
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ କଳାକୋଟ ଗ୍ରାମର ଝିଅ ଶ୍ୱେତାସିନୀ ଶବର ଆନ୍ତର୍ଜାତୀୟ ସ୍ତର ଏସିଆନ ଗେମ୍ସ ଚାମ୍ପିଅନସିପ ଖେଳରେ ଓଡ଼ିଶାରୁ ଏକ ମାତ୍ର ମହିଳା ଖେଳାଳି ଭାବେ ଭାରତ ତରଫରୁ ପ୍ରତିନିଧିତ୍ଵ କରିବାକୁ ଯାଉଛନ୍ତି।
ଏହି ଅବସରରେ ଶ୍ୱେତାସିନୀ ଶବର ନିଜ ଗ୍ରାମ ଗସ୍ତରେ ଆସିଥିବା ବେଳେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ମହଲରେ ତାଙ୍କ ପ୍ରତି ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
ଗୁମ୍ମା ବ୍ଲକ ବଡ କଲାକୋଟ ଗ୍ରାମର ଧର୍ମେନ୍ଦ୍ର ଶବର ଓ ଶାନ୍ତି ଶବରଙ୍କ ଝିଅ ଶ୍ୱେତାସିନୀ ଶବର। ସେ ଭାରତୀୟ ମହିଳା ସଫ୍ଟବଲରେ ସ୍ଥାନ ପାଇ ଏସିଆନ ଗେମ୍ସରେ ଖେଳିବାର ଗୌରବ ଆଣିଛନ୍ତି। ଭାରତ ପ୍ରଥମ ଥର ଏହି ପ୍ରତିଯୋଗିତା ପାଇଁ ନିଜ ଦଳ ପଠାଉଛି। ଏଥିରେ ଗୁମ୍ମା ବ୍ଲକ ଭଳି ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳର ଜଣେ ଝିଅ ଭାରତୀୟ ଦଳରେ ପ୍ରତିନିଧିତ୍ଵ କରିବା ଗଜପତି ଜିଲ୍ଲା ଏବଂ ଓଡ଼ିଶା ରାଜ୍ୟ କୁ ଗୌରବ ଆଣିଛି।
ଶ୍ୱେତାସିନୀ ଶବର ପୂର୍ବରୁ ଭାରତୀୟ କନିଷ୍ଠ ଦଳ ପାଇଁ ୨୦୧୭ ମସିହାରେ ୟୁଏସଏରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ୍ ଚାମ୍ପିଅନସିପ ଖେଳିଛନ୍ତି। ସେହିଭଳି ୨୦୨୦ ମସିହାରେ ଭାରତୀୟ ବେସ ବଲ ଦଳରେ ସାମିଲ ହୋଇ ଏସିଆ କପ୍ ଚାମ୍ପିଅନସିପ ଚୀନର ଜଙ୍ଗସନ ଠାରେ ଖେଳିଥିଲେ। ବର୍ତ୍ତମାନ ୨୦୨୩ ସେପ୍ଟେମ୍ବର - ଅକ୍ଟୋବର ମାସରେ ଚୀନର ୱାଙ୍ଗଝୁ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡା ସଫ୍ଟବଲରେ ପ୍ରଥମ ଥର ପାଇଁ ମହିଳା ଦଳରେ ଅଂଶଗ୍ରହଣ କରୁଛନ୍ତି ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ , ଯାହାକି ଏଭଳି ସ୍ଥାନ ପାଇବା ନିଜ ରାଜ୍ୟ ଓ ଜିଲ୍ଲା ପାଇଁ ଅତି ଆନନ୍ଦ ଓ ଗୌରବର ବିଷୟ।
ସେ ଭୁବନେଶ୍ୱର କିସ ଠାରେ ମନୋ-ବିଜ୍ଞାନରେ ପିଜି ଅଧ୍ୟୟନ କରୁଛନ୍ତି। ସେଠାରୁ ସେ ପ୍ରଥମେ କ୍ରିଡାପ୍ରତି ଆକର୍ଷିତ ହୋଇଥିଲେ ଏବଂ ଧୀରେ ଧୀରେ ସଫଳତା ହାସଲ କରି ଆଜି ଜଣେ ଆନ୍ତର୍ଜାତିକ ସ୍ତରରେ ଖେଳାଳି ଭାବେ ମର୍ଯ୍ୟାଦା ହାସଲ କରି ଗୌରବ ଆଣିଛନ୍ତି। ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଦ୍ବାରା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇଛି। ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନ ତାଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ଭବିଷ୍ୟତ ସଫଳତା କାମନା କରି ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି।
ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ I
ଶ୍ୱେତାସିନୀ ଶବର ଆଗାମୀ ଏସିଆନ ଗେମ୍ସରେ ଭାରତ କୁ ସଫଳ କରିବା ପାଇଁ ସେ ତାଙ୍କର ଶତପ୍ରତିଶତ ଅବଦାନ ଦେବେ ଏବଂ ଭାରତ ସଫଳ ହେବବୋଲି ସେ ଦୃଢ ବିଶ୍ୱାସ ରଖିଛନ୍ତି। ଭାରତ ଏହି ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜୟୀ ହାସଲ କରିବ ବୋଲି ଦୃଢ ବିଶ୍ବାସର ସହ ସେ କହିଛନ୍ତି। ସେ ତାଙ୍କର ସମସ୍ତ ଶ୍ରେୟ କିସ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ , ପିତା ମାତା ଏବଂ ଗୁରୁଜନଙ୍କ ଦେଇ ଅଛନ୍ତି।
ଏହି ଅବସରରେ ବିଜେଡ଼ି ସଂଖ୍ୟାଲଘୁ ସମ୍ପ୍ରଦାୟର ରାଜ୍ୟ ସାଧାରଣ ସମ୍ପାଦକ ପଲ୍ଲବ ଲିମ୍ମା ଏବଂ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶ୍ୱେତାସିନୀ ଶବରଙ୍କୁ କୃତଜ୍ଞତା ଜଣାଇ ଶ୍ୱେତାସିନୀ କେବଳ ଗଜପତି ଜିଲ୍ଲାର ଗୌରବ ନୁହେଁ ସେ ବର୍ତ୍ତମାନ ପୁରା ଦେଶ ପାଇଁ ଗର୍ବ ଓ ଗୌରବ ବୋଲି ଜଣାଇଛନ୍ତି ।






