-
ଓଡ଼ିଶା ବିଜେପି ନେତାଙ୍କୁ ଏବେ ୫-ଟି ଭୂତ ଘାରିଛି
-
କୌଣସି ସ୍କୁଲର ଅଫିସ ଗୃହ ନିର୍ମାଣ ୫-ଟି କାର୍ୟ୍ୟର ଅନ୍ତର୍ଭୁକ୍ତ ନୁହେଁ
-
ରାଜନୀତି କରିବାକୁ ୫-ଟି ରୂପାନ୍ତରଣ ବିରୋଧରେ ମିଛ ଅଭିଯୋଗ ଆଣୁଛି ବିଜେପି
-
ବାହାନଗା ଦୁର୍ଘଟଣା ବେଳେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କାହିଁକି ଯାଇନଥିଲା ?
ଭୁବନେଶ୍ୱର, ୨୧/୦୭/୨୦୨୩: ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ଏକ ସ୍କୁଲର ଅଫିସ ଗୃହ ଛାତରୁ ପ୍ଲାଷ୍ଟର ଖସି ଦୁଇ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଆହତ ହେବା ଘଟଣା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ତେବେ ୫-ଟି ସ୍କୁଲରେ ନିମ୍ନ ମାନର କାମ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଓଡିଶା ବିଜେପି ଯେଉଁ ଅଭିଯୋଗ ଆଣିଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା। କାରଣ କୌଣସି ୫-ଟି ରୂପାନ୍ତରଣ କାର୍ୟ୍ୟରେ ସ୍କୁଲର ଅଫିସ ଗୃହର ନିର୍ମାଣ ବା ମରାମତି ହୁଏ ନାହିଁ। ଯାହା ଏଠାରେ ବି ହୋଇନାହିଁ ବୋଲି ବିଜୁ ଜନତା ଦଳ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ ଆମ ରାଜ୍ୟର ପିଲାମାନେ ଉନ୍ନତ ମାନର ସ୍କୁଲରେ ଏକ ସୁସ୍ଥ ଶୈକ୍ଷିକ ବାତାବରଣରେ ଭଲ ଶିକ୍ଷା ପାଆନ୍ତୁ, ଓଡ଼ିଶା ବିଜେପି ତାହା ଚାହୁଁନାହିଁ। ତେଣୁ ବିଜେପି ନେତାମାନଙ୍କୁ ୫-ଟି ଭୂତ ଘାରିଛି। ସେମାନେ ୫-ଟି ରୂପାନ୍ତରଣକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରି ଓଡ଼ିଶାବାସୀ ଏବଂ ସ୍କୁଲ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି।
କେବଳ ମିଛର ସାହାରା ନେଇ କେବଳ ରାଜନୀତି କରିବାକୁ ଓଡ଼ିଶା ବିଜେପି ନେତାମାନଙ୍କ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗତକାଲି ଅସ୍ତରଙ୍ଗର ସେହି ସ୍କୁଲକୁ ଯାଇଥିଲା ବୋଲି ଉଲ୍ଲେଖ କରି ଶ୍ରୀ ପଣ୍ଡା କହିଛନ୍ତି ଯେ କିଛିଦିନ ପୂର୍ବରୁ ବାହାନଗାଠାରେ ଭୟଙ୍କର ରେଳ ଦୁର୍ଘଟଣା ଘଟି ଯେତେବେଳେ ପ୍ରାୟ ୩୦୦ ଲୋକଙ୍କ ଜୀବନ ଚାଲିଗଲା ଏବଂ ଶହଶହ ଲୋକ ଆହତ ହେଲେ, ସେତେବେଳେ ଦୁର୍ଘଟଣାସ୍ଥଳକୁ ଓଡ଼ିଶା ବିଜେପିର କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କାହିଁକି ଯାଇ ନଥିଲା? ଏହା ପରଠୁ ଆଜି ଯାଏ ଓଡ଼ିଶାରେ ବାରମ୍ବାର ରେଳ ଦୁର୍ଘଟଣା ଘଟି ଚାଲିଛି। କେତେବେଳେ ଟ୍ରେନରେ ନିଆଁ ଲାଗିଯାଉଛି ତ କେତେବେଳେ ଡବା ଛାଡ଼ି ଇଞ୍ଜିନ ପଳାଉଛି। ନିକଟରେ ପୁଣିଥରେ ବାଲେଶ୍ବର ନୀଳଗିରି ନିକଟରେ ଏକ ମେମୁ ଟ୍ରେନ୍ ମ୍ୟାନ୍ ଲାଇନ୍ ଛାଡ଼ି ଲୁପ୍ ଲାଇନକୁ ଚାଲି ଯାଇଥିଲା। ତେବେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବାହାନଗା ଭଳି ବଡ଼ ଦୁର୍ଘଟଣା ଟଳିଗଲା। କାହିଁ ଏଭଳି ଦୁର୍ଘଟଣାବେଳେ ତ ଓଡ଼ିଶା ବିଜେପିର କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କେଉଁଠି ତଥ୍ୟ ସଂଗ୍ରହ କରିବାକୁ ଯାଉ ନାହିଁ।
ତିନି ଦିନ ତଳେ ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ରସୁଲପୁର ନିକଟରେ ଗୋଟିଏ ବ୍ରିଜ୍ ତଳକୁ ଦବି ଗଲା। କିଛି ସେକେଣ୍ଡ ଆଗରୁ ଗୋଟିଏ ଯାତ୍ରୀବାହୀ ବସ୍ ବ୍ରିଜ୍ ଉପର ଦେଇ ଯିବାବେଳେ ଯଦି ବ୍ରିଜ୍ଟି ଭୁଶୁଡ଼ିଥାନ୍ତା, ସେଠାରେ କେତେ ଲୋକଙ୍କ ଜୀବନ ଯାଇଥାନ୍ତା। କାହିଁ ଓଡ଼ିଶା ବିଜେପି ତ କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସେଠାକୁ ଯାଇନାହିଁ। ଏନ୍ଏଚ୍ଏଆଇ କେନ୍ଦ୍ର ସରକାରଙ୍କ ଅଧୀନ ବୋଲି ଓଡ଼ିଶା ବିଜେପିର ଟିମ୍ ସେଠାକୁ ଗଲା ନାହିଁ କି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଥିଲେ। ସେହିପରି ଦୀର୍ଘ ୬ ବର୍ଷ ହେଲା ମରାମତି ଓ ପ୍ରଶସ୍ତିକରଣ କାମ ସରୁନଥିବା କଟକ-ସମ୍ବଲପୁର ଏନ୍ଏଚ୍-୫୫ଟି ଏବେ ଦେଶର ସବୁଠାରୁ ବିପଦସଂକୁଳ ଜାତୀୟ ରାଜପଥ ପାଲଟି ଯାଇଛି। ଏହି ମୃତ୍ୟୁ ପଥରେ ବିଗତ ୬ ବର୍ଷ ମଧ୍ୟରେ ୧୩୦୦ରୁ ଅଧିକ ଦୁର୍ଘଟଣା ଘଟି ୬୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। କାହିଁ ଏଠାକୁ ତ ଓଡ଼ିଶା ବିଜେପିର କୌଣସି ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍ କେବେ ଯିବାର ଆମେ ଦେଖିଲୁ ନାହିଁ?
ରାଉରକେଲା ଇସ୍ପାତ କାରଖାନାରେ ମଧ୍ୟ ବାରମ୍ବାର ଦୁର୍ଘଟଣା ଘଟେ। କେତେବେଳେ ଗ୍ୟାସ ଲିକ୍ ହୋଇ ତ କେତେବେଳେ ତରଳ ଲୁହା ପଡ଼ି ଶ୍ରମିକ-କର୍ମଚାରୀଙ୍କ ଜୀବନହାନି ଘଟିଥାଏ। ବାରମ୍ବାର ଘଟୁଥିବା ମର୍ମନ୍ତୁଦ ଦୁର୍ଘଟଣାବେଳେ କେବେ ଥରଟିଏ ବି ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ସେଠାକୁ ଯାଇଥିବାର ନଜିର୍ ଅଛି କି ବୋଲି ଶ୍ରୀ ପଣ୍ଡା ପଚାରିଥିଲେ?
ତେଣୁ ଏଥିରୁ ଜଣାପଡ଼ୁଛି ଓଡ଼ିଶା ବିଜେପିର ନେତାମାନେ କିଭଳି ଦୋମୁହାଁ ପ୍ରକୃତିର। ଦୁର୍ଘଟଣାରେ ମୃତାହତ ହେଉଥିବା ସାଧାରଣ ଜନତାଙ୍କ ପ୍ରତି ସେମାନଙ୍କର କୌଣସି ସମ୍ବେଦନଶୀଳତା କି ଆନ୍ତରିକତା ନଥାଏ। କେବଳ ନିଜର ସୁବିଧା ଦେଖି ରାଜନୀତି କରିବା ଉଦ୍ଦେଶ୍ୟରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇ ସେମାନେ ନାଟକବାଜି କରନ୍ତି। ଓଡ଼ିଶାବାସୀ ଏଭଳି ଦଳକୁ ଏବଂ ଏଭଳି ଚରିତ୍ରର ନେତାମାନଙ୍କୁ ଭଲଭାବରେ ଚିହ୍ନଛନ୍ତି। ସେଥିପାଇଁ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି। ୫-ଟି ରୂପାନ୍ତରଣ ପରେ ଓଡ଼ିଶାରେ ସ୍କୁଲଗୁଡ଼ିକର ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଆମ ପିଲାମାନେ ଉତ୍ତମ ପରିବେଶରେ ଉତ୍ତମ ଶିକ୍ଷା ପାଇ ପାରୁଛନ୍ତି। ମାତ୍ର ଏହାକୁ ବିଜେପି ସହିପାରୁ ନାହିଁ। ପିଲାମାନେ କେମିତି ଭଲ ଶିକ୍ଷା ନପାଇବେ ସେଥିପାଇଁ ୫-ଟି ରୂପାନ୍ତରଣକୁ ବନ୍ଦ କରିବା ପାଇଁ ସେମାନେ ଯେଉଁ ଷଡ଼ଯନ୍ତ୍ର କରୁଛନ୍ତି, ତାହା କେବେବି ସଫଳ ହେବ ନାହିଁ ବୋଲି ଶ୍ରୀ ପଣ୍ଡା କହିଥିଲେ।








