କିଟ୍ ଅଡିଟୋରିୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ "ଆଲୋକିତ ସନ୍ଧ୍ୟା''
ଭୁବନେଶ୍ୱର:ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନବନିଯୁକ୍ତ ଓଡ଼ିଶା ଶିକ୍ଷାସେବା (ଓଇଏସ୍) ଅଧିକାରୀଙ୍କ ୧୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତି ପାଇଥିବା ୧୬୦ ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କୁ ଦୁଇଟି ପର୍ଯ୍ୟାୟରେ ତାଲିମ୍ ଦିଆଯାଉଛି । ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପରିଚାଳନା ପ୍ରତିଷ୍ଠାନଠାରେ ଆରମ୍ଭ ହୋଇଥିବା ଏହି ତାଲିମ୍ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ୮୦ ଜଣ ନବନିଯୁକ୍ତ ଅଧିକାରୀ ପ୍ରଶିକ୍ଷଣ ନେଉଛନ୍ତି । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଦ୍ୱାରା ଆୟୋଜିତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଚଳିତ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଅଗଷ୍ଟ ୧୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରଶିକ୍ଷଣ ଶିବିରର ୧୪ତମ ଦିବସରେ କିଟ୍ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ତାଲିମ୍ ଶିବିରର ଏକ ଅବିସ୍ମରଣୀୟ ସାଂସ୍କୃତିକ ସନ୍ଧ୍ୟା ବୋଲି ନବନିଯୁକ୍ତ ଅଧିକାରୀମାନେ ମତ ପ୍ରକାଶ କରିଛନ୍ତି । ନୂତନ ଭାବରେ ନିଯୁକ୍ତି ପାଇଥିବା ଅଧିକାରୀଙ୍କ ବୃତ୍ତିଗତ ଯାତ୍ରାରେ ଏହା ଅନେକ ଉତ୍ସାହ ଆଣିଦେବ ।
ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍. ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ(ଓସେପା) ଶ୍ରୀ ଅନୁପମ ସାହା ସ୍ୱାଗତ ଭାଷଣ ଦେଇଥିଲାବେଳେ ଶେଷରେ ଯୁଗ୍ମ ନିର୍ଦ୍ଦେଶକ(ଓସେପା)ଶ୍ରୀ ସରୋଜ କୁମାର ବେହେରା ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଭଗବାନ ବେହେରା, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ପ୍ରତିଭା ଦୋରାଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।








