୧୨୫ ଅଭିଯୋଗ ପଞ୍ଜିକୃତ ୨୫ ତତ୍କାଳ ସମାଧାନ
ଓଡ଼ଗାଁ, ୩୧।୭(ଶ୍ରୀ ଳକାନ୍ତ କୁମାର ମିଶ୍ର) : ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ସହିତ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଓଡ଼ଗାଁ ତହସିଲଦାର ଅନିଲ ଆଚାର୍ଯ୍ୟ, ଅତିରିକ୍ତ ବିଡିଓ କବିତା କୁମାରୀ ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ ଓଡ଼ଗାଁ ମଣ୍ଡଳ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ,ଶରଣକୁଳ ଏସଡିପିଓ କିରଣ ହେମ୍ବ୍ରମଙ୍କ ସହିତ ଜିଲ୍ଲାର ବିଭାଗୀୟ ପଦସ୍ଥ ଅଧିକାରୀ ମାନେ ଯୋଗଦେଇ ଅଭିଯୋଗ ଶୁଣିଥିଲେ। ୧୨୫ ପଞ୍ଜିକୃତ ଅଭିଯୋଗ ମଧ୍ୟରୁ ୧୦୫ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୨ ଗୋଟି ସାମୁହିକ ଗ୍ରାମବାସୀଙ୍କ ୨ ରେଡକ୍ରସ ଓ ୧୬ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସମ୍ପର୍କିତ ସମସ୍ୟା ରହିଥିଲା । ଶିବିରରେ ୨୫ ଗୋଟି ସମସ୍ୟାର ତତ୍କାଳ ସମାଧାନ ହୋଇଥିଲା। ଅବଶିଷ୍ଟ ମାମଲାଗୁଡିକ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟ ପକ୍ଷରେ ଗୋଲଗାଁ ପଞ୍ଚାୟତ ଗୋଲଗାଁର ମାଟିଆ ଘଡେଇ ଏବଂ ଭାଲିଆଡିହି ପଞ୍ଚାୟତ ଭାଲିଆଡିହିର ବୈକୁଣ୍ଠନାଥ ମହାପାତ୍ରଙ୍କୁ ଜିଲ୍ଲାପାଳ,ଏସପି,ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପ୍ରମୁଖଙ୍କ ଦ୍ବାରା ଟ୍ରାଇ ସାଇକେଲ ପ୍ରଦାନ କରାଗଲା।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ପ୍ରଦାନ କରିଥିଲେ। ଏବଂ ରାସନ କାର୍ଡରେ ନୂତନ ନାମ ସଂଯୋଗ ନିମନ୍ତେ ଅନେକ ହିତାଧିକାରୀ ଅଭିଯୋଗ କରିଥିବାବେଳେ ପର୍ଯ୍ୟାୟ କ୍ରମେ ନାମ ସଂଯୋଗ କରାଯିବ ବୋଲି ବ୍ଳକ ପ୍ରଶାସନ ତରଫରୁ କୁହାଯାଇଥିଲା ।











