ଓଡ଼ିଶା ସାହିତ୍ୟ ଏକାଡେମୀର ୬୬ତମ ସ୍ୱନକ୍ଷତ୍ର ଦିବସ
" ବର୍ତ୍ତମାନର ଯୁବପିଢ଼ି ସ୍ମାର୍ଟଫୋନ୍ ଓ ୟୁ-ଟ୍ୟୁବ ଆଦି ଦ୍ୱାରା ଏପରି କବଳିତ ଯେ ସାହିତ୍ୟ ପାଠ ଓ ଚର୍ଚ୍ଚା ସେମାନଙ୍କ ପାଇଁ ଅପ୍ରାସଙ୍ଗିକ ହୋଇପଡ଼ିଛି ।"
ଭୁବନେଶ୍ୱର, ୨୫ା୭: ସାହିତ୍ୟ ବିନା ଜୀବନ ଓ ଜୀବନ ବିନା ସାହିତ୍ୟ କେବେ ସମ୍ଭବ ନୁହେଁ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଏକାଡେମୀର ୬୬ତମ ସ୍ୱନକ୍ଷତ୍ର ଦିବସରେ ଉଦ୍ଘାଟକ ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ମଞ୍ଚାସୀନ ଅତିଥିମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଉତ୍ସବ ଉଦ୍ଘାଟନ କରିଥିଲେ । ପ୍ରଖ୍ୟାତ ମରାଠୀ ଲେଖକ ଶ୍ରୀ ବିଶ୍ୱାସ ପାଟିଲ୍, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଯଥାକ୍ରମେ ମୁଖ୍ୟ ଅତିଥି, ବିଶିଷ୍ଟ ଅତିଥି ଓ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ । ଉତ୍ସବରେ ପୌରୋହିତ୍ୟ କରିଥିଲେ ଏକାଡେମୀର ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକ ।
ପ୍ରାରମ୍ଭରେ ସଦ୍ୟ ପରଲୋକଗତ ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ପାଟିଲ୍ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ ବର୍ତ୍ତମାନର ଯୁବପିଢ଼ି ସ୍ମାର୍ଟଫୋନ୍ ଓ ୟୁ-ଟ୍ୟୁବ ଆଦି ଦ୍ୱାରା ଏପରି କବଳିତ ଯେ ସାହିତ୍ୟ ପାଠ ଓ ଚର୍ଚ୍ଚା ସେମାନଙ୍କ ପାଇଁ ଅପ୍ରାସଙ୍ଗିକ ହୋଇପଡ଼ିଛି । ପ୍ରାୟ ପଚାଶ ଘଣ୍ଟାର ଏକ ରେଳଯାତ୍ରାରେ ମୁଁ ସ୍ମାର୍ଟଫୋନ୍ ଓ ଲାପ୍ଟପ୍ ଛଡ଼ା କାହାରି ହାତରେ ଖଣ୍ଡେ ପତ୍ରିକା କି ବହି ଦେଖିଲି ନାହିଁ । କେତେ ରାଜା, ମହାରାଜା, ଆସିଛନ୍ତି ଓ ଯାଇଛନ୍ତି; କିନ୍ତୁ ରାମାୟଣ, ମହାଭାରତ ଭଳି ମହାନ୍ ସାହିତ୍ୟ ଲୋକଙ୍କ ସ୍ମୃତିରେ ଅମର ହୋଇ ରହିଛି । ମାତୃଭାଷାରେ ଶିକ୍ଷାଦାନ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବୃଦ୍ଧି କରିବ । ଓଡ଼ିଶା ସାହିତ୍ୟ ଏକାଡେମୀ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏକାଡେମୀ ସହ ଯୋଡ଼ିପାରିଥିବାରୁ ଭବିଷ୍ୟତରେ ଏହା ବଡ଼ ବଡ଼ ସାହିତି୍ୟକମାନଙ୍କୁ ଜନ୍ମ ଦେବ । ସ୍ମାର୍ଟଫୋନ୍ ଓ ୟୁ-ଟ୍ୟୁବରେ ପ୍ରସାରିତ ସାହିତ୍ୟ ପ୍ରକୃତ ସାହିତ୍ୟ ନୁହେଁ, ଲିଖିତ ସାହିତ୍ୟ ମାଧ୍ୟମରେ ସତ୍ୟ, ଶିବ ଓ ସୁନ୍ଦରର ପ୍ରତିଷ୍ଠା ହିଁ ହେଉଛି ପ୍ରକୃତ ସାହିତ୍ୟ ।
ଉଦ୍ଘାଟକ ଶ୍ରୀ ପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ନାନା ବାଧାବିଘ୍ନ ସତ୍ତ୍ୱେ ଓଡ଼ିଶା ସାହିତ୍ୟ ଏକାଡେମୀ ଏକ ଚଳଚଞ୍ଚଳ ଅନୁଷ୍ଠାନ ଭାବେ ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରେ ତା'ର ଉପସ୍ଥିତିକୁ ଯେପରି ଜାହିର୍ କରିପାରିଛି, ତାହା ସ୍ୱାଗତଯୋଗ୍ୟ । ସାହିତ୍ୟ ଏକାଡେମୀର ସ୍ୱର କେବେ ବି ସଂକୁଚିତ ହେବ ନାହିଁ ଓ ଆଉ ନ'ବର୍ଷ ପରେ ଏହା ତା'ର ହୀରକ ଜୟନ୍ତୀ ସଫଳତାର ସହ ପାଳନ କରିବ- ଏ ବିଶ୍ୱାସ ମୋର ରହିଛି । ବିଶିଷ୍ଟ ଅତିଥି ଶ୍ରୀ ସାହୁ କହିଲେ ଯେ ସୃଜନଶୀଳ ସାହିତ୍ୟର ପ୍ରୋତ୍ସାହନ ପାଇଁ ଏକାଡେମୀ ଆଜି ଆଦିକବି ସାରଳା ଦାସଙ୍କ ନାମରେ ନାମିତ ନୂଆ ପତି୍ରକା "ସାରଳା' ପ୍ରକାଶ କରିବା ସହିତ ସାରଳା ଦାସଙ୍କ ମହାଭାରତର ପୂର୍ଣ୍ଣାଙ୍ଗ ହିନ୍ଦୀ ଅନୁବାଦ ତଥା ଅନ୍ୟ ୨୦ଟି ଉପାଦେୟ ପୁସ୍ତକ ପ୍ରକାଶ କରିଛି । ବାକିଥିବା ସମ୍ବର୍ଦ୍ଧନା ଓ ଅତିବଡ଼ୀ ପୁରସ୍କାର ପ୍ରଦାନ ସରିଛି ଓ ଆଗକୁ ବାକି ପୁରସ୍କାର ଦିଆଯିବ । ଓଡ଼ିଆ ଭାଷା-ସାହିତ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଓଡ଼ିଆ ଭାଷା ପରିଷଦ ଓ ଏକାଡେମୀର ମିଳିତ ଆନୁକୂଲ୍ୟରେ ମୋ'ସ୍କୁଲ, ରୁପାନ୍ତରିତ ସ୍କୁଲ ଓ ଇଂଲିଶ୍ ମାଧ୍ୟମ ସ୍କୁଲ ସ୍ତରରେ ଆଲୋଚନାଚକ୍ରମାନ ଅନୁଷ୍ଠିତ ହେବ । ଏକାଡେମୀ ଏବେ ହାତଗଣତି କେତେଜଣ କର୍ମକର୍ତ୍ତାକୁ ନେଇ କାର୍ଯ୍ୟ ସଂପାଦନ କରୁଛି । ଏଣୁ ଏକାଡେମୀକୁ ଅଧିକ କି୍ରୟାଶୀଳ କରିବା ପାଇଁ ଲେଖକ ଓ ପାଠକମାନେ ସହଯୋଗ କରିବା ଆବଶ୍ୟକ ।
ସମ୍ମାନନୀୟ ଅତିଥି ଶ୍ରୀ ରାଉତରାଏ କହିଲେ ଯେ ପ୍ରସିଦ୍ଧ ଓଡ଼ିଆ ସାହିତ୍ୟକୁ ଅଣ ଭାରତୀୟ ଭାଷାରେ ଅନୁବାଦ କରାଯିବ ଓ ଏ ଦାୟିତ୍ୱ ଓଡ଼ିଶା ସାହିତ୍ୟ ଏକାଡେମୀ ନେତୃତ୍ୱରେ ସଂପାଦନ କରାଯିବ । ଏହି ଅବକାଶରେ ଏକାଡେମୀ ପକ୍ଷରୁ ବିଦ୍ୟାଳୟସ୍ତରରେ କରାଯାଇଥିବା ସାରସ୍ୱତ ପ୍ରତିଯୋଗିତାର କୃତୀ ୨୫ଜଣ ପ୍ରତିଯୋଗୀଙ୍କୁ ପ୍ରୋତ୍ସାହନ ରାଶି ସହ ଫଳକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ତା'ଛଡ଼ା ୮ଟି ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ଓଡ଼ିଆ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା ୧୨ଜଣ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୧୦ହଜାର ଓ ୧୫ହଜାର ଆର୍ଥôକ ପ୍ରୋତ୍ସାହନ ଦିଆଯାଇ ପ୍ରମାଣପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା । ସେହିଭଳି ମାଧ୍ୟମିକ ଶିକ୍ଷା ପରିଷଦର ଶୀର୍ଷ ପରୀକ୍ଷାରେ ଓଡ଼ିଆରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀଙ୍କୁ ୫ହଜାର ଟଙ୍କା ଅର୍ଥରାଶି ସହ ଫଳକ ଓ
ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏକାଡେମୀର ସଚିବ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏକାଡେମୀର ଉପ ସଭାପତି ଡକ୍ଟର ସଂଗ୍ରାମ ଜେନା ସମାପନୀ ବକ୍ତବ୍ୟ ଦେଇଥିଲେ । ଡକ୍ଟର ମୃତୁ୍ୟଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଙ୍ଗୀତ ନାଟକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ "ବନ୍ଦେ ଉତ୍କଳ ଜନନୀ' ପରିବେଷଣ କରିଥିଲେ ।






