ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୂର୍ବତଟ ରେଳପଥ ୱାଲଟିୟର ଡିଭିଜନ ଡି ଆର୍ ଏମ୍ ତଥା ରେଳ ଡିଭିଜନ ମହା ପ୍ରବନ୍ଧକ ଶ୍ରୀ ଅନୁପ ଶତପଥୀ ମଙ୍ଗଳବାର ଦିନ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ପାରଳାଖେମୁଣ୍ଡି ଗସ୍ତରେ ଆସି ସେଠାରେ ଦୀର୍ଘଦିନ ଧରି ଚାଲିଥିବା ରେଳ ଷ୍ଟେସନ ବିଲଡିଙ୍ଗ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ସବୁ ପରିଦର୍ଶନ ଓ ଅନୁଧ୍ୟାନ କରି ଫେରି ଯାଇଛନ୍ତି।
ଗସ୍ତ ଓ ଅନୁଧ୍ୟାନ ବେଳେ ଡି ଆର୍ ଏମ୍ ଶ୍ରୀ ଶତପଥୀ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ନିର୍ମାଣ କାର୍ଯ୍ୟର ଯନ୍ତ୍ରୀ ଓ ଠିକାଦାର ମାନଙ୍କ ସହିତ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଡି ଆର୍ ଏମ୍ ଶ୍ରୀ ଶତପଥୀ ଷ୍ଟେସନର ବିଭିନ୍ନ ମୌଳିକ ସୁବିଧା ଉପରେ ଅଞ୍ଚଳବାସୀ ଙ୍କ ସହ ଆଲୋଚନା କରିବା ସହ ତାକୁ ତ୍ୱରାନ୍ୱିତ କରିବା ପାଇଁ ତାଙ୍କ ଦୃଷ୍ଟିକୁ ଆଣିଥିଲେ।
ପରେ ଡି ଆର୍ ଏମ୍ ଶ୍ରୀ ଶତପଥୀ ଷ୍ଟେସନ ଠାରେ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେ ଯେ , ମୁଁ ୱାଲଟିଅର ରେଳ ଡିଭିଜନର ଡି ଆର୍ ଏମ୍ ଦାୟିତ୍ଵ ନେବା ପରେ ଏ ଅଞ୍ଚଳରେ ଅନେକ ଉନ୍ନୟନ ମୂଳକ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ପାରଳାଖେମୁଣ୍ଡି ଠାରେ ଥିବା ଏହା ଏମିତି ଏକ ଷ୍ଟେସନ , ଯେଉଁଟା କି , କେନ୍ଦ୍ର ସରକାରଙ୍କ ”ଅମ୍ରିତ ଭାରତ” ଯୋଜନା କାର୍ଯ୍ୟକ୍ରମରେ ନିଆ ହୋଇଛି ଏବଂ ଏହା ବିଭାଗୀୟ ସବ-ଗ୍ରେଡେସନ ପାଇବା ପାଇଁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରା ହୋଇଛି। ଏଠାକାର ଯେଉଁ ସବୁ ଐତିହ୍ୟ ରହିଛି , ତାକୁ ଆଧାର କରି ଏହା ଏକ ସୁନ୍ଦର ଷ୍ଟେସନ ହେବା ପାଇଁ ପରିକଳ୍ପନା କରାଯାଇଛି। ଅନ୍ୟପକ୍ଷରେ ପୂର୍ବତଟ ରେଳପଥ ୱାଲଟିୟର ଡିଭିଜନର ଯେଉଁ ଗ୍ରେଡ ଷ୍ଟେସନ ସବୁ ରହିଛି , ପାରଳାଖେମୁଣ୍ଡି ରେଳ ଷ୍ଟେସନର ନାମ ସେଥିରେ ସାମିଲ ଅଛି , କାରଣ ଅପ୍ ଗ୍ରେଡେସନ ହେବା ପାଇଁ। ନିକଟ ଭବିଷ୍ୟତରେ ଏଠାକୁ ଅନ୍ୟ ଏକ ତଥା ୨ୟ ରେଳ-ଲାଇନ ସମେତ ଆଉ ଏକ ପ୍ଲାଟ-ଫର୍ମ ମଧ୍ୟ ଆସିବ। ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ଯେଉଁ ଷ୍ଟେସନ ନିର୍ମାଣ କାର୍ଯ୍ୟ ଚାଲିଛି , ତାର କେତେ ଦୂର ଅଗ୍ରଗତି ହୋଇଛି , ତାର ଅନୁଧ୍ୟାନ ଓ ତଦାରଖ କରିବା ପାଇଁ ମୋର ଆଜିର ଏହି ଗସ୍ତ। ଏଠାରେ ଯାହା କିଛି ସବୁ ନିର୍ମାଣ କାର୍ଯ୍ୟ ଚାଲିଛି , ସେ ସବୁ ସ୍ଥାୟୀ ବ୍ୟବସ୍ଥା ପାଇଁ। ବର୍ତ୍ତମାନ ବିଲଡିଙ୍ଗ ଓ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ନବୀକରଣ କାର୍ଯ୍ୟ ମଧ୍ୟରେ ପ୍ଲାଟଫର୍ମ ଉଚ୍ଚତା ବୃଦ୍ଧି ଓ ଆଉ ଗୋଟିଏ ୨ୟ ରେଳ ଲାଇନ ହେବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ମୌଳିକ ସୁବିଧା ବ୍ୟବସ୍ଥା କରାଯିବ।
ପାରଳାଖେମୁଣ୍ଡି ଓ ଗୁଣୁପୁର ଅଞ୍ଚଳବାସୀ ବିଭିନ୍ନ ସମୟରେ ଷ୍ଟେସନର ରହିଥିବା ବିଭିନ୍ନ ମୌଳିକ ସମସ୍ୟା ଉପରେ ସମାଧାନ ପାଇଁ ଆମ ନଜରକୁ ଆଣିଛନ୍ତି।
ଆମେ ମଧ୍ୟ ସେମାନଙ୍କୁ ଉତ୍ସାହିତ କରିଥାଉ , କାରଣ ସୁବିଧା ଓ ଅସୁବିଧା ଉପରେ ଅଞ୍ଚଳବାସୀ ଓ ରେଳ ବିଭାଗ ମଧ୍ୟରେ ଭାବ ଆଦାନ ପ୍ରଦାନ ହେଲେ ହିଁ , ସମସ୍ୟାର ସମାଧାନ ପାଇଁ ବାଟ ଖୋଲିଥାଏ।
ଗୁଣୁପୁର-ଥେରୁବାଲି ରେଳ ଲାଇନ ସଂଯୋଗୀକରଣ ସମ୍ପର୍କରେ ଡି ଆର୍ ଏମ୍ ଶ୍ରୀ ଶତପଥୀ କହିଥିଲେ ଯେ , ଏ ଦିଗରେ ଟଙ୍କା ମଞ୍ଜୁର ହୋଇ ସର୍ଭେ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ରହିଛି। ଏ ଦିଗରେ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ କାର୍ଯ୍ୟ ଆଉ ଟିକେ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି। ଜମି ମିଳିଗଲେ ନିଶ୍ଚିତ ଭାବେ ଥେରୁବାଲି ପାଇଁ ରେଳ ଲାଇନ ସଂଯୋଗୀକରଣ ପଥ ସୁଗମ ହୋଇପାରିବ।
ଏହି ରେଳ-ଲାଇନରେ ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକର ଗତି (ସ୍ପିଡ)କୁ ବୃଦ୍ଧି କରାହେଉଛି । ଏହାଦ୍ବାରା ଏହି ଲାଇନରେ ଅଧିକ ସଂଖ୍ୟକ ଟ୍ରେନ ଚଳାଚଳ କରିପାରିବ ଏବଂ ଏହା ଭବିଷ୍ୟତରେ ଅଞ୍ଚଳବାସୀଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ ହୋଇପାରିବ ବୋଲି ଡି ଆର୍ ଏମ୍ ଶ୍ରୀ ଶତପଥୀ କହିଥିଲେ।
ରାଜ୍ୟ
ପୂର୍ବତଟ ରେଳପଥ ୱାଲଟିୟର ଡିଭିଜନ ଡି ଆର୍ ଏମ୍ ଙ୍କ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଓ ଉନ୍ନୟନ କାର୍ଯ୍ୟକ୍ରମ ଅନୁଧ୍ୟାନ
- Hits: 364






