"ଦେଶରେ ଗାନ୍ଧୀ ବିଚାର ଓ ସଙ୍ଗଠନକୁ ଲୋପ କରିଦେବା ପାଇଁ କେନ୍ଦ୍ର ସରକାର ଯୋଜନାବଦ୍ଧ ଷଡଯନ୍ତ୍ର ଚଳାଇଛନ୍ତି"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ବାରାଣସୀରେ ରେଳ ବିଭାଗ ଦ୍ଵାରା ଗାନ୍ଧୀ ସଂସ୍ଥାକୁ ଧ୍ଵଂସ ଯୋଜନା

  • ରେଳମନ୍ତ୍ରୀ ଯେଉଁଠି ନିର୍ବାଚନ ଲଢିବେ ବିରୋଧ କରିବ ଗାନ୍ଧୀ- ସର୍ବୋଦୟ ଆନ୍ଦୋଳନ

ଭୁବନେଶ୍ଵର,ତା୨୪/୦୭: ଦେଶରେ ଗାନ୍ଧୀ ବିଚାର ଓ ସଙ୍ଗଠନକୁ ଲୋପ କରିଦେବା ପାଇଁ କେନ୍ଦ୍ର ସରକାର ଯୋଜନାବଦ୍ଧ ଷଡଯନ୍ତ୍ର ଚଳାଇଛନ୍ତି । ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାରାଣସୀଠାରେ ବିନୋବା ଭାବେ ଓ ଜୟପ୍ରକାଶ ନାରାୟଣଙ୍କ ଦ୍ଵାରା ପ୍ରତିଷ୍ଠିତ ସର୍ବ ସେବା ସଂଘର ସାଧନା କେନ୍ଦ୍ରକୁ ରେଳ ବିଭାଗ ଗତ ଶନିବାର ଦଖଲ କରିଛି । ଉତ୍ତର ରେଲୱେ ଡିଭିଜନରୁ ଷାଠିଏ ଦଶକରେ ଖରିଦ କରାହୋଇଥିବା ଜମିରେ ବାରାଣସୀର ରାଜଘାଟଠାରେ ଚଉଦ ଏକର ପରିମିତ ଏହି କେନ୍ଦ୍ରରେ ସର୍ବୋଦୟ ପ୍ରକାଶନ, ଶାନ୍ତିସେନା କାର୍ଯ୍ୟାଳୟ, ବାଲବାଡି, ପ୍ରାକୃତିକ ଚିକିତ୍ସା କେନ୍ଦ୍ର, ମ୍ୟୁଜିୟମ,ଲାଇବ୍ରେରୀ, ଖଦୀ ଭଣ୍ଡାର ଓ କର୍ମୀ ନିବାସ ରହିଛି । ଜୟପ୍ରକାଶ ଓ ନବକୃଷ୍ଣ ଚୌଧୁରୀ ମିଳିତ ଭାବରେ ସେହି ପରିସରରେ ଗାନ୍ଧୀ ବିଦ୍ୟା ସଂସ୍ଥାନ ନାମରେ ଏକ ବିଶ୍ଵସ୍ତରୀୟ ସମାଜ ବିଜ୍ଞାନ କେନ୍ଦ୍ର ଗଢିଥିଲେ, ଯେଉଁଠାରେ ପୃଥିବୀ ବିଖ୍ୟାତ ସମାଜ ବିଜ୍ଞାନୀ ଆଇଭାନ ଇଲିଚ ଓ ସୁମାକରଙ୍କ ଭଳି ସମାଜବିଜ୍ଞାନୀ ଦୀର୍ଘ ବର୍ଷ ଗବେଷଣା କରିଥିଲେ । ପ୍ରସିଦ୍ଧ ପୁସ୍ତକ “ସ୍ମଲ ଇଜ ବିଉଟିଫୁଲ” ସୁମାକର ଏହିଠାରେ ରଚନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି କେନ୍ଦ୍ରର ଭିତ୍ତିପ୍ରସ୍ତର ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ବାବୁ ଜଗଜ୍ଜୀବନ ରାମ ସ୍ଥାପନ କରିଥିବା ବେଳେ ଲାଲ ବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଭାବରେ ଏହାର ଉଦ୍ଘାଟନ କରିଥିଲେ । ଗଙ୍ଗା ନଦୀର ଉପନଦୀ ବାରୁଣା କୂଳରେ ଅବସ୍ଥିତ ଏହି ସମ୍ପତ୍ତିକୁ ଆଦାନୀ ନାମକ କର୍ପୋରେଟ ସଂସ୍ଥାକୁ ଟେକିଦେବା ନିମନ୍ତେ ରେଳ ବିଭାଗ ଏହି କାର୍ଯ୍ୟ କରିଛି । ଏହି ଜମିକୁ ଉତ୍ତର ରେଲୱେର ତତକାଳୀନ ଚିଫ ଡିଭିଜନାଲ ଇଞ୍ଜିନିଅର ବିକ୍ରୀକବଲା କରିଥିବା ଓ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଅର୍ଥ ପଇଠ କରାଯାଇଥିବା ସତ୍ତ୍ୱେ ରେଳବିଭାଗ ଏହି ଅଧିକାରୀ ଜମି ବିକିବାକୁ କିଏ ଓ ଗେଜେଟ ନୋଟିଫିକେସନ କାହିଁକି ହୋଇନାହିଁ ବୋଲି ତେଷଠି ବର୍ଷ ପରେ ଜମି ବିକ୍ରୟକୁ ଅବୈଧ ବୋଲି କହୁଛି । ସୁପ୍ରିମ କୋର୍ଟ ଏହି କେସର ଶୁଣାଣି କରି ତଳ କୋର୍ଟକୁ ପଠାଇଥିବା ବେଳେ ଦୁଇଦିନ ଛୁଟିର ସାହାରା ନେଇ ସରକାର ଏହି କେନ୍ଦ୍ରକୁ ଅବୈଧ ଭାବରେ ଦଖଲ କରିଛନ୍ତି ।
ଆଜି ଉତ୍କଳ ସର୍ବୋଦୟ ମଣ୍ଡଳ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ଲୋହିଆ ଏକାଡେମିଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ସାମ୍ବାଦିକ ରବି ଦାସ, ସର୍ବ ସେବା ସଂଘର ସମ୍ପାଦକ ଗୌରାଙ୍ଗ ମହାପାତ୍ର, ବିଜୟ କୁମାର ତ୍ରିପାଠୀ, ମିହିର ପ୍ରତାପ ଦାସ, ଦେବ ପ୍ରସାଦ ରାୟ,ଜୟନ୍ତ କୁମାର ଦାସ,ଡାକ୍ତର ବିଶ୍ଵଜିତ, ଜ୍ଞାନରଞ୍ଜନସାମନ୍ତରାୟ, ମାନସ ପଟ୍ଟନାୟକ ପ୍ରମୁଖ କହିଛନ୍ତି ଯେ,ଗାନ୍ଧୀଜୀଙ୍କ ପ୍ରତିଷ୍ଠିତ ସାବରମତୀ ଆଶ୍ରମ ଓ ଗୁଜରାତ ବିଦ୍ୟାପୀଠ ପରେ ଏବେ ସରକାରଙ୍କ ଲୋଲୁପ ଦୃଷ୍ଟି ସାଧନା କେନ୍ଦ୍ର ଉପରେ ପଡିଛି । ଗାନ୍ଧୀ ହତ୍ୟା ପରେ ଏହା ଗାନ୍ଧୀ ବିଚାରକୁ ଲୋପ କରିବା ପାଇଁ ଆଉ ଏକ ଷଡଯନ୍ତ୍ର ।ଗାନ୍ଧୀଜୀଙ୍କ ନାମରେ ନାମିତ ଗାନ୍ଧୀ ଶାନ୍ତି ପୁରସ୍କାର ଭାରତ ସରକାର ଗୀତା ପ୍ରେସକୁ ଚଳିତ ବର୍ଷ ଦେଉଥିବା ବେଳେ ସର୍ବୋଦୟ ପ୍ରକାଶନର ପାଞ୍ଚ ଲକ୍ଷ ପୁସ୍ତକ ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଫିଙ୍ଗି ଦିଆହୋଇଛି । ମ୍ୟୁଜିୟମ,ଲାଇବ୍ରେରୀର ଜିନିଷପତ୍ର ଓ ଅଫିସର ସରଞ୍ଜାମ, କର୍ମୀ ମାନଙ୍କର ଆସବାବପତ୍ର ସବୁ ଖୋଲା ଆକାଶ ତଳେ ପଡିରହିଛି । କୋର୍ଟର କୌଣସି ନିର୍ଦ୍ଦେଶନାମା ନଥାଇ ସୁଦ୍ଧା ଏହି ବର୍ବର କାଣ୍ଡ ଘଟାହୋଇଛି । ସର୍ବ ସେବା ସଂଘର ସଭାପତିଙ୍କ ସମେତ ଆଠଜଣଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଦେଇଛି । ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ଏହି ଘଟଣା ସମ୍ବନ୍ଧରେ ଅବଗତ ଥିବା ସତ୍ତ୍ୱେ ଏହି ଐତିହାସିକ କେନ୍ଦ୍ରକୁ ରକ୍ଷା କରିନାହାନ୍ତି । ରେଳ ବିଭାଗ ଯଦି ଏହି ଗାନ୍ଧୀ ସଂଗଠନ ଧ୍ଵଂସ କାର୍ଯ୍ୟରୁ ଓହରି ନଯାଏ, ତେବେ ଆଗାମୀ ନିର୍ବାଚନରେ ଓଡିଶାରୁ ରେଳମନ୍ତ୍ରୀ ଯେଉଁଠାରୁ ନିର୍ବାଚନରେ ଛିଡାହେବେ, ତାଙ୍କ ବିରୋଧରେ ଗାନ୍ଧୀ ଓ ସର୍ବୋଦୟ ଆନ୍ଦୋଳନ ପ୍ରଚାର କରିବ ଘୋଷଣା କରିଛନ୍ତି ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/