ହେଡଲାଇନସ୍:

ଭର୍ଚୁଆଲ ଷ୍ଟୁଡିଓ ଉଦ୍ଘାଟନ କଲେ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

‘ଆମ ପ୍ରେରଣା’ କାର୍ଯ୍ୟକ୍ରମରେ 430ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ସଫଳତାର କାହାଣୀ କହିଲେ କୈବଲ୍ୟ ସାହୁ

କେନ୍ଦୁଝର: କେନ୍ଦୁଝର ସହର ସ୍ଥିତ ଜନଜାତି ସାଧନ କେନ୍ଦ୍ର(ଟିଆରସି) ଠାରେ ମଙ୍ଗଳବାର ଭର୍ଚୁଆଲ ଷ୍ଟୁଡିଓର ଉଦ୍ଘାଟନ କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ। ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଯୋଜନା ଅଧିନରେ ନିର୍ମିତ ଏହି ଅତ୍ୟାଧୁନିକ ଷ୍ଟୁଡିଓଟି ଜିଲ୍ଲାରେ 5ଟି ଉପକ୍ରମରେ ରୂପାନ୍ତରିତ ହୋଇଥିବା ବିଭିନ୍ନ ହାଇସ୍କୁଲ ସହ ସିଧା ସମ୍ପର୍କ ଯୋଡ଼ିବାରେ ସହାୟକ ହେବ। ଆଜି ଏହାର ଉଦ୍ଘାଟନ ସାଙ୍ଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ‘ଆମ ପ୍ରେରଣା’ର ଶୁଭାରମ୍ଭ ହୋଇଯାଇଛି। ଏହି ଉଦ୍ଘାଟନି କାର୍ଯ୍ୟକ୍ରମରେ ନିକଟରେ ମୁମ୍ବାଇ ସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ର(ବାର୍କ)ରେ କନିଷ୍ଠ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଥିବା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ କଣ୍ଟାପଦାର କୈବଲ୍ୟ ସାହୁ ଯୋଗଦେଇ 430ଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଭର୍ଚୁଆଲ ଯୋଗେ ନିଜର ପ୍ରେରଣାଦାୟୀ ଯାତ୍ରା ଏବଂ ସଫଳତା କାହାଣୀ ସମ୍ପର୍କରେ ବଖାଣିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଠାକରେ ଉପସ୍ଥିତ ରହି ସମସ୍ତଙ୍କୁ କୈବଲ୍ୟଙ୍କ ସହ ପରିଚିତ କରାଇବା ସାଙ୍ଗକୁ ତାଙ୍କର ସଫଳତା ସମଗ୍ର ଜିଲ୍ଲା ପାଇଁ ଗୌରବର କଥା ବୋଲି ଉଲ୍ଲେଖ କରିଥିଲେ। ଦୀର୍ଘ 45 ମିନିଟ୍ ଧରି ଚାଲିଥିବା ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ କୈବଲ୍ୟ ତାଙ୍କର ସଂଘର୍ଷରୁ ଆରମ୍ଭ କରି ସଫଳତା ଯାଏଁ ଜୀବନର ବିଭିନ୍ନ ବିନ୍ଦୁ ଉପସ୍ଥାପିତ କରିବା ସହ ସମସ୍ତ ଛାତ୍ରଛାତ୍ରୀ କିଭଳି ପ୍ରତିବନ୍ଧକକୁ ଅତିକ୍ରମ କରି ଜୀବନରେ ସଫଳତା ଦିଗରେ ଅଗ୍ରସର ହୋଇପାରିବେ ସେ ଦିଗରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ କୈବଲ୍ୟଙ୍କୁ ପାଠପଢ଼ା ଏବଂ କ୍ୟାରିଅର ସମ୍ପର୍କିତ ପ୍ରଶ୍ନ ପଚାରିଥିବା ବେଳେ ସମସ୍ତଙ୍କୁ ଯଥୋଚିତ ଉତ୍ତର ଦେଇଥିଲେ କୈବଲ୍ୟ। ଏଥିସହ ଜରୁରୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଲାପଟପ୍ ପ୍ରଦାନ କରାଯାଇଥିବା ହେତୁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇଥିଲେ। ପରିଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏହିଭଳି ସଫଳ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯାଇ ‘ଆମ ପ୍ରେରଣା’ କାର୍ଯ୍ୟକ୍ରମ ନିୟମିତ ଭାବରେ ଜାରିରହିବ ବୋଲି ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ଉପସ୍ଥିତ ଥିଲେ |

0
0
0
s2sdefault