ହେଡଲାଇନସ୍:

"ନାଚାର ବିଜେଡ଼ି ବିଜେପି ଶରଣରେ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) – ମିଳିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ସଂସଦରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡ଼ି ବିରୋଧ କରିବ । ଦିଲ୍ଲୀ ସେବା ନିଯୁକ୍ତି ଓ ବଦଳି (ସଂଶୋଧନ) ବିଧେୟକକୁ ସମର୍ଥନ କରିବ । ସେଥିପାଇଁ ବିଜେଡି ସଂସଦୀୟ ଦଳ ପକ୍ଷରୁ ଦଳର ଛାଟିଆ ହୁଇପ୍ ଜାରି କରିଛନ୍ତି । ମୌସୁମୀ ଅଧିବେଶନରେ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ଅନ୍ୟ ସମସ୍ତ ସରକାରୀ ବିଧେୟକକୁ ମଧ୍ୟ ବିଜେଡ଼ି ସମର୍ଥନ କରିଛି । ବିଜେପି ପାଖରେ ବିଜେଡ଼ି ନିସର୍ତ୍ତ ହାତ ଟେକିଦେବା ଓଡିଶାର ର ସ୍ୱାର୍ଥ ବିରୋଧୀ ବୋଲି ରାଜ୍ୟର ପ୍ରମୁଖ ବିପକ୍ଷ ଦଳମାନଙ୍କ ପକ୍ଷରୁ କୁହାଯାଇଛି ।
ରାଜ୍ୟ ମିଳିତ ବିରୋଧୀ ମେଣ୍ଟ, ଓଡିଶାର ଆବାହକ ତଥା ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ , ମୋଦୀ ସରକାରଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖି ଆସୁଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ‘ଫୋକସ୍ ଷ୍ଟେଟ’ ମାନ୍ୟତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି, ରାଜ୍ୟ ବିଧାନ ପରିଷଦ ଗଠନ ଭଳି କୌଣସି ଗୋଟିଏ ଦାବୀ ପୂରଣ ହୋଇନାହିଁ ।
୨୦୦୮ ମସିହା କନ୍ଧମାଳ ଦଙ୍ଗା ଭିଆଇବା ପରେ ବିଜେପିର ସଂପୃକ୍ତି ଅଭିଯୋଗ କରିଥିବା ବିଜେଡି ଦଳ ବିଜେପିକୁ ସାଂପ୍ରଦାୟିକ ଦଳ ବୋଲି ଆକ୍ଷେପ କରି ଏଗାର ବର୍ଷର ମେଣ୍ଟ ଯୋଡି ଓ ନଅବର୍ଷର ଶାସନ ଭାଗୁଆଳି ବିଜେପିର ହାତ ଛାଡିଥିଲା । ଫଳରେ ୨୦୦୯ ନିର୍ବାଚନରେ ବିଜେପି ବିରୋଧୀ ଜନମତକୁ ବିଜେଡ଼ି ହାତେଇବାରେ ସଫଳ ହୋଇଥିଲା । ୨୦୦୯ ମସିହାରୁ ଗଲା ଚଉଦ ବର୍ଷ ଏନ୍ଡିଏ. ଓ ୟୁପିଏ ଠାରୁ ‘ସମଦୂରତା’ ରଖିବା ନିଷ୍ପତ୍ତି ବିଜେଡି ଘୋଷଣା କରିଥିଲା । କିନ୍ତୁ ସଂସଦରେ ସବୁ ସରକାରୀ ବିଧେୟକକୁ ବିଜେଡି ସମର୍ଥନ କରିଆସିଛି । ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବକୁ ଭୋଟ ଦେଇଛି । ଏହିଭଳି ରାଜନୈତିକ ଚାଲ୍ବାଜି ଓ ଦୋଗଲ୍ବାଜି କରି ଓଡିଶାବାସୀଙ୍କୁ ବିଜେଡି ଭୁଆଁ ବୁଲେଇ ଆସିଛି, ବିଭ୍ରାନ୍ତ କରି ଆସିଛି ।
ତାନ୍ଶାହୀ ମୋଦୀ ସରକାର ବିରୋଧରେ ଏବଂ ଲୋକତନ୍ତ୍ର, ସମ୍ବିଧାନିକ ବିଧାନ ଓପ୍ରତିଷ୍ଠାନ ତଥା ସଂଘୀୟ ବ୍ୟବସ୍ଥାକୁ ବାହାଲ ରଖିବା ପାଇଁ ଦେଶର ଛବିଶଟି ବିପକ୍ଷ ଦଳ ‘ଇଣ୍ଡିଆ’ ନାମରେ ମେଣ୍ଟ ଗଠନ କରିଛନ୍ତି । ବିଜେଡି ‘ଇଣ୍ଡିଆ’ ମେଣ୍ଟ ବା ଏନ୍ଡିଏ ମେଣ୍ଟରେ ସାମିଲ ହୋଇ ନଥିଲା । ଏନ୍ଡିଏ ମେଣ୍ଟର ଦିଲ୍ଳୀ ବୈଠକରୁ ଦୂରେଇ ରହିଥିଲା । କେଉଁ କାରଣରୁ ‘ଦୂରତା’ ହଟେଇ ବିଜେପି ଆଡକୁ ପୁରା ପାଖେଇ ଗଲା ବୋଲି କଂଗ୍ରେସ ଓ ବାମପନ୍ଥୀ ଦଳମାନଙ୍କ ସହ ୧୭ଟି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି । ଏଥିରେ ସିପିଆଇ (ଏମ୍), ସିପିଆଇ, ସିପିଆଇ (ଏମ୍.ଏଲ୍), ସମତାକ୍ରାନ୍ତି ଦଳ, ସମାଜବାଦୀ ପାର୍ଟି, ଆର.ଜେ.ଡି, ସମୃଦ୍ଧ ଓଡିଶା, ଏନ୍.ସି.ପି., ଫରୱାର୍ଡ ବ୍ଲକ, ରେଡଷ୍ଟାର, ଟିଏମ୍ସି, ଆପ୍, ଜେ.ଏମ୍.ଏମ୍, ଆର୍.ପି.ଆଇ, ସିପିଆଇ ଲିବରେସନ, ଜେ.ଡି.ୟୁ ପ୍ରମୁଖ ଦଳ ରହିଛନ୍ତି ।
ମଣିପୁର ନରସଂହାର, ନାରକୀୟ ନାରୀ ନିର୍ଯ୍ୟାତନା, ସାଂପ୍ରଦାୟିକ ହିଂସାରେ ବିଜେପି ରାଜ୍ୟ ସରକାର ଓ ମୋଦିଙ୍କ କେନ୍ଦ୍ର ସରକାରର ଅଭିସନ୍ଧିମୂଳକ ନିଷ୍କି୍ରୟତା ଏବଂ ହିଂସା ବଢ଼ି ଚାଲିବାର ଭୂମିକାକୁ ‘ଇଣ୍ଡିଆ’ ମେଣ୍ଟ ତୀବ୍ର ବିରୋଧ କରୁଛି । ପ୍ରଧାନମନ୍ତ୍ରୀ ଦେଶବିଦେଶ ଗସ୍ତ କରୁଥିବା ବେଳେ ଏଯାଏଁ ମଣିପୁରରେ ପାଦ ପକେଇଲେ ନାହିଁ । ଶାନ୍ତି ଫେରିବା ପାଇଁ ବାର୍ତ୍ତାଟିଏ ମଧ୍ୟ ଦେଲେ ନାହିଁ । ସଂସଦ ଭିତରେ ବିବୃତ୍ତି ରଖିଲେ ନାହିଁ । ୨୬୭ ନିୟମରେ ଆଲୋଚନା ପାଇଁ ବିଜେପି ରାଜି ହେଲାନାହିଁ । ଶେଷରେ ମିଳିତ ବିପକ୍ଷ ଦଳ ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ପେଶ୍ କରାଗଲା । ପ୍ରଧାନମନ୍ତ୍ରୀ ବିବୃତ୍ତି ରଖିବା ନିମନ୍ତେ ଏବେ ବାଧ୍ୟ ହେବେ । ମଣିପୁରରେ ଶାସନ ବ୍ୟବସ୍ଥା ପୁରାପୂରି ଭୁଷୁଡି ପଡିଥିବା ସର୍ବୋଚ୍ଚ ନ୍ୟାୟାଳୟ ଗଲାକାଲି ବ୍ୟକ୍ତ କରିଛନ୍ତି ।
ମାଆକୁ ସମ୍ମାନ, ମହିଳା ସଶକ୍ତିକରଣର ନାରା ଦେଇ ମହିଳା ଭୋଟବ୍ୟାଙ୍କ ପାଇଁ ବିଜେଡି ଦଳ ବଳ, ସରକାରୀ କଳ ଓ ଅର୍ଥବଳ ଖଟେଇ କମର କଷି ଆସୁଥିବାବେଳେ ମଣିପୁରରେ ମହିଳାମାନଙ୍କ ଉପରେ ହିଂସା ଓ ନିର୍ଯ୍ୟାତନା ଉପରେ ପାଟି ଚୁପ୍ କରି ବସିଛି । ଦଳ ଅନାସ୍ଥା ପ୍ରସ୍ତାବ ପାଇଁ ତିନିଧାଡିଆ ହୁଇପ୍ ଜାରି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଧାଡିଟିଏ ମଧ୍ୟ ଟୁଇଟ୍ କରି ନାହାନ୍ତି । ବିଜେଡ଼ିର ମହିଳା ବିରୋଧୀ ଅସଲ ଚେହେରା ଧରା ପଡିଯାଇଛି ।
ଯେଉଁ ମେଣ୍ଟ ଓଡିଶା ପାଇଁ ‘ବେଟର ଡିଲ୍’ କରିବ ତାହା ସହ ବିଜେଡ଼ି ଯିବ ବୋଲି କିଛିଦିନ ହେଲା କୁହାଯାଉଥିଲା । ରାଜ୍ୟସଭାରେ କଡା ମୁକାବିଲାର ମୁହାଁମୁହିଁ କରିବାକୁ ପଡୁଥିବାରୁ ‘ନିଅଣ୍ଟ ଭରଣା’ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଟିଏ ଫୋନ୍କଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲାଖୋଲି ବିଜେଡ଼ିକୁ ବିଜେପି ସେବାରେ ସମର୍ପି ଦେଲେ । ୨୦୦୯ ମସିହାରୁ ଚଉଦ ବର୍ଷର ‘ଛଳବାସ’, ‘କପଟବାସ’ର ପର୍ଦ୍ଧା ଖୋଲିଯାଇଛି । ସି.ବି.ଆଇ, ଇଡି ଓ ଅନ୍ୟ ଡରରେ ଦଳ ମୁଣ୍ଡ ବିକିନାହିଁ ତ - ପ୍ରଶ୍ନ କରିଛନ୍ତି ବିରୋଧୀ ନେତାମାନେ ।
ଗୋଟିଏ ଚେହେରା ଦେଖାଇ ଜନମତକୁ ପ୍ରଭାବିତ କରି ସତ୍ତା ଦଖଲ କରିଆସୁଥିବା ବିଜେଡ଼ିର ମୁଖା ଖୋଲିଯାଇଛି । ବିଜେଡ଼ିର ଏଭଳି ରାଜନୈତିକ ଧୋକାବାଜି ଓଡିଶା ସ୍ୱାର୍ଥ ବିରୋଧୀ ଏବଂ ମହିଳା ବିରୋଧୀ ନୀତି ଓ ନିଷ୍ପତିର କଡା ଜବାବ ଆଗାମୀ ଦିନରେ ଓଡିଶାବାସୀ ଦେବେ ବୋଲି ଏକ ମିଳିତ ବିବୃତ୍ତିରେ ନେତାମାନେ ପ୍ରକାଶ କରିଛନ୍ତି ।
ଉପୁଜିଥିବା ରାଜନୈତିକ ପରିସ୍ଥିତି ଦୃଷ୍ଟିରୁ ଓଡିଶାରେ ମିଳିତ ବିରୋଧି ମେଣ୍ଟର ଭୂମିକା ଏବେ ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ହୋଇଛି । ରାଜ୍ୟବାସୀଙ୍କ ପାଖକୁ କାର୍ଯ୍ୟକ୍ରମ ମାଧ୍ୟମରେ ବିରୋଧୀଦଳମାନେ ଖୁବ ଶୀଘ୍ର ପହଁଞ୍ଚିବେ ବୋଲି ସେମାନେ କହିଛନ୍ତି ଶ୍ରୀ ହରିଚନ୍ଦନ କହିଛନ୍ତି |

0
0
0
s2sdefault