ ବହୁ ଭାବରେ ପରିପୂରକ ହେବ ।








