ହେଡଲାଇନସ୍:

ଭର୍ଚ୍ଚୁଆଲ ରିୟଲିଟି (VR) କୌଶଳଭିତ୍ତିକ ତାଲିମ କାର୍ଯ୍ୟଶାଳାର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସମଗ୍ର ଭାରତ ବର୍ଷରେ ପାଞ୍ଚ ଗୋଟି ସରକାରୀ ଆଇଟିଆଇରେ ପାଇଲଟ ପ୍ରକଳ୍ପ ଭାବରେ ଆରମ୍ଭ

  • ସେଥି ମଧ୍ୟରୁ ଓଡିଶାର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ଭୁବନେଶ୍ଵର ସାମିଲ

ଭୁବନେଶ୍ୱର:ଦକ୍ଷତା ବିକାଶ କ୍ଷେତ୍ରରେ ନୂତନ କୌଶଳ ପଦ୍ଧତି ଆପଣେଇ ଯୁବପିଢୀକୁ ଆଧୁନିକ ଶିଳ୍ପ ଜଗତର ଚାହିଦା ମୁତାବକ ସଶକ୍ତ କରାଇବା ତଥା ସ୍କିଲ୍ଡ ଇନ୍ ଓଡିଶା ବ୍ରାଣ୍ଡ କୁ ବିଶ୍ୱ ପେଷାଦାର ବଜାରରେ ବହୁଳ ଆଦୃତ କରାଇବା ପାଇଁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ଆସିଛନ୍ତି | ଏହି ଉପଲକ୍ଷେ ଆଜି ଅପରାହ୍ନରେ ସରକାରୀ ଆଇଟିଆଇ, ଭୁବନେଶ୍ଵର ଠାରେ ଏକ ଭର୍ଚ୍ଚୁଆଲ୍ ରିୟଲିଟି (VR) ଲାବୋରଟୋରୀ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରେଘୁ ଜି, ଆଇଟିଆଇ ଭୁବନେଶ୍ୱର ଅଧ୍ୟକ୍ଷା, ପ୍ରଶିକ୍ଷକମଣ୍ଡଳୀ ଓ ପ୍ରଶିକ୍ଷାର୍ଥୀଙ୍କ ଉପସ୍ତିତିରେ ଶୁଭାରମ୍ଭ ହୋଇଯାଇଛି |
ଆଜିର ଡିଜିଟାଲ ଯୁଗରେ ଶିକ୍ଷା ଉଭୟ ଦାନ ଓ ଗ୍ରହଣ ପ୍ରଣାଳୀ ଚକ ଡଷ୍ଟରରେ ସୀମିତ ନ ହୋଇ ମଲ୍ଟିମେଡ଼ିଆ ଓ ସିମୁଲେସନ ପଦ୍ଧତି ଆପଣେଇ ନେଇଛି । ଭର୍ଚ୍ଚୁଆଲ ରିୟଲିଟି (VR) ପଦ୍ଧତିରେ କମ୍ପୁଟର ସଫ୍ଟୱାର ମାଧ୍ୟମରେ କୌଣସି ବସ୍ତୁ ବା ଯନ୍ତ୍ରାଂଶର ବାସ୍ତବତା ଅତି ନିଖୁଣ ଭାବରେ ଶ୍ରେଣୀ ଗୃହରେ ଦେଖାଇ ତାହା ଉପରେ କୁଶଳୀ ତାଲିମ ଦିଆଯିବାର ସୁବିଧା ହୋଇପାରୁଛି । ଏହିପରି ପଦ୍ଧତି ବୈଷୟିକ ଶିକ୍ଷା ଓ ତାଲିମ କ୍ଷେତ୍ରରେ ଏକ ନୂତନତ୍ୱ ଆଣିବା ସହିତ ଆଧୁନିକ ଶିଳ୍ପ ଜଗତର ମାନବ ସମ୍ବଳର ଚାହିଦା ମେଣ୍ଟାଇ ପାରିବ ବୋଲି ବିଭାଗର ନିର୍ଦ୍ଦେଶକ ରେଘୁ ଜି ତାଙ୍କ ବକ୍ତବ୍ୟରେ କହିଥିଲେ।
ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ଅଧୀନସ୍ଥ ନ୍ୟାସନାଲ ଇନଷ୍ଟ୍ରକସନାଲ ମିଡିଆ ଇନଷ୍ଟିଚିଉଟ (NIMI)ର ନିର୍ଦ୍ଦେଶକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଭର୍ଚ୍ଚୁଆଲ ରିୟଲିଟି (VR) ପଦ୍ଧତିରେ ତାଲିମ କାର୍ଯ୍ୟକ୍ରମ ସମଗ୍ର ଭାରତ ବର୍ଷରେ ପାଞ୍ଚ ଗୋଟି ସରକାରୀ ଆଇଟିଆଇରେ ପାଇଲଟ ପ୍ରକଳ୍ପ ଭାବରେ ନେଇଛନ୍ତି । ସେଥି ମଧ୍ୟରୁ ଓଡିଶାର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ଭୁବନେଶ୍ଵରକୁ ଅନ୍ତର୍ଭୁକ୍ତ କରାଯାଇଛି | ଏହା ବ୍ୟତିରକେ ଆଇଟିଆଇ ଆଲିଗଞ୍ଜ, ଉତ୍ତରପ୍ରଦେଶ, ଆଇଟିଆଇ ଅସରନାଥ, ମହାରାଷ୍ଟ୍ର, ଆଇଟିଆଇ ନାଗୋ, ଆସାମ ଓ ଆଇଟିଆଇ ବିଜୟୱାଡା କୁ ସାମିଲ କରାଯାଇଛି । ଏହି ପ୍ରକଳ୍ପ ଟି ଆଇଆଇଟି, ମୁମ୍ବାଇର ଆଲୁମୁନି ମେସର୍ସ ଇଞ୍ଜ ଅନଲାଇନ୍ ଫିଷ୍ଟ ସଫ୍ଟଓୟାର ପ୍ରାଇଭେଟ୍ ଲିମିଟେଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ଷମ ହେଉଅଛି । ଏହି ପ୍ରକଳ୍ପ ଜରିଆରେ ଫିଟର, ଇଲେକ୍ଟ୍ରିସିଆନ, ୱେଲ୍ଡର ଓ ମୋଟରଯାନ ମେକାନିକ ଟ୍ରେଡଗୁଡିକର ପ୍ରାୟ ୧୫୦ ଟି ପ୍ରାକ୍ଟିକାଲ ଭର୍ଚ୍ଚୁଆଲ୍ ରିୟଲିଟି (VR) ସଫ୍ଟୱାର ପଦ୍ଧତିରେ ହୋଇପାରିବ ।
ନିର୍ଦ୍ଦେଶକ ରେଘୁ ଜି ଏହି ଭି.ଆର ପଦ୍ଧତିରେ ପ୍ରଶିକ୍ଷାର୍ଥୀମାନଙ୍କ ପ୍ରଶିକ୍ଷଣ ଅଭ୍ୟାସ ଦେଖି ସନ୍ତୋଷବ୍ୟକ୍ତ କରିବା ସହିତ ଏହା ଉନ୍ନତ ବୈଷୟିକ ଜ୍ଞାନରେ ଛାତ୍ରଛାତ୍ରୀମାନଙ୍କୁ ସମୃଦ୍ଧ କରିବ ବୋଲି ମତ ପୋଷଣ କରିଥିଲେ | ଓଡିଶାର ଆଇଟିଆଇ ଅନୁଷ୍ଠାନ ଭୁବନେଶ୍ୱରକୁ ଏଥିସହିତ ସାମିଲ କରିଥିବାରୁ "ନିମି"ର ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଥିଲେ |
ଏହି କାର୍ଯ୍ୟକ୍ରମରେ ନିମି, ଚେନ୍ନାଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ କେ ଶ୍ରୀନିବାସ ରାଓଙ୍କ ସମେତ ନିର୍ଦ୍ଦେଶାଳୟର ଉଚ୍ଚପଦସ୍ତ ଅଧିକାରୀମାନେ ତଥା ରାଜ୍ୟର ସମସ୍ତ ୭୭ଟି ସରକାରୀ ଆଇଟିଆଇର ଅଧ୍ୟକ୍ଷ ଓ ପ୍ରଶିକ୍ଷକମାନେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଭୁବନେଶ୍ୱର ଆଇଟିଆଇ ର ଅଧ୍ୟକ୍ଷା ଧନ୍ୟବାଦ ଅର୍ପଣ କରିଥିଲେ |

 

0
0
0
s2sdefault