-ଖୁବ୍ଶୀଘ୍ର ଆରମ୍ଭ ହେବ ପୁରସ୍କାର ଚୟନ ପ୍ରକ୍ରିୟା
ଭୁବନେଶ୍ୱର, ୦୫ା୦୮: ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡି଼କର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା ବ୍ୟବସ୍ଥା ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ଓ ପୁରସ୍କୃତ କରି ପ୍ରୋତ୍ସାହନ ଦେବା ପାଇଁ ଚଳିତବର୍ଷଠାରୁ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ । ଖୁବ୍ଶୀଘ୍ର ଏଥିପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ପୁରସ୍କାର ନିମନ୍ତେ ସମସ୍ତ ପ୍ରକ୍ରିୟାର ପରିଚାଳନା “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୱେବପୋର୍ଟାଲ୍” ମାଧ୍ୟମରେ କରାଯିବ । ଏଥିପାଇଁ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ୱେବସାଇଟ୍ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଏବଂ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଶଣା ପ୍ରଶିକ୍ଷଣ ପରିଷଦ(ଏସ୍ସିଇଆର୍ଟି) ସମ୍ମିଳନୀ କକ୍ଷରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ’ର ଅଧ୍ୟକ୍ଷ, ପ୍ରତ୍ୟେକ ଜିଲ୍ଲାର ଜଣେ ଲେଖାଏଁ ଶିକ୍ଷକ ପ୍ରଶିକ୍ଷକ, ଏମ୍ଆଇଏସ୍ ଏବଂ ଯୋଜନା ସଂଯୋଜକମାନେ ଯୋଗ ଦେଇ ୱେବସାଇଟ୍ରେ ପୁରସ୍କାର ସମ୍ପର୍କିତ ସମସ୍ତ ବ୍ୟବସ୍ଥା ସମ୍ବନ୍ଧରେ ପ୍ରଶିକ୍ଷଣ ନେଇଥିଲେ । ୱେବସାଇଟ୍ କିପରି କାର୍ଯ୍ୟକରିବ, ତାହାର ଡେମୋ ଦେଖିବା ସହ ନିଜେ ଏହାର ବିଭିନ୍ନ ପରଖି ହେଖିଥିଲେ । ଏହି ପୁରସ୍କାର କ’ଣ, କିପରି ଦିଆଯାଏ, କେଉଁମାନଙ୍କୁ ଦିଆଯାଏ, ଏହାର ଚୟନ ପ୍ରକ୍ରିୟା କିପରି ରହିଛି ଆଦି ସମସ୍ତ ବିଷୟ ୱେବସାଇଟ୍ରେ ଉପଲବ୍ଧ ରହିଛି ।
‘ମୁଖ୍ୟମନ୍ତ୍ରୀ ଶିକ୍ଷା ପରୁସ୍କାର’ର ଆଭିମୁଖ୍ୟ ହେଉଛି ଶିକ୍ଷା ବ୍ୟବସ୍ଥା ସହ ଜଡିତ ସମସ୍ତ ବ୍ୟକ୍ତିବିଶେଷଙ୍କ ସଫଳତାକୁ ଅଧିକ ପ୍ରୋତ୍ସାହନ ହେବା । ସେମାନଙ୍କର ଉତ୍ତମ ପ୍ରଦର୍ଶନ ପାଇଁ ସେମାନଙ୍କୁ ପ୍ରେରଣା ଦେବା । ଏହି କାର୍ଯ୍ୟକ୍ରମକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରଥମଟି ବ୍ୟକ୍ତିଗତ ପୁରସ୍କାର ବା ଇଣ୍ଡିଭିଜୁଆଲ୍ ଆୱାର୍ଡ ଓ ଅନ୍ୟଟି ଆନୁଷ୍ଠାନିକ ପୁରସ୍କାର ବା ଇନ୍ଷ୍ଟିଚ୍ୟୁସନାଲ୍ ଆୱାର୍ଡ । ବ୍ୟକ୍ତିଗତ ପୁରସ୍କାରରେ ଛାତ୍ରଛାତ୍ରୀଙ୍କୁ ଷ୍ଟୁଡେଣ୍ଟ ଏକାଡେମିକ୍ ଆୱାର୍ଡ, ଷ୍ଟୁଡେଣ୍ଟ ଲିଡରସିପ୍ ଆୱାର୍ଡ ଓ ଷ୍ଟୁଡେଣ୍ଟ ମେରିଟ୍-କମ୍-ସ୍କଲାରସିପ୍ ଆୱାର୍ଡ ଦିଆଯିବ । ଏହା ସହ ବ୍ୟକ୍ତିଗତ ପୁରସ୍କାରରେ ଶିକ୍ଷକ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ସିଆର୍ସିସି ପୁରସ୍କାର, ବିଇଓ ଏବଂ ଡିଇଓ ପୁରସ୍କାର ରହିଛି । ଅନ୍ୟପକ୍ଷରେ ଆନୁଷ୍ଠାନିକ ପୁରସ୍କାରରେ ମାଧ୍ୟମିକ ସ୍କୁଲଗୁଡ଼ିକୁ ଜିଲ୍ଲା, ବ୍ଲକ୍, ସ୍କୁଲ ଓ ଗ୍ରାମପଞ୍ଚାୟତସ୍ତରରେ ପୁରସ୍କୃତ କରାଯିବ । ଶ୍ରେଷ୍ଠ ଏସ୍ଏମ୍ସି ପୁରସ୍କାର, ଶ୍ରେଷ୍ଠ ପୁରାତନ ଛାତ୍ର କମିଟି ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର ମଧ୍ୟ ଏହି ବିଭାଗର ଅନ୍ତର୍ଭୁକ୍ତ । ଏହାସହ ପ୍ରାଥମିକ ସ୍କୁଲ ଓ ତିନୋଟି ଶ୍ରେଷ୍ଠ ଡି.ଆଇ.ଇ.ଟିକୁ ମଧ୍ୟ ପୁରସ୍କୃତ କରାଯିବ ।
ଏସ୍ସିଇଆର୍ଟିର ସମ୍ମିଳନୀ କକ୍ଷରେ କାର୍ଯ୍ୟକ୍ରମର ସ୍ୱାଗତ ଅଭିଭାଷଣରେ ‘ମୋ ସ୍କୁଲ’ର ଭାରପ୍ରାପ୍ତ ଅଧିକାରୀ କାବେରୀ ମୁଦୁଲି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଏହି ପୁରସ୍କାର ପାଇଁ କିଭଳି ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ବିଦୟାଳୟ, ସିଆର୍ସି, ବିଇଓ ଓ ଡିଇଓଙ୍କୁ ଚୟନ କରାଯିବ ସେ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥିତ ଡିଆଇଇଟିର ଅଧ୍ୟକ୍ଷ, ଶିକ୍ଷକ ପ୍ରଶିକ୍ଷକ ଏବଂ ଏମ୍ଆଇଏସ୍ଙ୍କୁ ବୁଝାଇଥିଲେ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଭଳି ଏକ ଅଭିନବ ପଦକ୍ଷେପ ସାରା ଦେଶରେ ପ୍ରଥମ ବୋଲି ଏସ୍ସିଇଆର୍ଟିର ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ‘ମୋ ସ୍କୁଲ’ର ଅଧିକାରୀମାନେ ଏହି କାର୍ଯ୍ୟକ୍ରମର ସମସ୍ତ ଆୟୋଜନ ଓ ସୁପରିଚାଳନା କରିବା ସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବସାଇଟ୍ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ ।








