ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଓଡ଼ିଶା ବିଜେପି ହୀନ ରାଜନୀତି କରୁଛି: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଆନ୍ତଃରାଜ୍ୟ ଦଲାଲ୍ ରାକେଟର ପର୍ଦାଫାସ୍ କରିଥିବା ଓଡ଼ିଶା ପୁଲିସର ପଦକ୍ଷେପ ପ୍ରଶଂସନୀୟ

  • ୪ ବିଜେପି ଶାସିତ ରାଜ୍ୟମାନଙ୍କରେ ଏଭଳି ରାକେଟ୍ ଧରାହେଲେ ବିଜେପି ମୁହଁରେ ତୁଣ୍ଡି ବାନ୍ଧି ବସେ କାହିଁକି ?

  • ମାମଲାର ତଦନ୍ତ ସରିନଥିବାବେଳେ ଓଡ଼ିଶା ବିଜେପି ନେତାମାନେ ଏତେ ଅଧୈର୍ଯ୍ୟ ହେଉଛନ୍ତି କାହିଁକି ? 

  • ଓଡ଼ିଶା ବିଜେପିର ଏଭଳି ନକାରାତ୍ମକ ରାଜନୀତିକୁ ଓଡ଼ିଶାବାସୀ ଘୃଣା କରୁଛନ୍ତି

ଭୁବନେଶ୍ୱର, ୨୪/୦୭/୨୦୨୩: ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ଏକ ଆନ୍ତଃରାଜ୍ୟ ଦଲାଲ ରାକେଟ୍ ଧରାପଡ଼ିବା ପରେ ଓଡ଼ିଶା ବିଜେପି ଏହାକୁ ନେଇ ହୀନ ରାଜନୀତି ଆରମ୍ଭ କରିଦେଇଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି ଯେ କିଛିଦିନ ତଳେ ଓଡ଼ିଶା ପୁଲିସ ତତ୍ପରତା ପ୍ରକାଶ କରି ଏକ ଆନ୍ତଃରାଜ୍ୟ ରାକେଟ୍ ଧରିବାରେ ସକ୍ଷମ ହୋଇଛି । ଏହି ରାକେଟରେ ଥ‌ିବା ବାହାର ରାଜ୍ୟର ଦଲାଲମାନେ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ ପରୀକ୍ଷା ସମେତ ବିଭିନ୍ନ ରାଜ୍ୟରେ କେନ୍ଦ୍ରୀୟ ଷ୍ଟାଫ୍ ସିଲେକସନ୍ କମିସନ ଦ୍ୱାରା ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ସଂପୃକ୍ତ ଅଛନ୍ତି । ଏଭଳି ଏକ ଆନ୍ତଃରାଜ୍ୟ ରାକେଟର ପର୍ଦ୍ଦାଫାସ୍ କରିଥିବା ଓଡ଼ିଶା ପୁଲିସର ପଦକ୍ଷେପ ବାସ୍ତବିକ ପ୍ରଶଂସନୀୟ। ମାତୃ ଦୁର୍ଭାଗ୍ୟର ବିଷୟ ହେଲା, ଯେତେବେଳେ ଓଡ଼ିଶା ପୁଲିସ ପ୍ରଶାସନ କୌଣସି ଏକ ଅନିୟମିତତାର ପର୍ଦାଫାସ କରୁଛି କିମ୍ବା ଭିଜିଲାନ୍ତି ହାତରେ ଧରା ପଡ଼ିଥୁବା କୌଣସି ଦୁର୍ନୀତିଗ୍ରସ୍ତ ଅଫିସର ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି; ଓଡ଼ିଶା ବିଜେପି ଏହାକୁ ନେଇ ନିମ୍ନ ମାନର ରାଜନୀତି କରିବା ଆରମ୍ଭ କରିଦେଉଛି ।

ଡ. ମହାନ୍ତି କହିଛନ୍ତି ଯେ ଅତୀତରେ ଗୁଜରାଟ, ୟୁପି, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ମଧ୍ୟ କେନ୍ଦ୍ର ସରକାରଙ୍କ ଷ୍ଟାଫ୍ ସିଲେକସନ୍ କମିଶନ ପରୀକ୍ଷା ଏପରିକି କେତେକ ସ୍ଥାନରେ ଦ୍ଵାଦଶ ଶ୍ରେଣୀ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଛି । ଏସବୁ ମାମଲାରେ ମଧ୍ୟ ଏହିଭଳି କିଛି ଦଲାଲଙ୍କ ରାକେଟ୍ ସଂପୃକ୍ତ ଥ‌ିବା ଜଣାପଡ଼ିଛି । କାହିଁ ସେତେବେଳେ ତ ବିଜେପି ନେତାମାନେ ଏହାକୁ ନେଇ ରାଜନୀତି କରୁ ନ ଥିଲେ ? ସେଗୁଡ଼ିକ ବିଜେପି ଶାସିତ ରାଜ୍ୟ ଥିଲା ବୋଲି ସେମାନେ ନିଜ ମୁହଁରେ ତୁଣ୍ଡି ବାନ୍ଧି ଦେଇଥିଲେ କି ? ଏବେ ଓଡ଼ିଶାରେ ସମାନ ଧରଣର ରାକେଟ୍ ଧରାପଡ଼ି କାର୍ଯ୍ୟାନୁଷ୍ଠାନ ନେଲାବେଳେକୁ ଏମାନେ ଏମିତି ବାଉଳି ଚାଉଳି ହେଉଛନ୍ତି କାହିଁକି ?

ଡ. ମହାନ୍ତି ଆହୁରି କହିଛନ୍ତି ଯେ ଷ୍ଟାଫ୍ ସିଲେକସନ୍ କମିଶନ ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ଚାଲିଛି । ଆଗକୁ ତଦନ୍ତକୁ ଯେଉଁମାନଙ୍କ ସଂପୃକ୍ତି ପଦାକୁ ଆସିବ, ସେମାନଙ୍କ ବିରୋଧରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ତଦନ୍ତ ସରି ନଥ‌ିବାବେଳେ ଓଡ଼ିଶା ବିଜେପି ନେତାମାନେ ଏବେଠାରୁ ଅଧୈର୍ଯ୍ୟ ହେଉଛନ୍ତି କାହିଁକି ? ସତ କଥା ହେଲା, ଓଡ଼ିଶା ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ ।  ସେମାନେ କେବେବି ଓଡ଼ିଶାର ସ୍ବାର୍ଥ କଥା ଉଠାଇ ନାହିଁ । ଓଡ଼ିଶାର ହିତ ବା ଉନ୍ନତି ସଂପର୍କରେ ଚିନ୍ତା କରନ୍ତି ନାହିଁ । ସେମାନେ କେବଳ ବିଭିନ୍ନ ସ୍ପର୍ଶକାତର ମାମଲାରେ ନିମ୍ନ ମାନର ରାଜନୀତି କରି ଓଡ଼ିଶାବାସୀଙ୍କୁ ଭ୍ରମିତ  କରିବାକୁ ଅପଚେଷ୍ଟା କରୁଛନ୍ତି । ତେଣୁ ସଚେତନ ଓଡ଼ିଶାବାସୀ ଓଡ଼ିଶା ବିଜେପି ନେତାଙ୍କ ଏଭଳି ନକାରାତ୍ମକ ରାଜନୀତିକୁ ଘୃଣା କରୁଛନ୍ତି ଏବଂ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତିବୋଲି ଡ. ମହାନ୍ତି ପ୍ରକାଶ କରିଛନ୍ତି ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/