ବିଜେପୁର ଇଥାନଲ ପ୍ଲାଣ୍ଟ ବିବାଦ : ଉପଜିଲ୍ଲାପାଳଙ୍କ ଶାନ୍ତି କମିଟୀ ବୈଠକ ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର ( ୩୧ ଜୁଲାଇ) :- ବିଜେପୁର ବ୍ଲକର ମନୋହରପାଲି ପାଖରେ ଥିବା ଇଥାନଲ୍ ପ୍ଲାଣ୍ଟକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଶାନ୍ତି କମିଟିର ବୈଠକ ବସିଥିଲା। ଏଥିରେ ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୋଇ, ବିଜେପୁର ବିଡ଼ିଓ ଓ ତହସିଲଦାରଙ୍କ ଉପସ୍ଥିତିରେ ମନୋହରପାଲି ଗ୍ରାମବାସୀ ଓ ପ୍ଲାଣ୍ଟ ମାଲିକ ନିଜ ନିଜର ପକ୍ଷ ରଖିଥିଲେ ।
ବିଜେପୁର ବ୍ଲକର ମନୋହରପୁର ଗ୍ରାମ ପାଖରେ କିଛି ବର୍ଷ ପୂର୍ବରୁ ଏକ ଇଥାନଲ୍ ପ୍ଲାଣ୍ଟ ଆରମ୍ଭ ହୋଇ ପ୍ରାୟ ଦୁଇ ମାସ ହେବ କାର୍ଯ୍ୟକ୍ଷମ ହୋଇଛି। ପ୍ଲାଣ୍ଟ ମାଲିକଙ୍କ ଅନୁସାରେ ସବୁପ୍ରକାରର ସରକାରୀ ଅନୁମତି ନିଆଯିବା ପରେ ହିଁ ବ୍ୟାଙ୍କରୁ ଋଣ କରି ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ଏପରିକି ପ୍ରତିଷ୍ଠା ସମୟରେ ଏଥିରେ ଗ୍ରାମବାସୀଙ୍କର ମଧ୍ୟ ସହମତି ରହିଥିବା ସେ କହିଛନ୍ତି। ମାତ୍ର କିଛି ଦିନ ହେବ ଗ୍ରାମବାସୀ ପ୍ଲାଣ୍ଟକୁ ପ୍ରବଳ ବିରୋଧ କରି ପ୍ଲାଣ୍ଟକୁ କୌଣସି ଯାନବାହନକୁ ମଧ୍ୟ ଛାଡୁନାହାନ୍ତି ଓ ସେଥିପାଇଁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଗ୍ରାମବାସୀଙ୍କ ଅନୁସାରେ ସେମାନେ ଇଥାନଲ୍ ପ୍ଲାଣ୍ଟ ଚାଲିବା ପୂର୍ବରୁ ସେଥିରୁ ବାହାରୁଥିବା ଭୀଷଣ ଶବ୍ଦ, ପ୍ରଦୂଷିତ ଜଳ ଓ ପାଉଁଶ ଆଦି ବିଷୟରେ ଅନଭିଜ୍ଞ ଥିଲେ। ମାତ୍ର ଏବେ ଏଇ ସବୁ ନିର୍ଗମ ହେବା ଫଳରେ ସେମାନଙ୍କୁ ସାଧାରଣ ଭାବରେ ଜୀବନ ଅତିବାହିତ କରିବା ଅସମ୍ଭବ ହୋଇପଡୁଛି। ଏଥିପାଇଁ ସେମାନେ ବାଧ୍ୟ ହୋଇ ରାସ୍ତାଜାମ୍ ଓ ଯାନବାହନ ଅଚଳ କରିବା ପାଇଁ ବାଧ୍ୟ ହୋଇଥିବା କହିଥିଲେ। ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସେମାନେ ପ୍ଲାଣ୍ଟ ବନ୍ଦ କରିବା ପାଇଁ ଦାବି କରିଥିଲେ।ଏସବୁ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହେବାରୁ ଏହାର ସମାଧାନ ପାଇଁ ଆଜି ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବସିଥିଲ। ଏଥିରେ ଉଭୟ ପ୍ଲାଣ୍ଟ ଓ ଗ୍ରାମବାସୀଙ୍କ ପକ୍ଷରୁ ବିଭିନ୍ନ ମତପ୍ରକାଶ ପାଇଥିଲା। ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇବାରୁ ଉପଜିଲ୍ଲାପାଳ ଶ୍ରୀକୁମ୍ଭାର ସମସ୍ତଙ୍କୁ ଶାନ୍ତି କମିଟିର ଲକ୍ଷ୍ୟ ବିଷୟରେ ବୁଝାଇ ପରଷ୍ପର ଉପରେ ବିଶ୍ବାସ ରଖି ଆଲୋଚନା ମାଧ୍ୟମରେ ହିଁ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ। ଏହାପରେ ପରିସ୍ଥିତି ସ୍ବାଭାବିକ ହେବାପରେ ପ୍ଲାଣ୍ଟ ମାଲିକ ପ୍ଲାଣ୍ଟ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ବର୍ଷେ ସମୟ ମାଗିଥିଲେ। ତାସହ ଏଇ ବର୍ଷେ ଭିତରେ ପ୍ଲାଣ୍ଟ ଯୋଗୁଁ ହେଉଥିବା ସମସ୍ତ ସମସ୍ୟାର ପ୍ରତିକାର ପାଇଁ ସବୁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ। ଏସବୁ ପ୍ରସ୍ତାବକୁ ଗ୍ରାମ ବାସୀ ଗୁରୁତ୍ୱର ସହ ବିଚାର କରିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ ଓ କୌଣସି ବିଶୃଙ୍ଖଳା ନକରି ନିୟମ ଅନୁସାରେ ପ୍ଲାଣ୍ଟର ଗାଡ଼ି ସବୁ ଛାଡ଼ିଦେବାକୁ ସେମାନଙ୍କୁ ବୁଝାଇଥିଲେ। ମନୋହରପାଲି ଗ୍ରାମବାସୀ ପ୍ଲାଣ୍ଟର ଗାଡ଼ି ଛାଡ଼ିବାକୁ ରାଜି ହୋଇ ଏକ ବର୍ଷ ମଧ୍ୟରେ ପ୍ଲାଣ୍ଟ ସ୍ଥାନାନ୍ତରଣ ପ୍ରସ୍ତାବରେ ଗାଁ ରେ ଅଧିକ ଆଲୋଚନା ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖ ଯାଏଁ ସମୟ ମାଗିଥିଲେ। ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଆରମ୍ଭ ହୋଇଥିବା ଶାନ୍ତି କମିଟି ବୈଠକ ଏକ ସ୍ବାଭାବିକ ଓ ଶାନ୍ତ ପରିବେଶରେ ଶେଷ ହୋଇଥିବାରୁ ଉପଜିଲ୍ଲାପାଳ ଓ ଏସ୍ ଡି ପି ଓ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/