ଅଧିକରୁ ଅଧିକ ଚାଷୀଙ୍କୁ ପଞ୍ଜିକୃତ କରିବାକୁ ବିଭାଗକୁ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ଖରିଫ ଋତୁ ୨୦୧୩ ସକାଶେ ଅଧିକରୁ ଅଧିକ ଚାଷୀଙ୍କୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ PMFBY ରେ ନାମ ପଞ୍ଜିକରଣ ସକାଶେ ପୂର୍ବ ଧାର୍ଯ୍ୟ ଅବଧିକୁ ୫ ଅଗଷ୍ଟ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର | ଏହି ଅବଧି ମଧ୍ୟରେ ଋଣୀ ଏବଂ ଅଣ-ଋଣୀ କୃଷକମାନେ ବ୍ୟାଙ୍କ / PACS / LAMPCS, CSC, ବୀମା କମ୍ପାନୀ ଏଜେଣ୍ଟ, NCIP ପୋର୍ଟାଲ ମାଧ୍ୟମରେ ନିଜକୁ ପଂଜିକୃତ କରିପାରିବେ |
ଏହି ପରିପ୍ରେକ୍ଷୀରେ ବର୍ଦ୍ଧିତ ସମୟସୀମା ଭିତରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି | ଯେହେତୁ ୨ ହେକ୍ଟର ପର୍ଯ୍ୟନ୍ତ ୮ଟି ବୀମାଭୁକ୍ତ ଫସଲର ପ୍ରିମିୟମ ରାଜ୍ୟ ସରକାର ଭରିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ତେଣୁ ଯେମିତି ଅଧିକରୁ ଅଧିକ ଚାଷୀ ଉପକୃତ ହୋଇପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ଡ଼ ପାଢ଼ୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।








