ଓଏମସି ପକ୍ଷରୁ ରାଜ୍ୟ ପୂର୍ତ୍ତ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲେ ଡିଭିଡେଣ୍ଡ୍ ଚେକ୍
ଭୁବନେଶ୍ୱର, 19.7 - ଓଡ଼ିଶା ସରକାରଙ୍କ ଅଧିନସ୍ଥ ଓଡ଼ିଶା ଖଣି ନିଗମ ବା ଓଏମସି ଆଜି ଲୋକସେବା ଭବନ ଠାରେ ରାଜ୍ୟ ସରକାରଙ୍କୁ 2022-23 ଆର୍ଥିକ ବର୍ଷ ଲାଗି 1420 କୋଟି ଟଙ୍କାର ଡିଭିଡେଣ୍ଡ୍ ପ୍ରଦାନ କରିଛି। ରାଜ୍ୟ ପୂର୍ତ୍ତ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ 1420 କୋଟି ଟଙ୍କାର ଡିଭିଡେଣ୍ଡ୍ ରାଶି କୁ ଚେକ୍ ଆକାରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।
ଏହି ଅବସରରେ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏମସି ଅଧ୍ୟକ୍ଷ ଶ୍ରୀ ଦେଓରଞ୍ଜନ କୁମାର ସିଂ, 5T ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ ଏବଂ ଓଏମସି ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବଲୱନ୍ତ ସିଂ ଉପସ୍ଥିତ ଥିଲେ।
ଏଥିସହ ଓଏମସିର ବିତ୍ତ ନିର୍ଦ୍ଦେଶକ ଶ୍ରୀ ସତ୍ୟଜିତ ମହାନ୍ତି, ଅପରେସନ୍ସ ନିର୍ଦ୍ଦେଶକ ଶ୍ରୀ ସବ୍ୟସାଚୀ ମହାନ୍ତି, ମାନବ ସମ୍ବଳ ନିର୍ଦ୍ଦେଶକ ଶ୍ରୀ ଆଲୋକ କୁମାର ପାଳ, ପ୍ରୋଜେକ୍ଟ ଓ ପ୍ଲାନିଂ ନିର୍ଦ୍ଦେଶକ ଶ୍ରୀ କ୍ଷୀରୋଦ ଚନ୍ଦ୍ର ବ୍ରହ୍ମ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
ଦେଶର ଅନ୍ୟତମ ବୃହତ ଲୌହ ଉତ୍ପାଦନକାରୀ ସଂସ୍ଥା ଭାବେ ଓଏମସି 2022-23 ଆର୍ଥିକ ବର୍ଷରେ 14,450 କୋଟି ଟଙ୍କାର ବ୍ୟବସାୟିକ କାରବାର କରିଛି। ଓଏମସି ଅଧିନରେ ବର୍ତ୍ତମାନ 18ଟି ଖଣି କାର୍ଯ୍ୟକ୍ଷମ ଥିବା ବେଳେ ଗତ ଆର୍ଥିକ ବର୍ଷରେ ସଂସ୍ଥା 33.76 ନିୟୁତ ଟନ୍ ଖଣିଜ ଉତ୍ପାଦନ କରିଛି, ଯାହାକି 2021-22 ଆର୍ଥିକ ବର୍ଷ ତୁଳନାରେ 14.9% ପ୍ରତିଶତ ଅଧିକ।
ରାଜ୍ୟ ସରକାରଙ୍କ ଅନେକ ପ୍ରମୁଖ ଲୋକାଭିମୁଖୀ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ଲାଗି ଓଏମସି କ୍ରମାଗତ ଭାବେ ସହାୟତା ଯୋଗାଇ ଆସୁଅଛି। ଏହାବାଦ୍ ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଅନେକ ପ୍ରକଳ୍ପ ସି.ଏସ୍.ଆର୍. କାର୍ଯ୍ୟକ୍ରମ ମାଧ୍ୟମରେ ହାତକୁ ନେଇ ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରାଇବାରେ ଓଏମସି ସକ୍ଷମ ହୋଇଛି।











